ଆଇପିଏଲ୍‌ରୁ ଧୋନିଙ୍କ ଆୟ ୧୬୪ କୋଟି: ଦ୍ବିତୀୟରେ କୋହଲି

ନୂଆଦିଲ୍ଲୀ: ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ୨୦୦୮ରୁ ଆରମ୍ଭ ହୋଇଥିଲା ବେଳେ ଏହି ବିତ୍ତଶାଳୀ ଲିଗ୍‌ରେ ମହେନ୍ଦ୍ର ସିଂହ ଧୋନି ସବୁଠୁ ଅଧିକ ଆୟକାରୀ ଖେଳାଳି ବନିଛନ୍ତି। ପୂର୍ବତନ ଭାରତୀୟ ତଥା ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଅଧିନାୟକ ଧୋନି ଏପର୍ଯ୍ୟନ୍ତ ସମସ୍ତ ୧୫ଟିଯାକ ସଂସ୍କରଣରେ ସାମିଲ ଥିଲାବେଳେ ତାଙ୍କ ମୋଟ ଆୟ ୧୬୪ କୋଟି ଟପିସାରିଛି। ତାଙ୍କ ପଛକୁ ପୂର୍ବତନ ଭାରତୀୟ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗା‌ଲୋର (ଆର୍‌ସିବି) ଅଧିନାୟକ ବିରାଟ କୋହଲି ରହିଛନ୍ତି। କେବଳ ଆଇପିଏଲ୍‌ରୁ ସର୍ବାଧିକ ୫ ଆୟକାରୀ କ୍ରିକେଟର୍‌ଙ୍କ ଉପରେ ଆସନ୍ତୁ ନଜର ପକାଇବା।

ମହେନ୍ଦ୍ର ସିଂହ ଧୋନି: ଧୋନି ୨୦୦୮ରୁ ଆଇପିଏଲ୍‌ ଖେଳି ଆସୁଥିଲା ବେଳେ ସିଏସ୍‌କେ ଫ୍ରାଞ୍ଜାଇଜ୍‌ ପାଇଁ ଜଣେ ଦାମୀ ଖେଳାଳି ରହି ଆସିଛନ୍ତି। ସେ ସିଏସ୍‌କେର ନିୟମିତ ସଦସ୍ୟ ରହିଥିଲା ବେଳେ ଦଳ ଦୁଇ ବର୍ଷ ବାସନ୍ଦ ସମୟରେ ରାଇଜିଂ ପୁଣେ ସୁପରଜ୍ୟାଣ୍ଟ୍‌ସ ପାଇଁ ଖେଳିଥିଲେ। ଫଳରେ ୨୦୦୮ରୁ ଏପର୍ଯ୍ୟନ୍ତ ତାଙ୍କ ଆୟ ୧୬୪ କୋଟି ୮୪ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏକ୍ଷେତ୍ରରେ ସର୍ବାଧିକ ତାଲିକାରେ ସେ ପ୍ରଥମ ସ୍ଥାନରେ ରହିଛନ୍ତି।

ବିରାଟ କୋହଲି: ତାଙ୍କ ନେତୃତ୍ବରେ ଭାରତୀୟ ୧୯ ବର୍ଷରୁ କମ୍‌ ଦଳ ବିଶ୍ବ ବିଜେତା ହେବାପରେ କୋହଲି ଆର୍‌ସିବି ଦଳରେ ସାମିଲ ହୋଇଥିଲେ। ସେବେଠୁ ସେ ଆଉ ପଛକୁ ଫେରିନାହାନ୍ତି। ଆରମ୍ଭରୁ ୧୨ ଲକ୍ଷ ଟଙ୍କାରେ ସେ ଆର୍‌ସିବିରେ ଯୋଗ ଦେଇଥିଲେ। ହେଲେ ୨୦୧୯ ପରେ ଏହି ପରିମାଣରେ ବୃଦ୍ଧି ଘଟିଥିଲା। ସେତେବେଳେ ସେ ୮.୨ କୋଟି ଟଙ୍କା ପାଇଥିଲେ। ଆର୍‌ସିବିରେ ଜଣେ ଦାମୀ ଖେଳାଳି ଭାବେ କୋହଲିଙ୍କ ଆୟ ବଢ଼ି ଚାଲିଥିଲା ଏବଂ ଏବେ ସେ ୧୫ କୋଟି ପାଉଛନ୍ତି। ଫଳରେ କେବଳ ଆଇପିଏଲ୍‌ରୁ କୋହଲିଙ୍କ ମୋଟ ଆୟ ୧୫୮ କୋଟି ୨୦ ଲକ୍ଷ ଟଙ୍କା ହୋଇଛି। ସେ ଏକ୍ଷେତ୍ରରେ ଦ୍ବିତୀୟରେ ରହିଛନ୍ତି।

ରୋହିତ ଶର୍ମା: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଡେକାନ୍‌ ଚାର୍ଜର୍ସ ଦଳରୁ ହିଁ ଆଇପିଏଲ୍‌ ଯାତ୍ରା ଆରମ୍ଭ କରିଥିଲେ। ସେ ୯ କୋଟି ଟଙ୍କାରୁ ଆୟ ଆରମ୍ଭ କରିଥିଲା ବେଳେ ଏବେ ମୁମ୍ବାଇ ଇଣ୍ଡିଆନ୍‌ସ ଅଧିନାୟକ ଭାବେ ୧୬ କୋଟି ପାଉଛନ୍ତି। ଫଳ‌ରେ ୨୦୦୮ରୁ ଏପର୍ଯ୍ୟନ୍ତ ମୋଟାମୋଟି ଭାବେ ତାଙ୍କ ଆୟ ପରିମାଣ ୧୫୨ କୋଟି ୬ ଲକ୍ଷରେ ପହଞ୍ଚିଛି। ଯାହାକି ରୋହିତ ତାଲିକାର ତୃତୀୟରେ ରହିଛନ୍ତି।

କେଏଲ୍‌ ରାହୁଲ: କେଏଲ୍‌ ରାହୁଲ ୨୦୧୩ରେ ହିଁ ଆଇପିଏଲ୍‌ କ୍ୟାରିୟର ଆରମ୍ଭ କରିଥିଲେ। ସେ ପଞ୍ଜାବ କିଙ୍ଗ୍‌ସର ନେତୃତ୍ବ ନେବା ପରଠୁ ପ୍ରତିବର୍ଷ ତାଙ୍କ ଆୟ ପରିମାଣ ବଢ଼ି ଚାଲିଥିଲା। ଏଥର ସେ ନୂଆ ଫ୍ରାଞ୍ଚାଇଜ୍‌ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସର ଅଧିନାୟକ। ଆପଣ ବିଶ୍ବାସ କରିପାରିବେନି ୨୦୧୩ରେ ମାତ୍ର ୧୦ ଲକ୍ଷରୁ ଆଇପିଏଲ୍‌ ଯାତ୍ରା ଆରମ୍ଭ କରିଥିବା ରାହୁଲଙ୍କୁ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍‌ ୧୭ କୋଟି ଦେଉଛି। ତାଙ୍କ ବ୍ରାଣ୍ଡ୍‌ ବଢ଼ି ଚାଲିଥିଲା ବେଳେ ଆଇପିଏଲ୍‌ରୁ ମୋଟ ଆୟ ତାଙ୍କର ୬୫.୧ କୋଟିରେ ପହଞ୍ଚିଛି। ସେ ମଧ୍ୟ ପ୍ରମୁଖ ୫ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି।

ହାର୍ଦିକ୍‌ ପାଣ୍ଡ୍ୟା: ଉପରୋକ୍ତ ୪ ଜଣଙ୍କ ବ୍ୟତୀତ ଆଉ ଜଣେ ଭାରତୀୟ ଖେଳାଳି ଆଇପିଏଲ୍‌ରେ ସର୍ବାଧିକ ଆୟକାରୀ ତାଲିକାରେ ଚତୁର୍ଥ ସ୍ଥାନ ଅକ୍ତିଆର କରିଛନ୍ତି। ସେ ହେଲେ ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍‌ସ ସଦସ୍ୟ ଏବଂ ଏବର ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦିକ୍‌ ପାଣ୍ଡ୍ୟା। ଏହି ଭାରତୀୟ ଅଲ୍‌ରାଉଣ୍ଡର ମୁମ୍ବାଇ ଇଣ୍ଡିଆନ୍‌ସ ପାଇଁ ପ୍ରଥମ ତିନି ଋତୁ ପାଇଁ ୧୦ ଲକ୍ଷ ଲେଖାଏଁ ପାଉଥିଲେ। ଏହାର ପରବର୍ତୀ ୪ ଋତୁରେ ୧୧ କୋଟି ଲେଖାଏଁ ଆୟ କରିଥିଲେ। ହେଲେ ଚଳିତ ସଂସ୍କରଣ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଛି। ଗୁଜରାଟ ଫ୍ରାଞ୍ଚାଇଜ୍‌ ତାଙ୍କୁ ୧୫ କୋଟିରେ ଚୁକ୍ତିବଦ୍ଧ କରିଛି। ଏଥି ସହିତ ତାଙ୍କ ଆଇପିଏଲ୍‌ ମୋଟ ଆୟ ୫୯.୩ କୋଟିରେ ପହଞ୍ଚିଯାଇଛି। ସେ ତାଲିକାର ପଞ୍ଚମରେ ରହିଛନ୍ତି।

ସମ୍ବନ୍ଧିତ ଖବର