ପଣ୍ଟିଂଙ୍କ ଅପେକ୍ଷା ଧୋନି କ୍ରିକେଟ୍‌କୁ ଅଧିକ ଭଲ ବୁଝନ୍ତି: ହସି

ନୂଆଦିଲ୍ଲୀ: ମାଇକେଲ୍ ହସି ହେଉଛନ୍ତି ଏଭଳି ଜଣେ ବିରଳ କ୍ରିକେଟର୍‌ ଯିଏକି ଦୁଇ ଜଣ ଉତ୍କୃଷ୍ଟ ଅଧିନାୟକଙ୍କ ଅଧୀନରେ ଖେଳିଛନ୍ତି। ସେମାନେ ହେଲେ ରିକି ପଣ୍ଟିଂ ଓ ମହେନ୍ଦ୍ର ସିଂହ ‌ଧୋନି। ଏହି ଦୁଇ ଜଣଙ୍କ କ୍ୟାରିୟର୍‌ ଗ୍ରାଫ୍‌ ଭିନ୍ନ ଏବଂ ଉଭୟଙ୍କ ଖେଳ ଓ ନେତୃତ୍ବର ଯୁଗ ବି ଅଲଗା ଅଲଗା। ଏହି ଦୁହିଁଙ୍କୁ ବେଶ ପାଖରୁ ନିରୀକ୍ଷଣ କରିଥିଲେ ମାଇକେଲ୍ ହସି। ପଣ୍ଟିଂଙ୍କ ଅଧୀନରେ ହସି ୭ ବର୍ଷ ବିତାଇଥିଲେ ଏବଂ ୩ଟି ଆଇସିସି ପ୍ରତିଯୋଗିତା ଜିତିବାର (୨୦୦୭ ଦିନିକିଆ ବିଶ୍ବକପ୍‌, ୨୦୦୬ ଓ ୨୦୦୯ ଚାମ୍ପିଅନ୍ସ ଟ୍ରଫି) ଅଂଶୀଦାର ରହିଛନ୍ତି। ଅନ୍ୟପକ୍ଷରେ ଏହି ପୂର୍ବତନ ବାମହାତୀ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍‌ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପାଇଁ ଖେଳିବା ବେଳେ ମହେନ୍ଦ୍ର ସିଂହ ଧୋନିଙ୍କ ସଫଳତାର ବି ଭାଗୀଦାର ଅଛନ୍ତି। ଚେନ୍ନାଇର ୪ ଆଇପିଏଲ୍‌ ଟ୍ରଫି ବିଜୟ ମଧ୍ୟରୁ ୩ଟିରେ ହସି ଥିଲେ। ଶୁକ୍ରବାର ରୋନକ କାପୁରଙ୍କ ସହିତ ଏକ ୟୁଟ୍ୟୁବ ଆଲୋଚନା‌ ବେଳେ ହସିଙ୍କୁ ଉଭୟଙ୍କ ନେତୃତ୍ବ ମଧ୍ୟରେ ଥିବା ଫରକ ତଥା ଭିନ୍ନତା ଉପରେ ପଚରାଯିବାରୁ ସେ ବିସ୍ତୃତ ବିଶ୍ଲେଷଣ କରିଥିଲେ। ‘ରିକି ଏଭଳି ପରିଚାଳିତ ଯେ ସବୁକିଛିକୁ ସେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଭାବେ କରିଥାନ୍ତି। ରୁମ୍‌ ଭିତରେ ସେ‌ ଟେବୁଲ‌ ଟେନିସ୍ ଖେଳନ୍ତୁ କି ଅନ୍ୟ କିଛି, ସବୁଥିରେ ବିଜୟୀ ହେବାକୁ ଚାହାଁନ୍ତି। ଏପରିକି ତାଲିମ ଶିବିରରେ ଫିଲଡିଂ ଡ୍ରିଲ୍ କରୁଥିଲେ ବି ଆଗୁଆ ହେବାକୁ ଇଚ୍ଛା ପ୍ରକଟ କରନ୍ତି ଏବଂ ସବୁଥିରେ ଉଚ୍ଚମାନ ରଖିବାକୁ ଆଗ୍ରହୀ ଥାନ୍ତି। ନେଟ୍‌ସରେ ଖରାପ ଚାଲିଲେ ସେ ଏହାକୁ ଜାରି ରଖନ୍ତି। ନିଜ ଖେଳାଳିମାନଙ୍କୁ କିନ୍ତୁ ୧୦୦ ପ୍ରତିଶତ ସମର୍ଥନ କରିଥାନ୍ତି। ସମ୍ଭବତଃ ମହେନ୍ଦ୍ର ସିଂହ ଧୋନି ମଧ୍ୟ ସମାନ କଥା କରିଥାନ୍ତି।’ ବୋଲି ହସି ପ୍ରକାଶ କରିଥିଲେ।

‘ଏମ୍‌ଏସ୍‌ (ଧୋନି) ତ ଶାନ୍ତ, ବହୁକିଛି ମାପଚୁପର ଖେଳାଳି। କୌଶଳ ଦୃଷ୍ଟିକୋଣରୁ ଦେଖିଲେ ରିକି ପଣ୍ଟିଂଙ୍କ ତୁଳନାରେ ମହେନ୍ଦ୍ର ସିଂହ‌ ଧୋନି ସାମାନ୍ୟ ଅଧିକ ଭଲ ଭାବେ କ୍ରିକେଟ୍‌କୁ ପଢ଼ି ପାରନ୍ତି। ରିକି ଜଣେ ଭଲ କୌଶଳି କିନ୍ତୁ ଧୋନି ପଡିଆ ଭିତରେ ବି ଏଭଳି କିଛି ଚାଲ ଖେଳନ୍ତି ଅନ୍ୟମାନଙ୍କୁ ଜଣାପଡ଼ିନଥାଏ। ଏହା କିଭଳି ଓ କେଉଁଠୁ ଆସିଲା ଆପଣ ଜାଣିପାରିବେ ନାହିଁ। ଦୁଇ ଜଣଯାକ ଅଧିନାୟକ ନିଜ ନିଜ ଶୈଳୀରେ ଫଳପ୍ରଦ ସାବ୍ୟସ୍ତ ହୋଇଛନ୍ତି’ ବୋଲି ହସି କହିଛନ୍ତି। ଗତ ମାସରେ ଧୋନିଙ୍କୁ ହସି କ୍ରିକେଟ୍‌ ମ୍ୟାଚ୍‌ର ମହାନ ଫିନିସର୍‌ ବୋଲି କହିିଥିଲେ। ଧୋନିଙ୍କ ସବୁଠାରୁ ବଡ଼ ଦକ୍ଷତା ହେଉଛି ସେ ଖେଳାଳିଙ୍କଠାରୁ ଚାପ କାଢ଼ି ନିଅନ୍ତି। ବିଶେଷ କରି ଯୁବ‌ ଖେଳାଳିମାନଙ୍କୁ ସେ ଚାପରେ ରଖନ୍ତି ନାହିଁ। ଭାରତରେ କ୍ରିକେଟ୍ ଧର୍ମଭଳି। ସେ କିନ୍ତୁ ଅନୁଭବ କରନ୍ତି ଏହା ଗୋଟିଏ ଖେଳ। ପଡିଆକୁ ଯାଅ ଓ ଖେଳ। ଦିନେ ବିଜୟ ମିଳିବ ଓ ଅନ୍ୟଦିନ ପରାଜୟ। ଏହାକୁ ଉପଭୋଗ କରିବା ବଡ଼ କଥା। ଜଣେ ଅଧିନାୟକ ଭାବେ ଏଭଳି ଚିନ୍ତା କରିବା ନିଶ୍ଚିତ ବିରଳ’ ବୋଲି ହସି କହିଥିଲେ।

ସମ୍ବନ୍ଧିତ ଖବର