ଆରମ୍ଭରୁ ବିପର୍ଯ୍ୟୟ: କର୍ବର, ନିଶିକୋରି, ମନ୍‌ଫିଲ୍ସ ବିଦା

ମେଲ୍‌ବର୍ଣ୍ଣ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ ସୋମବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ତିନି ଥରର ମହିଳା ଏକକ ଟ୍ରଫି ବିଜୟିନୀ ଆଞ୍ଜେଲିକ୍‌ କର୍ବରଙ୍କ ସହ ପୂର୍ବତନ ଚତୁର୍ଥ ମାନ୍ୟତା ଖେଳାଳି କେଇ ନିଶିକୋରି ଏବଂ ଦଶମ ମାନ୍ୟତାପ୍ରାପ୍ତ ‌ଗେଲ୍‌ ମନ୍‌ଫିଲ୍ସ ପ୍ରଥମ ପର୍ଯ୍ୟାୟରୁ ବିଦା ହୋଇଛନ୍ତି। ମହିଳା ଏକକ ମୁକାବିଲାରେ ୬୩ ମାନ୍ୟତାପ୍ରାପ୍ତ ଆମେରିକାର ବର୍ନାର୍ଡା ପେରା ସିଧାସଳଖ ୬-୦, ୬-୪ ସେଟ୍‌ରେ ୨୦୧୬ ବିଜୟିନୀ ଜର୍ମାନିର କର୍ବରଙ୍କୁ ମାତ୍‌ ଦେଇଥିଲେ। ସେହିଭଳି ପୁରଷ ଏକକରେ ‌ଜାପାନ୍‌ର ନିଶିକୋରିଙ୍କୁ ୫-୭, ୬-୭, ୨-୬ରେ ପଞ୍ଚଦଶ ମାନ୍ୟତାପ୍ରାପ୍ତ ସ୍ପେନ୍‌ର ପେଡ୍ରୋ ମାର୍ଟିନେଜ୍‌ ଏବଂ ଫ୍ରାନ୍ସର ‌ମନ୍‌ଫିଲ୍ସଙ୍କୁ ୬-୩, ୪-୬, ୫-୭, ୬-୩, ୩-୬ ସେଟ୍‌ରେ ଫିନ୍‌ଲାଣ୍ଡର ଏମିଲ ରୁସୁଭୌରି ପରାସ୍ତ କରି ଦ୍ବିତୀୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି।
ତେବେ ଅନ୍ୟପୁରୁଷ ଏକକ ମୁକାବିଲାଗୁଡ଼ିକରେ ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ, ଡୋମିନିକ ଥିମ୍‌ (ତୃତୀୟ), ଆଲେକଜାଣ୍ଡର ଭେରଭ (ଷଷ୍ଠ) ଓ ଡିଏଗୋ ସ୍ବର୍ଜମ୍ୟାନ୍‌ (ଅଷ୍ଟମ) ପ୍ରଥମ ପର୍ଯ୍ୟାୟ ବାଧା ଅତିକ୍ରମ କରିଛନ୍ତି। ‌ସର୍ବିଆ ତାରକା ଜୋକୋଭିକ ୬-୩, ୬-୧, ୬-୨ ସେଟ୍‌ରେ ଫ୍ରାନ୍ସର ଜେରେମି ଚାର୍ଡିଙ୍କୁ, ଅଷ୍ଟ୍ରିଆର ଥିମ୍‌ ୭-୬, ୬-୨, ୬-୩ ସେଟ୍‌ରେ କାଜକସ୍ତାନର ମିଖାଲି କୁକୁସ୍କିନ୍‌ଙ୍କୁ, ଜର୍ମାନିର ଭେରଭ ୬-୭, ୭-୬, ୬-୩, ୬-୨ ସେଟ୍‌ରେ ଆମେରିକାର ମାର୍କସ ଗିରୋନଙ୍କୁ ଏବଂ ଆର୍ଜେଣ୍ଟିନାର ସ୍ବର୍ଜମ୍ୟାନ୍‌ ୭-୬, ୬-୪, ୨-୬, ୬-୨ ସେଟ୍‌ରେ ସ୍ବିଡେନ୍‌‌ର ଏଲିଆସ ୟିମରଙ୍କୁ ପରାସ୍ତ କରିଥିଲେ।

ସେହିପରି ମହିଳା ଏକକରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ସିମୋନା ହାଲେପଙ୍କ ସହ ନାଓମି ଓସାକା (ତୃତୀୟ), ଆରିନା ସେବାଲେଙ୍କା (ସପ୍ତମ), ବିୟାଙ୍କା ଆନ୍ଦ୍ରିସ୍କୁ (ଅଷ୍ଟମ), ପେଟ୍ରା କ୍ବିତୋଭା (ନବମ), ସେରେନା ୱିଲିୟମ୍ସ (ଦଶମ) ଏବଂ ଭେନସ ୱିଲିୟମ୍ସ ନିଜ ନିଜ ମ୍ୟାଚ୍‌ ଜିତି ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରୋମାନିଆର ହାଲେପ ୬-୨, ୬-୧ ସେଟ୍‌ରେ ଅଷ୍ଟ୍ରେଲିଆର ଲିଜେଟ୍‌ କାବ୍ରେରାଙ୍କୁ, ଜାପାନର ଓସାକା ୬-୧, ୬-୨ ସେଟ୍‌ରେ ରୁଷିଆର ଆନାସ୍ତାସିଆ ପାଭ୍‌ଲ୍ୟୁଚେଙ୍କୋଭାଙ୍କୁ, ବେଲାରୁଷର ସେବାଲେଙ୍କା ୬-୦, ୬-୦‌ ସେଟ୍‌ରେ ସ୍ଲୋଭାକିଆର ଭିକ୍ଟୋରିଆ କୁଜମୋଭାଙ୍କୁ, କାନାଡ଼ାର ଆନ୍ଦ୍ରିସ୍କୁ ୬-୨, ୪-୬, ୬-୩‌ ସେଟ୍‌ରେ ରୋମାନିଆର ମିହିଲା ବୁଜାର୍ନେସ୍କୁଙ୍କୁ, ଚେକ୍‌ ଗଣରାଜ୍ୟର କ୍ବିତୋଭା ୬-୩, ୬-୪ ସେଟ୍‌ରେ ବେଲ୍‌ଜିୟମର ଗ୍ରିଟ୍‌ ମେନନଙ୍କୁ, ଆମେରିକାର ସେରେନା ୬-୧, ୬-୧ ‌ସେଟ୍‌ରେ ଜର୍ମାନିର ଲୌରା ସିଗମୁଣ୍ଡଙ୍କୁ ଏବଂ ଭେନସ ୭-୫, ୬-୨ ସେଟ୍‌ରେ ବେଲ୍‌ଜିୟମର କି‌ର୍ଷ୍ଟେନ୍‌ ଫ୍ଲିପକେନ୍ସଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର