ବଡ଼ ବିପର୍ଯ୍ୟୟ, ଓହରିଲେ ଜୋକୋଭିକ, ଓସାକା ବିଦା

ନ୍ୟୁୟର୍କ: ଚଳିତ ୟୁଏସ୍ ଓପନ୍‌ ‌ଟେନିସ୍‌ ପ୍ରତିଯୋଗିତାରେ ସୋମବାର ବଡ଼ ବିପର୍ଯ୍ୟୟ ଘଟିଛି। ପୁରୁଷ ଓ ମହିଳା ଏକକ‌ର ଶୀର୍ଷ ମାନ୍ୟତାପ୍ରାପ୍ତ ଦୁଇ ଖେଳାଳି ନୋଭାକ ଜୋକଭିକ ଓ ନାଓମି ଓସାକାଙ୍କ ଅଭିଯାନ ଶେଷ ହୋଇଛି। ମହିଳା ଏକକ ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ଗତଥରର ବିଜୟିନୀ ଜାପାନ୍‌ ଲଳନା ଓସାକା ୭-୫, ୬-୪ ସେଟ୍‌ରେ ତ୍ରୟୋଦଶ ମାନ୍ୟତାପ୍ରାପ୍ତ ବେଲିନ୍ଦା ବେନ୍‌ସିକ୍‌ଙ୍କଠୁ ହାରି ବିଦାୟ ନେଇଥିଲେ। ତେବେ ଆହତ ସତ୍ବେ ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ସେରେନା ୱିଲିୟମ୍ସ ମ୍ୟାଚ୍‌ ଜିତି ୨୪ତମ ଗ୍ରାଣ୍ଡ ସ୍ଲାମ୍‌ ବିଜୟ ଦିଗରେ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। କ୍ରୋଏସିଆର ପେଟ୍ରା ମାର୍ଟିକଙ୍କ ବିପକ୍ଷ ଏହି ମ୍ୟାଚ୍‌ର ପ୍ରଥମ ସେଟ୍‌କୁ ଅଷ୍ଟମ ମାନ୍ୟତାପ୍ରାପ୍ତ ସେରେନା ୬-୩ରେ ଆଗୁଆ ରହିଥିଲେ। ହେଲେ ଦ୍ବିତୀୟ ସେଟ୍‌ ବେଳେ ତାଙ୍କ ପାଦ ଗଣ୍ଠିରେ ଆଘାତ ଲାଗିଥିଲା। ଏହାକୁ ଭୃକ୍ଷପ ନକରି ସେ ଦ୍ବିତୀୟ ସେଟ୍‌କୁ ୬-୪ରେ ଜିତି ନେଇଥିଲେ। ଆମେରିକା ଲଳନା ସେରେନା କ୍ବାର୍ଟର ଫାଇନାଲ୍‌ରେ ଚୀନ୍‌ର ୱାଙ୍ଗ୍‌ କ୍ବେଙ୍ଗ୍‌ଙ୍କୁ‌ ଭେଟି‌ବେ। ଅନ୍ୟ ମହିଳା ଏକକରେ ପଞ୍ଚମ ମାନ୍ୟତାପ୍ରାପ୍ତ ଏଲିନା ‌ସ୍ବେତଲିନା ଏବଂ ୨୩ ମାନ୍ୟତାପ୍ରାପ୍ତ ‌ଡୋନା ଭେକିକ୍‌ ନିଜ ନିଜ ମ୍ୟାଚ୍‌ ଜିତି କ୍ବାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସ୍ବେତଲିନା ୭-୬, ୬-୪ ସେଟ୍‌ରେ ଦଶମ ମାନ୍ୟତାପ୍ରାପ୍ତ ମାଡିସନ୍‌ କିଜ୍‌ଙ୍କୁ ଏବଂ ଭେକିକ୍‌ ୬-୭, ୭-୫, ୬-୩ ସେଟ୍‌ରେ ଜୁଲିଆ ଜର୍ଜେସ୍‌ଙ୍କୁ ପରାସ୍ତ କରିଥିଲେ।

ପୁରୁଷ ଏକକ ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ ମୁକାବିଲାରେ ଜୋକଭିକ୍‌ ମ୍ୟାଚ୍‌ ଅଧାରୁ ଓହରି ଯାଇଥିଲେ। ସ୍ବିଜରଲାଣ୍ଡର ଷ୍ଟାନ୍‌ ୱାରିଙ୍କା ବିପକ୍ଷରେ ଖେଳୁଥିବା ବେଳେ ‌୩୨ ବର୍ଷୀୟ ସର୍ବିଆ ତାରକାଙ୍କ କାନ୍ଧରେ ଯନ୍ତ୍ରଣା ହୋଇଥିଲେ। ତତ୍‌କ୍ଷଣାତ୍‌ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲେ ମଧ୍ୟ ଯନ୍ତ୍ରଣା ଉପଶମ ‌ନ ହେବାରୁ ଗତ ଥରର ବିଜେତା ଜୋକୋଭିକ ମ୍ୟାଚ୍‌ ଅଧାରୁ ଓହରିବାକୁ ବାଧ୍ୟ ହୋଇଥିଲେ। ଫଳରେ ୬-୪, ୭-୫, ୨-୧ ସେଟ୍‌ରେ ଆଗୁଆ ଥିବା ୨୩ ମାନ୍ୟତାପ୍ରାପ୍ତ ‌ୱାରିଙ୍କା କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିନେଇଥିଲେ। ଅନ୍ୟପକ୍ଷରେ ଚଳିତ ବର୍ଷ ୨ (ଅଷ୍ଟ୍ରେଲିଆନ୍‌, ୱିମ୍ବଲଡନ୍‌) ଗ୍ରାଣ୍ଡ ସ୍ଲାମ୍‌ ଜିତି ସାରିଥିବା ଜୋକୋଭିକ୍‌ ତୃତୀୟ ଗ୍ରାଣ୍ଡସ୍ଲାମ୍‌ ବିଜୟରୁ ବଞ୍ଚିତ ହୋଇଥିଲେ। କ୍ବାର୍ଟର୍‌ ଫାଇନାଲ୍‌ରେ ୱାରିଙ୍କାଙ୍କ ଭେଟ ପଞ୍ଚମ ମାନ୍ୟତାପ୍ରାପ୍ତ ରୁଷିଆର ଡାନିଏଲ୍‌ ମେଦଭେଦେଭଙ୍କ ସହ ହେବ। ମେଦଭେଦେଭ ପ୍ରି-କ୍ବାର୍ଟର ଫାଇନାଲ୍‌ରେ ୩-୬, ୬-୩, ୬-୩, ୭-୬ ସେଟ୍‌ରେ ଜର୍ମାନିର ଡୋମିନିକ କୋଏଫରଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର