ଅଲ୍‌ଜଜିରା ଷ୍ଟିଙ୍ଗ୍‌ ନେଇ ଝଡ଼: ଚେନ୍ନାଇ ଓ ରାଞ୍ଚି ଟେଷ୍ଟ୍‌ ବି ସନ୍ଦେହରେ

ଅଷ୍ଟ୍ରେଲିଆର ୨, ଇଂଲଣ୍ଡର ୩ ଖେଳାଳି ସଂପୃକ୍ତ

ଦୁବାଇ: ୨୦୧୬ ମସିହାର ଭାରତ-ଶ୍ରୀଲଙ୍କା ଗଲ୍‌ ଟେଷ୍ଟ୍‌ ଫିକ୍ସ ଥିଲା ବୋଲି ଅଲ୍‌ଜଜିରା ଟେଲିଭିଜନ ଦାବି କରିବାର ଦିନକ ପରେ ଭାରତୀୟ ଦଳ ଖେଳିଥିବା ଆଉ ଦୁଇଟି ଟେଷ୍ଟ୍‌ ମଧ୍ୟ ସନ୍ଦେହ ଘେରରେ ରହିଛି ବୋଲି ଏହି ଚ୍ୟାନେଲ କହିଛି। ସେହିବର୍ଷ ଡିସେମ୍ବର ମାସରେ ଚେନ୍ନାଇରେ ଖେଳା ଯାଇଥିବା ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ୍‌ ଏବଂ ରାଞ୍ଚିରେ ଗତବର୍ଷ ଖେଳା ଯାଇଥିବା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍‌କୁ ମଧ୍ୟ ବୁକିମାନେ ପ୍ରଭାବିତ କରିଥିଲେ ବୋଲି ସଂପୃକ୍ତ ଚ୍ୟାନେଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ୍‌ ଅପରେସନରେ ଦାବି ହୋଇଛି। ଏହି ଦୁଇ ମ୍ୟାଚ୍‌ର କେତେକ ଅଧିବେସନକୁ ବୁକିମାନେ ଖେଳାଳିଙ୍କ ସହ ମିଶି ଫିକ୍ସ କରିଥିଲେ ବୋଲି ଅଲଜଜିରାର ପ୍ରସାରିତ ‘କ୍ରିକେଟ୍ସ ଫିକ୍ସର୍ସ’ ନାମକ ପ୍ରାମାଣିକ ଚିତ୍ରରେ ଦାବି କରାଯାଇଛି। ହେଲେ ଏହି ସ୍ପଟ୍‌ ଫିକ୍ସିଂ ଅଧ୍ୟାୟରେ ସାଂପ୍ରତିକ ଭାରତୀୟ ଦଳର କୌଣସି ସଦସ୍ୟଙ୍କ ନାଁ ନିଆଯାଇ ନାହିଁ। ଅଲ୍‌ଜଜିରାର ତଦନ୍ତକାରୀ ଦଳ କରିଥିବା ଦାବି ଅନୁସାରେ ରାଞ୍ଚି ଟେଷ୍ଟ୍‌କୁ ଫିକ୍ସ କରିବାରେ ଦୁଇ ଜଣ ଅଷ୍ଟ୍ରେଲିଆ କ୍ରିକେଟର ଏବଂ ଚେନ୍ନାଇ ଟେଷ୍ଟ୍‌ର କିଛି ଅଂଶକୁ ଇଂଲଣ୍ଡର ତିନି ଜଣ କ୍ରିକେଟର ଫିକ୍ସ କରିଥିଲେ। ଇଂଲଣ୍ଡ ଖେଳାଳିମାନେ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲା ବେଳେ ଅଷ୍ଟ୍ରେଲିଆ ଖେଳାଳିମାନେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି। ଏଥିରେ ଅଣ୍ଡରଓ୍ଵାର୍ଲଡ ଡନ୍‌ ‘ଡି’ କଂପାନିର କେତେକ ସଦସ୍ୟ ଜଡ଼ିତ ଥିବା ମଧ୍ୟ ଜଣାପଡ଼ିଛି। ଏହି ଫିକ୍ସିଂ ମାମଲାରେ ଶନିବାର ଭାରତୀୟ ପ୍ରଥମ ଶ୍ରେଣୀ କ୍ରିକେଟର ରବିନ ମୋରିସଙ୍କ ସହ ଶ୍ରୀଲଙ୍କାର ପ୍ରଥମ ଶ୍ରେଣୀ କ୍ରିକେଟର ଥରିନ୍ଦୁ ମେଣ୍ଡିସ, ଦୁବାଇରେ ରହୁଥିବା ଭାରତୀୟ ବ୍ୟବସାୟୀ ଗୌରବ ରାଜକୁମାର ଓ ଗଲ୍‌ ଷ୍ଟାଡିୟମ୍‌ ସହକାରୀ ପ୍ରବନ୍ଧକ ଥରଙ୍ଗା ଇନ୍ଦିକା ମିଳିତ ଭାବେ ଗଲ୍‌ ଟେଷ୍ଟ୍‌କୁ ଫିକ୍ସ କରିଥିଲେ ବୋଲି ଅଲଜଜିରା ଦାବି କରିଥିଲା।

ଫିକ୍ସିଂ ପାଇଁ ୧୦ ଦିନିଆ ପ୍ରତିଯୋଗିତା
ଅଲ୍‌ଜଜିରା ଷ୍ଟିଙ୍ଗ୍‌ ଅପରେସନରେ ଭାରତୀୟ ପ୍ରଥମ ଶ୍ରେଣୀ କ୍ରିକେଟର ରବିନ ମୋରିସଙ୍କ ବ୍ୟାବସାୟିକ ସାଥୀ ଗୌରବ ରାଜକୁମାର କେତେକ ଚାଞ୍ଚଲ୍ୟକର କଥା କହିଥିବା ଜଣା ପଡ଼ିଛି। ଫିକ୍ସିଂକୁ ପ୍ରୋତ୍ସାହନ ଦେବା ଲାଗି ଦୁବାଇରେ ସେମାନେ ଏକ ୪ ଦଳିଆ ପ୍ରତିଯୋଗିତା ଆୟୋଜନ କରିବାକୁ ଯୋଜନା କରୁଥିବା ରାଜକୁମାର ସୂଚନା ଦେଇଛନ୍ତି।ଏହି ପ୍ରତିଯୋଗିତା ୧୦ ଦିନ ଧରି ଖେଳାଯିବ। ଯାହା ସଂପୂର୍ଣ୍ଣ ଭାବେ ବୁକିଙ୍କ ନିୟନ୍ତ୍ରଣରେ ରହିବ। ଖେଳାଳିମାନେ ସେମାନଙ୍କ ହାତ କଣ୍ଡେଇ ପାଲଟିବେ। ସେମାନେ ଯାହା କହିବେ ଖେଳାଳିମାନେ ତାହା କରିବେ। ଡି’ କଂପାନି ପ୍ରତି ମ୍ୟାଚ୍‌କୁ ଫିକ୍ସ କରିବା ଲାଗି ୨ରୁ ୬ କୋଟି ଟଙ୍କା ଦେବ। ଖେଳାଳିମାନେ ୧୦ ଦିନର ପ୍ରତିଯୋଗିତାରେ ଅଧନିୟୁତ ଡଲାର ବା ପାଖା ପାଖି ସାଢ଼େ ତିନି କୋଟି ଟଙ୍କା ରୋଜଗାର କରିବେ।

ଧରା ପଡ଼ିଲେ ପାକିସ୍ତାନୀ କ୍ରିକେଟର ହାସନ ରାଜା
ଅଲ୍‌ଜଜିରା ଷ୍ଟିଙ୍ଗ୍‌ ଅପରେସନରେ ପାକିସ୍ତାନୀ କ୍ରିକେଟର ହାସନ ରାଜା ମଧ୍ୟ ଧରା ପଡ଼ିଛନ୍ତି। ଭାରତୀୟ ପ୍ରଥମ ଶ୍ରେଣୀ କ୍ରିକେଟର ରବିନ ମୋରିସ୍‌ ଗଲ୍‌ ଟେଷ୍ଟ୍‌ର ପିଚ୍‌କୁ ବୁକିଙ୍କ ମୁତାବକ ପ୍ରସ୍ତୁତ କରିବା ଲାଗି ମୂଲଚାଲ କରୁଥିଲା ବେଳେ ରାଜା ମଧ୍ୟ ସେହି କୋଠରିରେ ଥିଲେ ବୋଲି ଭିଡିଓରୁ ସ୍ପଷ୍ଟ ହେଉଛି। ହେଲେ ମୋରିସ୍‌ ଏବଂ ଛଦ୍ମବେଶରେ ଥିବା ଅଲ୍‌ଜଜିରା ସାମ୍ବାଦିକଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ସେ ଅଂଶ ଗ୍ରହଣ କରି ନଥିଲେ। ରାଜା କିନ୍ତୁ ମୋରିସଙ୍କ ପାଖରେ ବସିଥିଲେ। ସୂଚନାଯୋଗ୍ୟ ଯେ ରାଜା ୧୯୯୬ ମସିହାରେ ମାତ୍ର ୧୪ ବର୍ଷ ବୟସରେ ପାକିସ୍ତାନ ଜାତୀୟ ଦଳରୁ ଖେଳିଥିଲେ। ଟେଷ୍ଟ୍‌ ଖେଳିବାରେ ସେ ବିଶ୍ୱର ସର୍ବକନିଷ୍ଠ ଖେଳାଳି ହୋଇଥିଲେ। ସେ ୭ ଟେଷ୍ଟ୍‍ ଏବଂ ୧୬ ଦିନିକିଆରେ ପାକିସ୍ତାନର ପ୍ରତିନିଧିତ୍ୱ କରିଥିଲେ। ୨୦୦୫ ମସିହାରୁ କିନ୍ତୁ ସେ ଆଉ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳି ନାହାନ୍ତି। ହେଲେ ପାକିସ୍ତାନ ଘରୋଇ କ୍ରିକେଟରେ ବେଶ୍‌ ସକ୍ରିୟ ଥିଲେ। ସେ ୨୩୨ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ସହ ୧୯୭ ଦିନିକିଆ ଏବଂ ୩୬ ଘରୋଇ ଟେ୍ଵଣ୍ଟି-୨୦ ଖେଳିଛନ୍ତି। ଘଟଣା ପଦାକୁ ଆସିବା ପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ନିଜସ୍ୱ ତଦନ୍ତ ଆରମ୍ଭ କରି ଦେଇଛି।

ଆଇସିସି ତଦନ୍ତକୁ ବିସିସିଆଇର ଅପେକ୍ଷା
ଅଲ୍‌ଜଜିରା ଷ୍ଟିଙ୍ଗ୍‌ ଅପରେସନକୁ ନେଇ ବିସିସିଆଇ ହଠାତ୍‌ କୌଣସି କଡ଼ା ପଦକ୍ଷେପ ନେବନି ବୋଲି ସଂକେତ ଦେଇଛି। ଆଇସିସି ତଦନ୍ତ ଶେଷ ହେବା ପରେ ଯାଇ କୌଣସି କାର୍ଯ୍ୟାନୁଷ୍ଠାନ ନେବ ବୋଲି ଭାରତୀୟ ବୋର୍ଡ କହିଛି। ହେଲେ ଏଥିନେଇ ବିସିସିଆଇ ଆଜି ଆନୁଷ୍ଠାନିକ ପ୍ରତିକ୍ରିୟା ପ୍ରକାଶ କରିଛି। ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ କରି କହିଛି ଯେ ଆଇସିସି ଏହାର ତଦନ୍ତ ଆରମ୍ଭ କରି ସାରିଛି। ସେମାନେ ତଦନ୍ତ ଶେଷ କରି ମୋରିସ୍‌ ଦୋଷୀ ବୋଲି ପ୍ରମାଣ ଦିଅନ୍ତୁ। ଆଇସିସି ରାୟ ପରେ ଯାଇ ବିସିସିଆଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ପ୍ରମାଣ ମାଗିଲା କ୍ରିକେଟ୍‌ ଅଷ୍ଟ୍ରେଲିଆ
ରାଞ୍ଚି ଟେଷ୍ଟ୍‌କୁ ଫିକ୍ସ କରିବାରେ ଦୁଇ ଜଣ ଅଷ୍ଟ୍ରେଲିଆ କ୍ରିକେଟର ପ୍ରମୁଖ ଭୂମିକା ତୁଲାଇଥିଲେ ବୋଲି ଅଲ୍‌ଜଜିରା ଦାବି କରିବା ପରେ ସେଠାରେ ଆଲୋଡ଼ନ ସୃଷ୍ଟି ହୋଇଛି। କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ଏଥିନେଇ ପ୍ରତିକ୍ରିୟା ପ୍ରକାଶ କରି ଅଲ୍‌ଜଜିରାକୁ ଏହାର ପ୍ରମାଣ ମାଗିଛି। ସିଏ ଏକ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ କରି କହିଛି ଯେ ଅଷ୍ଟ୍ରେଲିଆ ଖେଳାଳି ଫିକ୍ସିଂରେ ସଂପୃକ୍ତ ଥିବାର କୌଣସି ପ୍ରମାଣ ଆଇସିସି କିମ୍ବା କ୍ରିକେଟ୍‌ ଅଷ୍ଟ୍ରେଲିଆ ପାଖରେ ନାହିଁ। ସେହିଭଳି ‘କ୍ରିକେଟ୍ସ ଫିକ୍ସର୍ସ’ ପ୍ରମାଣିକ ଚିତ୍ରକୁ ମଧ୍ୟ ଆମେ ଦେଖିନାହୁଁ। ସେଥିପାଇଁ ଅଲଜଜିରାକୁ ଷ୍ଟିଙ୍ଗ୍‌ ଅପରରେସନର ମୂଳ ଭିଡିଓ ଚିତ୍ର ଦେବାକୁ ଅନୁରୋଧ କରିଛୁ। ତେବେ ଜଣେ ଅଷ୍ଟ୍ରେଲିଆ କ୍ରିକେଟର ଅର୍ଥ ନେଇ ବୁକିମାନେ କହିଥିବା ହାରରେ ରନ୍‌ କରିଥିଲେ ବୋଲି ଅଲ୍‌ଜଜିରା ତଦନ୍ତକାରୀ ଦଳ ପକ୍ଷରୁ କୁହାଯାଇଛି। ଡି’କଂପାନି ସହ କାମ କରୁଥିବା ଭାରତୀୟ ନାଗରିକ ଅନୀଲ ମୁନାଓ୍ଵର ଅଲଜଜିରା ଷ୍ଟିଙ୍ଗ୍‌ ଅପରେସନରେ ଦୁଇ ଜଣ ଅଷ୍ଟ୍ରେଲିଆ ଖେଳାଳିଙ୍କ ନାଁ ନେଇଛନ୍ତି। ହେଲେ ପ୍ରମାଣିକ ଚିତ୍ରରେ ଏହି ଦୁଇ କ୍ରିକେଟରଙ୍କ ନାଁକୁ ପ୍ରକାଶ କରାଯାଇ ନାହିଁ। ତେବେ ତା’ ପାଖରେ ଥିବା ସବୁ ସୂଚନାକୁ ଆଇସିସି ଏବଂ କ୍ରିକେଟ୍‌ ଅଷ୍ଟ୍ରେଲିଆ ସହ ବାଣ୍ଟିବ ବୋଲି ଅଲ୍‌ଜଜିରା କହିଛି।

ତଦନ୍ତରେ ସହଯୋଗ କରିବ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ
ଗଲ୍‌ ଟେଷ୍ଟ ଫିକ୍ସ ହୋଇଥିବାର ଅଭିଯୋଗ ଆସିବା ପରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ମଧ୍ୟ ଚିନ୍ତାରେ ପଡ଼ି ଯାଇଛି। ଆଇସିସିର ଯେ କୌଣସି ପ୍ରକାର ତଦନ୍ତକୁ ସହଯୋଗ କରିବ ବୋଲି ବୋର୍ଡ ରବିବାର କହିଛି। ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଆସଲେ ଡି’ ସିଲଭା କହିଛନ୍ତି ଯେ ଆମେ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ରିଚାର୍ଡସନ ଏବଂ ଦୁର୍ନୀତି ନିବାରଣକାରୀ ସଂସ୍ଥାନର ସଂପର୍କରେ ଅଛୁ। ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଫିକ୍ସକୁ ଆଦୌ ବରଦାସ୍ତ କରିବ ନାହିଁ। ଦୋଷ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବ।

ସମ୍ବନ୍ଧିତ ଖବର