ଶ୍ରଦ୍ଧାଞ୍ଜଳି, ସମୀକ୍ଷା, ଆର୍ଯ୍ୟନଙ୍କୁ ଦୂରଦର୍ଶୀ କ୍ରୀଡ଼ା ପୁରସ୍କାର

ଭୁବନେଶ୍ବର : ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ସ୍ଥାନୀୟ ଇଡକଲ୍ ଅଡିଟୋରିୟମରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଅଷ୍ଟମ ଦୂରଦର୍ଶୀ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ଗତ ଆଠ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଏହି କ୍ରୀଡ଼ା ପୁରସ୍କାର ଅନ୍ତର୍ଗତ ବିଭିନ୍ନ ଖେଳରେ ଉତ୍କର୍ଷ ଲାଭ କରିଥିବା କ୍ରୀଡ଼ାବିତ୍, କ୍ରୀଡ଼ା ପ୍ରଶିକ୍ଷକ, କ୍ରୀଡ଼ା ସଂଗଠକ ଓ କ୍ରୀଡ଼ା ସାମ୍ବାଦିକଙ୍କ ସହ ସମାଜର ବିଭିନ୍ନ ବର୍ଗରେ ସଫଳତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା। ତା’ ସହ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର (ବିଶ୍ବ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା) ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଭାରତୀୟ ଫୁଟବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ପାରା ଆଥ୍‌ଲେଟ୍ ଜୟନ୍ତୀ ବେହେରା, ଓଡ଼ିଶା ଭଲିବଲ୍ ସଂଘର ସଂପାଦକ ତଥା କିଟ୍ ବିଶ୍ବ ବିଦ୍ୟାଳୟର କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାସ, ଦେବବ୍ରତ ଭଟ୍ଟ, କ୍ରୀଡ଼ା ସାମ୍ବାଦିକା ସମୀକ୍ଷା ପଟ୍ଟନାୟକ, କ୍ରୀଡ଼ା ସଂଗଠକ ସଞ୍ଜୟ କୁମାର ନାୟକ, ସୁନୀଲ ଦାସ, ଓଡ଼ିଶା ବଲ୍ ବ୍ୟାଡମିଣ୍ଟନ୍ ସଂଘ ସଭାପତି ଷ୍ଟାଲିନ ପରିଜା, କରାଟେକା ରିତେଶ ମହାନ୍ତି, କ୍ରୀଡ଼ା ପ୍ରଶିକ୍ଷକ ଶୁଭେନ୍ଦୁ ସାମନ୍ତରାୟ, ଟେବୁଲ ଟେନିସ୍‌ ତାରକା ଶ୍ବେତପଦ୍ମା ଦଳାଇ, ହ୍ୟାଣ୍ଡବଲ୍ ଖେଳାଳି ଆର୍ଯ୍ୟନ୍ ବ୍ରାହ୍ମିନ୍, ଶକ୍ତିଉତ୍ତୋଳକ ରାକେଶ ଭୁକତା ଓ ଧାବକ ବୁଦ୍ଧାଦିତ୍ୟ ସ୍ବାଇଁ ପ୍ରମୁଖଙ୍କୁ ଦୂରଦର୍ଶୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଦୂରଦର୍ଶୀ ପତ୍ରିକାର ସଂପାଦକ ଦୁର୍ଗା ସାମନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି, ସାଂସଦ ଅମର ଶତପଥୀ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ , ରାଜ୍ୟ ଯୁବ କଲ୍ୟାଣ ପରିଷଦ ଅଧ୍ୟକ୍ଷ ବିଜୟ ନାୟକ, ଭାରତୀୟ ସଫ୍ଟ ଟେନିସ୍ ମହାସଂଘର ଯୁଗ୍ମ ସଂପାଦକ ବିକାଶ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରସନ୍ନ ବିଷୋୟୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର