ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୂତି, ରାଜ୍ୟ ସରକାରଙ୍କ ତରଫରୁ ୩ କୋଟି ଟଙ୍କାର ଚେକ୍‌ ପ୍ରଦାନ କଲେ ନବୀନ

ଭୁବନେଶ୍ୱର: ଓଡ଼ିଶାର ସୁଯୋଗ୍ୟା ଧାବିକା ଦୂତି ଚାନ୍ଦ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାବିକା ଦୂତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନବୀନ ରାଜ୍ୟ ସରକାରଙ୍କ ତରଫରୁ ୩ କୋଟି ଟଙ୍କାର ଚେକ ପ୍ରଦାନ କରିଛନ୍ତି।

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଅନୁଷ୍ଠିତ ୧୮ତମ ଏସୀୟ କ୍ରୀଡ଼ାରୁ ୨ଟି ରୌପ୍ୟ ପଦକ ଆଣି ଦୂତି ଖୁସିର ସହିତ ଓଡ଼ିଶା ଫେରିଛନ୍ତି। ଏହି ଅବସରରେ ଖେଳପ୍ରେମୀ ଓ ପ୍ରଶଂସକମାନେ ଦୂତିଙ୍କୁ ବିମାନ ବନ୍ଦରରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି। ଦୂତିଙ୍କୁ ସ୍ୱାଗତ ଜଣାଇବା ପାଇଁ କିଟ ଓ କିସ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ବିମାନ ବନ୍ଦର ପହଞ୍ଚିଥିଲେ।

ମେଜର ଧ୍ୟାନ ଚାନ୍ଦଙ୍କ ୧୧୩ତମ ଜୟନ୍ତୀ ତଥା ଭାରତର ଜାତୀୟ କ୍ରୀଡ଼ା ଦିବସ ଅବସରରେ ବୁଧବାର ଓଡ଼ିଆ ଝିଅ ଦେଶ ପାଇଁ ରୌପ୍ୟ ପଦକ ଆଣିଥିଲେ। ଏସୀୟ କ୍ରୀଡ଼ାର ମହିଳା ୨୦୦ ମିଟର ଫାଇନାଲରେ ଦୂତି ଏହି ସଫଳତାର ଅଧିକାରିଣୀ ହୋଇଥିଲେ। ଦୂତି ୨୦୦ ମିଟରକୁ ୨୩.୨୦ ସେକେଣ୍ଡରେ ଦୌଡ଼ିଥିଲେ।

ସେହିପରି ଦୂତି ଚାନ୍ଦ ୫ ଦିନ ପୂର୍ବରୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ୧୦୦ ମିଟରରେ ରୌପ୍ୟ ପଦକ ଆଣିଥିଲେ। ଏସୀୟ କ୍ରୀଡ଼ାରେ ୨ଟି ରୌପ୍ୟ ପଦକ ଜିତି ଇତିହାସ ରଚିବା ପରେ ଦୂତିଙ୍କ ନିକଟଙ୍କୁୁ ସମସ୍ତେ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି।

ସମ୍ବନ୍ଧିତ ଖବର