ନାପୋଲିରେ ଦୂତି ଚମକ

ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସ୍ବର୍ଣ୍ଣ

ଭୁବନେଶ୍ବର: ଇଟାଲିର ନାପୋଲିଠାରେ ଚାଲିଥିବା ୩୦ତମ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ଚମକ ଦେଖିବାକୁ ମିଳିଛି। ମହିଳା ୧୦୦ ମିଟର ଦୌଡ଼ରେ ଦୂତି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଦୂତି ସୋମବାରର ପ୍ରଥମ ପର୍ଯ୍ୟାୟରେ ନିଜ ହିଟ୍‌ର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଆଜି ସେମିଫାଇନାଲ୍‌ରେ ୧୧.୪୧ ସେକେଣ୍ଡ ସମୟ ସହ ହିଟ୍ ନମ୍ବର-୨ର ପ୍ରଥମ ସ୍ଥାନରେ ରହି ଫାଇନାଲ୍ ଟିକେଟ ହାସଲ କରିଥିଲେ। ଫାଇନାଲ୍ ପାଇଁ ଯେମିତି ସେ ନିଜ ସବୁ ଶକ୍ତି ସାଇତି ରଖିଥିଲେ। ମୋଟ ଉପରେ ଦ୍ବିତୀୟ ସ୍ଥାନରେ ରହି ଫାଇନାଲ୍ ଖେଳିଥିବା ଦୂତି ସେଠାରେ ୧୧.୩୨ ସେକେଣ୍ଡ ସହ ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶା ସହ ସମଗ୍ର ଭାରତ ବର୍ଷକୁ ଗୌରବାନ୍ବିତ କରିଥିଲେ। ତିନିଟି ଯାକ ପର୍ଯ୍ୟାୟରେ ସେ କ୍ରମାଗତ ଭବେ ନିଜ ଟାଇମିଂରେ ଉନ୍ନତି ଆଣିଥିଲେ। କିଟ୍ ବିଶ୍ବ ବିଦ୍ୟାଳୟର ପ୍ରତିନିଧିତ୍ବ କରୁଥିବା ଦୂତି ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଭାରତୀୟ ପତାକା ଧରିଥିଲେ। ୧୦୦ ସହ ଦୂତି ମଧ୍ୟ ଏହି ପ୍ରତିଯୋଗିତାର ୨୦୦ ମିଟରରେ ପ୍ରତିଦ୍ବନ୍ଦ୍ବିତା କରିବେ। ଏଣୁ ତାଙ୍କ ପାଖରେ ଯୁଗଳ ସ୍ବର୍ଣ୍ଣ ଜିତିବାର ସୁଯୋଗ ରହିବ। ସ୍ବିଜରଲାଣ୍ଡର ଆଜଲା ଡେଲ୍ ପଣ୍ଟେ (୧୧.୩୩ ସେକେଣ୍ଡ) ରୌପ୍ୟ ଏବଂ ଜର୍ମାନିର ଲିସା କ୍ବାଏ (୧୧.୩୯ ସେକେଣ୍ଡ) କାଂସ୍ୟ ପଦକ ହାସଲ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତା‌ ପାଇଁ ନାପୋଲି ଯାଇଥିବା ଭାରତୀୟ ଦଳରେ ଦୂତି ଏକମାତ୍ର ଓଡ଼ିଆ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ତେବେ କିଟ୍ ବିଶ୍ବବିଦ୍ୟାଳୟର କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାସ, ସହକାରୀ କ୍ରୀଡ଼ା ନିର୍ଦେଶକ ରୁଦ୍ରକେଶ ଜେନା ଏବଂ ଦୌଡ଼କୁଦ ପ୍ରଶିକ୍ଷକ ସଞ୍ଜୟ ଗଡ଼ନାୟକ ଉପ ଚିଫ୍ ଡି’ ମିଶନ, ଅଧିକାରୀ ଏବଂ ଦୌଡ଼କୁଦ ଦଳର ମୁଖ୍ୟ ଭାବେ ନାପୋଲି ଯାଇଛନ୍ତି।

ସମ୍ବନ୍ଧିତ ଖବର