ଛକା ବର୍ଷାରେ ବୁଡ଼ିଲା ଭାରତ, ଭାରତ ବିପକ୍ଷରେ ଇଂଲଣ୍ଡର ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ: ଶୃଙ୍ଖଳା ୧-୧ ସ୍ଥିତିରେ

ପୁଣେ : ଛକା ଲଢ଼େଇରେ ଇଂଲଣ୍ଡ (୨୦-୧୪) ବିଜେତା ହୋଇଛି। ପ୍ରଥମ ଦିନିକିଆ ପରାଜୟର ମଧୁର ପ୍ରତିଶୋଧ ନେଇ ଭ୍ରମଣକାରୀ ଦଳ ଶୃଙ୍ଖଳାକୁ ୧-୧ ସ୍ତରକୁ ନେଇଆସିଛି। ଶୁକ୍ରବାର ଦ୍ବିତୀୟ ଦିନିକିଆରେ ଭାରତକୁ ଇଂଲଣ୍ଡ ଶୋଚନୀୟ ଭାବେ ୬ ୱିକେଟରେ ପରାସ୍ତ କରିଛି। କେଏଲ୍‌ ରାହୁଲଙ୍କ ପଞ୍ଚମ ଦିନିକିଆ ଶତକକୁ ଫିକା ପକାଇ ଜାସନ୍‌ ରୟ, ଜନି ବେୟାରଷ୍ଟୋ, ବେନ୍‌ ‌ଷ୍ଟୋକ୍ସ ମ୍ୟାଚ୍‌କୁ ଏକତରଫା କରି ଦେଇଥିଲେ। ଫଳରେ ରବିବାର ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ହେବାକୁ ଯାଉଛି। ଶୁକ୍ରବାର ମଧ୍ୟ ଭାରତ ବିପକ୍ଷରେ ଇଂଲଣ୍ଡ ସର୍ବୋଚ୍ଚ ସଫଳ ପଶ୍ଚାତଧାବନର କୀର୍ତ୍ତିମାନ କରିଛି। ପୂର୍ବରୁ ଭାରତ ବିପକ୍ଷରେ ଇଂଲଣ୍ଡ ପଛ ବ୍ୟାଟିଂ ବେଳେ ସର୍ବାଧିକ ୨୬୬ ରନ୍‌ କରି ଜିତିଥିଲା।

ପ୍ରଥମ ଦିନିକିଆ ଭଳି ଭାରତ ଶୁକ୍ରବାର ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିଲା। ଶିଖର ଧାୱନ ଏବଂ ରୋହିତ ଶର୍ମା ସଅଳ ଆଉଟ୍ ହୋଇଯିବାରୁ ଭାରତ ନବମ ଓଭର ବେଳକୁ ୩୭/୨ରେ ସଂଘର୍ଷ କରିଥିଲା। ବିରାଟ କୋହଲି ଏବଂ କେଏଲ୍ ରାହୁଲ୍‌ ରକ୍ଷଣାତ୍ମକ ଖେଳିବାରୁ ଭାରତ ୨୩ ଓଭରରେ ୧୦୦ ରନ୍‌ ପୂର୍ଣ୍ଣ କରିଥିଲା। ଉଭୟ ଅବଶ୍ୟ ତୃତୀୟ ୱିକେଟ୍‌ ଭାଗୀଦାରିରେ ୧୨୧ ରନ୍‌ ଯୋଡ଼ି ସ୍ଥିତିରେ ପରିବର୍ତନ କରିଥିଲେ। କୋହଲି ଚଳିତ ସୀମିତ ଓଭର ଶୃଙ୍ଖଳାରେ ପଞ୍ଚମ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଶତକ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲେ। କେଏଲ୍ ରାହୁଲ କିନ୍ତୁ ଜମିଯିବା ପରେ ତାଙ୍କ ପଞ୍ଚମ ଦିନିକିଆ ଶତକ (୧୦୮, ୧୧୪ ବଲ୍‌) ହାସଲ କରିନେଇଥିଲେ। ଋଷଭ ପନ୍ତଙ୍କ ସହ ମିଶି ରାହୁଲ ଆଉ ଏକ ଶତକୀୟ ଭାଗୀଦାରି ( ୧୧୩ ରନ୍‌) କରିଥିଲେ। ଶେଷ ଭାଗରେ ପନ୍ତ୍‌ଙ୍କ ଛକା ବର୍ଷା ପାଳି (୭୭, ୪୦ ବଲ୍‌, ୩ ଚୌକା, ୭ ଛକା) ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ଉପଯୋଗୀ ୩୫ ରନ୍ (୧୬ ବଲ୍‌) କାରଣରୁ ଭାରତ ୩୩୬ ରନ୍‌ କରିନେଇଥିଲା।

ଜବାବରେ ବିଶ୍ବକପ୍‌ ବିଜେତା ଇଂଲଣ୍ଡ କିନ୍ତୁ ଅନାୟାସରେ ୬ ୱିକେଟ୍‌ ଏବଂ ୩୯ ବଲ୍ ହାତରେ ଥାଇ ଜିତିଥିଲା। ଦଳର ବିଜୟରେ ମୁଖ୍ୟ କର୍ଣ୍ଣଧାର ସାଜିଥିଲେ ଜନି ବେୟାରଷ୍ଟୋ (୧୨୪, ୧୧୨ ବଲ୍‌, ୧୧ ଚୌକା, ୭ ଛକା) ଏବଂ ବେନ୍ ଷ୍ଟୋକ୍ସ (୯୯, ୫୨ ବଲ୍‌, ୪ ଚୌକା, ୧୦ ଛକା)। ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରି ମ୍ୟାଚ୍‌କୁ ଅଧିକାଂଶ ସମୟ ୧୦ ଓଭର ବ୍ୟବଧାନରେ ରଖିଥିଲେ। ବେୟାରଷ୍ଟୋ ଦୁଇଟି ଶତକୀୟ ଭଗୀଦାରିରେ ଅଂଶବିଶେଷ ରହିଥିଲେ। ପ୍ରଥମ ୱିକେଟ୍‌ ପାଇଁ ଜାସନ୍ ରୟଙ୍କୁ ନେଇ ୧୧୦ ଏବଂ ଦ୍ବିତୀୟ ୱିକେଟ୍ ପାଇଁ ବେନ୍ ‌‌ଷ୍ଟୋକ୍ସଙ୍କ ସହ ୧୭୫ ରନ୍‌ ଯୋଡ଼ିବା ଭାରତକୁ ତଳିତଳାନ୍ତ କରି ଦେଇଥିଲା। ପ୍ରସିଦ୍ଧ କୃଷ୍ଣ (୧୦-୦-୫୮-୨)ଙ୍କୁ ଛାଡ଼ି ଦେଲେ ଅନ୍ୟ ସବୁ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। କୁଲଦୀପ ଯାଦବ ସର୍ବାଧିକ ୮୪ ରନ୍‌ ଏବଂ କ୍ରୁନାଲ ୭୨ ରନ୍ ବ୍ୟୟ କରିବା ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲା। ଭାରତ ବ୍ୟାଟିଂ ବେଳେ ଶେଷ ୧୦ ଓଭରରୁ ୧୨୬ ରନ୍‌ ଯୋଡ଼ି ଚମତ୍କାର ପ୍ରତ୍ୟାବର୍ତନ କରିଥିଲା। ଇଂଲଣ୍ଡ କିନ୍ତୁ ୩୧ରୁ ୩୫ ଓଭର ଭିତରେ ୮୭ ରନ୍‌ ଯୋଡ଼ି ମ୍ୟାଚ୍‌କୁ ଏକତରଫା କରି ଦେଇଥିଲା। ଭାରତ ପାଳିରେ ୧୪ ଛକା ଓ ଇଂଲଣ୍ଡର ୨୦ ଛକା ଫଳାଫଳରେ ବଡ଼ ଫରକ ଆଣିଥିଲା। ବେୟାରଷ୍ଟୋ ହିଁ ଶୁକ୍ରବାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

କୋହଲିଙ୍କୁ ନବମ ଥର ଆଉଟ୍‌ କଲେ ରସିଦ୍
ଇଂଲଣ୍ଡ ସ୍ପିନର ଆଦିଲ ରସିଦ୍‌ ଆନ୍ତର୍ଜାତିକ କ୍ରିକେଟ୍‌ରେ ବିରାଟ କୋହଲିଙ୍କୁ ନବମ ଥର ପାଇଁ ଆଉଟ୍‌ କରିଛନ୍ତି। ଏଭଳି କରିବାରେ ସେ ଦ୍ବିତୀୟ ସର୍ବାଧିକ ସଫଳ ବୋଲର ହୋଇଛନ୍ତି। କୋହଲିଙ୍କୁ ସର୍ବାଧିକ ଥର ଆଉଟ୍‌ କରିବାର କୀର୍ତ୍ତିମାନ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟିମ୍‌ ସାଉଦିଙ୍କ ନାମରେ ରହିଛି। ସେ ୧୦ ଥର କୋହଲିଙ୍କୁ ଶିକାର କରିଥିଲା ବେଳେ ପୂର୍ବତନ ଇଂଲଣ୍ଡ ସ୍ପିନର ଗ୍ରେମ୍‌ ସ୍ବାନ୍‌ ଓ ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ ଉଭୟେ ୮ ଥର ଲେଖାଏଁ ଆଉଟ୍‌ କରି ସାଉଦି ଓ ରସିଦ୍‌ଙ୍କ ପଛକୁ ରହିଛନ୍ତି।

ବିରାଟଙ୍କ ମାଇଲଖୁଣ୍ଟ
ବିରାଟ କୋହଲି ଶୁକ୍ରବାର ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଦିନିକିଆ ଆନ୍ତର୍ଜାତିକରେ ୩ ନମ୍ବରରେ ବ୍ୟାଟିଂ କରି କୋହଲି ୧୦,୦୦୦ ରନ୍‌ ପୂରଣ କରିଛନ୍ତି। ଏକ୍ଷେତ୍ରରେ ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ପ‌ରେ ଦ୍ବିତୀୟ ବ୍ୟାଟ୍‌ସମ୍ୟାନ୍‌ ବିବେଚିତ ହୋଇଛନ୍ତି। ୩୩୦ ମ୍ୟାଚ୍‌ରୁ ୧୨,୬୬୨ ରନ୍‌ କରି ପଣ୍ଟିଂ ଏହି କୀର୍ତ୍ତିମାନ ତାଲିକାର ଶୀର୍ଷରେ ରହିଥିଲା ବେଳେ ୧୯୦ ମ୍ୟାଚ୍‌ ଖେଳିଥିବା କୋହଲି ୧୦,୦୦୦ ରନ୍‌ ଅତିକ୍ରମ କରିଛନ୍ତି।

ବଲ୍‌ରେ ଲାଳ ଲଗାଇ ଧରାପଡ଼ିଲେ ‌‌ଷ୍ଟୋକ୍ସ
ଶୁକ୍ରବାର ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ବେଳେ ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ବଲ୍‌ରେ ଲାଳ ଲଗାଇ ଧରା ପଡ଼ିଥିଲେ। ଇଂଲଣ୍ଡ ବୋଲିଂର ଚତୁର୍ଥ ଓଭରରେ ଏହି ଘଟଣା ଘଟିଥିଲା। ଷ୍ଟୋକ୍ସ ବଲ୍‌ରେ ଲାଳ ଲଗାଇଥିବା ଦେଖାଯାଇଥିଲା। ଏହାକୁ ନେଇ ଦୁଇ ଅମ୍ପାୟାର ନିତିନ ମେନନ୍‌ ଓ ବୀରେନ୍ଦ୍ର ଶର୍ମା ଇଂଲଣ୍ଡ ଅଧିନାୟକ ଜୋସ୍‌ ବଟଲର୍‌ଙ୍କୁ ଡାକି ଚେତାବନୀ ଦେଇଥିଲେ। ଅବଶ୍ୟ କାରୋନା ମହାମାରୀ ପାଇଁ ବଲ୍‌ରେ ଲାଳ ପ୍ରୟୋଗ କରିବାକୁ ଆଇସିସି ବାସନ୍ଦ କରିଥିଲା ବେଳେ ଭୁଲ୍‌ବଶତଃ ସେ ବଲ୍‌ରେ ଲାଳ ଲଗାଇ ଦେଇଥିବା ଷ୍ଟୋକ୍ସ କହିଥିଲେ। ତେଣୁ ଏସ୍‌ଓପି ଅନୁଯାୟୀ ବଲ୍‌କୁ ସାନିଟାଇଜ୍‌ କରାଯାଇଥିଲା। ସଂଯୋଗବଶତଃ ସେହି ଓଭରରେ ହିଁ ଷ୍ଟୋକ୍ସ ସ୍ଲିପ୍‌ରେ ଶିଖର ଧାୱନ୍‌ଙ୍କ କ୍ୟାଚ୍‌ ନେଇଥିଲେ। ଚଳିତ ଗସ୍ତରେ ଦ୍ବିତୀୟ ଥର ପାଇଁ ଷ୍ଟୋକ୍ସ ଏପରି ଭୁଲ୍‌ କରିଥିଲେ। ପ୍ରଥମ ଥର ପାଇଁ ସେ ମଧ୍ୟ ଗତ ମାସରେ ଅହମଦାବାଦରେ ଗୋଲାପି ବଲ୍‌ ଟେ‌ଷ୍ଟ୍‌ ବେଳେ ବଲ୍‌ରେ ଲାଳ ଲଗାଇ ଧରା ପଡ଼ିଥିଲେ।

ସମ୍ବନ୍ଧିତ ଖବର