ଚେନ୍ନାଇ ଟେଷ୍ଟ : ୨୨୭ ରନରେ ଭାରତକୁ ହରାଇଲା ଇଂଲଣ୍ଡ

ଚେନ୍ନାଇ : ଚେନ୍ନାଇରେ ଅନୁଷ୍ଠିତ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ଭାରତକୁ ୨୨୭ ରନରେ ପରାଜିତ କରିଛି । ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଅମିମାଂସୀତ ହେବା ଆଡ଼କୁ ଯାଉଥିବା ମ୍ୟାଚ ଭାରତର ହାତଛଡ଼ା ହୋଇଛି । ଗତକାଲି ମ୍ୟାଚର ଚତୁର୍ଥ ଦିନରେ ୪୨୦ ରନର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ଭାରତୀୟ ଦଳର ଓପନର ରୋହିତ ଶର୍ମା ମାତ୍ର ୧୨ ରନ କରି ଆଉଟ ହୋଇଯିବା ପରେ ଦଳ ୩୯ ରନ କରିଥିବା‌ ବେଳେ ‌ସେଦିନର ଖେଳ ସମାପ୍ତ ହୋଇଥିଲା। ତେବେ ଆଜି ଭାରତର ସ୍କୋର ୧୯୨ ଥିବା ବେଳେ ଦଳର ସମସ୍ତ ଖେଳାଳି ଆଉଟ୍ ହୋଇଯାଇଥିଲେ। କ୍ୟାପଟେନ୍ ବିରାଟ୍ କୋହଲି ୭୨ ରନର ଲଢ଼ୁଆ ଇନିଂସ ଖେଳିଥିଲେ ହେଁ ତାହା ନିଷ୍ଫଳା ଯାଇଥିଲା। ଫଳରେ ୨୨୭ ରନରେ ପରାଜୟ ବରଣ କରିଥିଲା ଭାରତ।

ଆଜି ଖେଳ ଆରମ୍ଭରୁ ଇଂଲଣ୍ଡର ବୋଲରମାନେ ପ୍ରଭାବୀ ବୋଲିଂ କରି ଭାରତୀୟ ବ୍ୟାଟସମ୍ୟାନଙ୍କୁ ଅଡ଼ୁଆରେ ପକାଇ ଥିଲେ। ଫଳରେ ଅଧିନାୟକ କୋହଲି ଏବଂ ଶୁବମନ୍ ଗିଲଙ୍କ ବ୍ୟତୀତ ଆଉ କେହି କ୍ରିଜରେ ତିଷ୍ଠି ପାରି ନଥିଲେ। ଚେତେଶ୍ବର ପୂଜାରା ୧୫, ଋଷଭ ପନ୍ତ ୧୧ ଏବଂ ଶୁବମନ୍ ଗିଲ୍ ୫୦ ରନ କରି କ୍ରିଜରୁ ବିଦାୟ ନେଇଥିଲେ। ଅବଶିଷ୍ଟ ଖେଳାଳି ଦୁଇ ଅଙ୍କ ଟପି ପାରି ନଥିଲେ। ଅଜିଙ୍କ୍ୟ ରାହାଣେ, ୱାସିଂଟନ୍ ସୁନ୍ଦର ଓ ସହବାଜ୍ ନଦୀମ୍ କୌଣସି ରନ୍ ନ କରିପାରି କ୍ରିଜରୁ ବିଦାୟ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ବିନ୍ ୯, ଜସପ୍ରୀତ ବୁମରା ୪ ଏବଂ ଇଶାନ୍ତ ଶର୍ମା ୫ କରି ଅପରାଜିତ ରହିଛନ୍ତି।

ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଦଳ ଭାରତ ସହିତ ୪ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳିଥିଲା। ଇଂଲଣ୍ଡ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୫୭୮ ରନର ବିଶାଳ ସ୍କୋର କରିଥିଲା। ଏହାପରେ ଭାରତ ମାତ୍ର  ୩୩୭ ରନ କରି ଅଲଆଉଟ୍ ହୋଇଯାଇଥିଲା। ତେବେ ୨ୟ ଇନିଂସରେ ପୂର୍ବ ଭଳି  ବଡ଼ ସ୍କୋର କରି ନପାରି ୧୭୮ ରନ କରି ଇଂଲଣ୍ଡ ଅଲଆଉଟ ହୋଇଯିବା ଫଳରେ ଭାରତ ଆଗରେ ୪୨୦ ରନର ବିଜୟ ଲକ୍ଷ୍ୟ ରହିଥିଲା।

ସମ୍ବନ୍ଧିତ ଖବର