ବ୍ରଡ୍‌ଙ୍କୁ ୮ ୱିକେଟ୍‌: ଇଂଲଣ୍ଡର ବିଜୟ ସମ୍ଭାବନା

ଲକ୍ଷ୍ୟ ୩୯୯, ଇଣ୍ଡିଜ ୧୦/୨

ମ‌ା‌ଞ୍ଚେଷ୍ଟର୍ : ଇଂଲଣ୍ଡ ବିପକ୍ଷ ନିର୍ଣ୍ଣାୟକ ତୃତୀୟ ତଥା ଶେଷ ଟେଷ୍ଟ୍‌ରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ସମ୍ମୁଖରେ ୩୯୯ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଜାସନ ହୋଲଡରଙ୍କ ଦଳ ୧୦ ରନ୍‌ରେ ୨ ୱିକେଟ୍‌ ହରାଇ ପରାଜୟ ମୁହାଁ ‌େହାଇଛି। ଅନ୍ୟପକ୍ଷରେ ଇଂଲଣ୍ଡ୍‌ ଶୃଙ୍ଖଳା ବିଜୟ ଦିଗରେ ଗୋଟିଏ ପାଦ ବଢ଼ାଇ ଦେଇଛି। ପ୍ରଥମ ପାଳିରେ ୬ ଓ ଦ୍ବିତୀୟ ପାଳିର ୨ ୱିକେଟ୍ ନେଇ ଷ୍ଟୁଆର୍ଟ ବ୍ରଡ୍ ବିଜୟ ବାଟ ଫିଟାଇଛନ୍ତି। ପ୍ରଥମ ପାଳିରେ ଇଂଲଣ୍ଡର ୩୬୯ ରନ୍ ଜବାବରେ ୱେଷ୍ଟଇଣ୍ଡିଜ୍ ମାତ୍ର ୧୯୭ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଏହା ପରେ ଇଂଲଣ୍ଡ ନିଜ ଦ୍ବିତୀୟ ପାଳିକୁ ୨୨୬/୨ରେ ଘୋଷଣା କରିଦେଇଥିଲା।

ରବିବାର ତୃତୀୟ ଦିନ ସକାଳେ ୱେଷ୍ଟଇଣ୍ଡିଜ୍‌ ଏହାର ପୂର୍ବଦିନର ସ୍କୋର୍‌ ୧୬୭/୬ରୁ ଖେଳିଥିଲା। ୧୧ ଓଭର ପରେ କିନ୍ତୁ ମାତ୍ର ୧୯ ରନ୍ ଭିତରେ ଏହି ଦଳ ନିଜର‌ ଶେଷ ୪ ୱିକେଟ୍‌ ହରାଇ ଦେଇଥିଲା। ଏହ‌ି ସମସ୍ତ ୪ ୱିକେଟ୍‌କୁ ପୂର୍ବଦିନ ବ୍ୟାଟିଂ କମାଲ୍ ଦେଖାଇଥିବା ଷ୍ଟୁଆର୍ଟ ବ୍ରଡ୍‌ ଦଖଲ କରିଥିଲେ। ଅଧିନାୟକ ଜାସନ୍‌ ହୋଲଡର (୪୬, ୮୨ ବଲ୍‌)ଙ୍କୁ ଆଉଟ୍ କରିବା ପରେ ଶେଷ ୩ ୱିକେଟ୍‌କୁ‌ ସେ ମାତ୍ର ୧୧ ବଲ୍‌ ଭିତରେ ଦଖଲ କରିଥିଲେ। ସନ୍‌ ଡାଓରିଚ୍ (୩୭, ୬୩ ବଲ୍‌)ଙ୍କୁ କ୍ରିସ୍ ୱକ୍ସଙ୍କ ହାତରେ କ୍ୟାଚ୍‌ କରାଇ ବ୍ରଡ୍ ଇଣ୍ଡିଜ୍ ପାଳିକୁ ୧୯୭ ରନ୍‌ରେ ଶେଷ କରିଥିଲେ। ଏଥିସହ ପାଳିର ପ୍ରଥମ ଓ ଶେଷ ୱିକେଟ୍ ସହ ସେ ୧୪-୪-୩୧-୬‌ ବୋଲିଂ ଚିତ୍ର ପାଇଥିଲେ। ବ୍ରଡଙ୍କ ଏହା ଖେଳ ଜୀବନର ୧୮ତମ ୫ ୱିକେଟ୍ ସଫଳତା ହୋଇଥିଲା। ଏଥି ସହିତ ସେ ମଧ୍ୟ ୫୦୦ ୱିକେଟ୍‌ର ନିକଟତର ହୋଇଛନ୍ତି। ବ୍ରଡ୍ ଆଉ ମାତ୍ର ଗୋଟିଏ ୱିକେଟ୍ ପାଇଲେ ଏହି ମାଇଲଖୁଣ୍ଟ ଛୁଇଁବାରେ ଦ୍ବିତୀୟ ଇଂଲିସ୍ କ୍ରିକେଟର୍ ଓ ବିଶ୍ବର ସପ୍ତମ ଖେଳାଳି ହେବେ।

ପ୍ରଥମ ପାଳିରେ ୧୭୨ ରନ୍ ଅଗ୍ରଣୀ ରହିଥିବା ଇଂଲଣ୍ଡ ପାଇଁ ଦ୍ବିତୀୟ ପାଳିରେ ପ୍ରାରମ୍ଭିକ‌ ଯୋଡ଼ି ରୋରି ବର୍ନସ (୯୦) ଏବଂ ଡୋମିିନିକ୍ ଶିବଲେ (୫୬) ୧୧୪ ରନ୍ ଉଠାଇଥିଲେ। ଅଧିନାୟକ ଜୋ ରୁଟ୍‌ (୬୮*) ଏବଂ ବର୍ନସ ମିଶି ଆଉ ଏକ ଶତକୀୟ (୧୧୨) ଭାଗୀଦାରି କରିଥିଲେ। ବର୍ନସ(୯୦)ଙ୍କୁ ରସ୍ତନ ଚେଜ୍‌ ଶତକରୁ ବଞ୍ଚିତ ରଖିଥିଲେ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୩୬୯ (ଓଲି ପୋପ୍‌-୯୧, କେମାର ରୋଚ୍‌-୪/୭୨)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୧୯୭ (ଜାସନ୍ ହୋଲଡର-୪୬, ସନ୍ ଡାଓରିଚ୍‌-୩୭, ଷ୍ଟୁଆର୍ଟ ବ୍ରଡ୍‌-୬/୩୧, ‌ଜେମ୍ସ ଆଣ୍ଡରସନ୍‌-୨/୨୮, କ୍ରିସ୍‌ ୱକ୍ସ-୧/୫୭, ଜୋର୍ଫା ଆର୍ଚର-୧/୭୨)। ଇଂଲଣ୍ଡ ଦ୍ବିତୀୟ ପାଳି: ୫୮ ଓଭରରେ ୨୨୬/୨, ଘୋଷଣା (ରୋରି ବର୍ନସ-୯୦, ଡୋମିନିକ୍ ଶିବଲେ-୫୬, ‌ଜୋ ରୁଟ୍‌-୬୮*, ଜାସନ୍ ହୋଲଡର୍‌-୧/୨୪, ରସ୍ତନ୍ ଚେଜ୍‌-୧/୬୮)। ୱେଷ୍ଟଇଣ୍ଡିଜ୍‌ ଦ୍ବିତୀୟ ପାଳି: ୬ ଓଭରରେ ୧୦/୨ (କ୍ରେଗ୍‌ ବ୍ରାଥ୍‌ୱେଟ୍‌-୨*, ସାଇ ହୋପ୍‌-୪*, ଷ୍ଟୁଆର୍ଟ ବ୍ରଡ୍‌-୨/୮)।

୨୦୦୦ ରନ୍ ଓ ୧୦୦ ୱିକେଟ୍ ନେବାରେ ହୋଲ୍ଡର ତୃତୀୟ ଇଣ୍ଡିଜ୍ କ୍ରିକେଟର
ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜାସନ ହୋଲ୍ଡର ରବିବାର ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁଛନ୍ତି। ମାଞ୍ଚେଷ୍ଟର ମୁକାବିଲାର ପ୍ରଥମ ପାଳିରେ ୪୬ ରନ୍ କରି ଟେଷ୍ଟ୍ କ୍ରିକେଟ୍‌ରେ ସେ ୱେଷ୍ଟଇଣ୍ଡିଜ୍‌ର ତୃତୀୟ ଖେଳାଳି ଭାବେ ୧୦୦ ୱିକେଟ୍ ଓ ୨୦୦୦ ରନ୍ ପୂରଣ କରିଛନ୍ତି। ୨୮ ବର୍ଷୀୟ ହୋଲ୍ଡର ଗତବର୍ଷ ସେପ୍ଟେମ୍ବର ମାସରେ ଭାରତର ହନୁମା ବିହାରୀଙ୍କୁ ଆଉଟ୍ କରି ଟେଷ୍ଟ୍ କ୍ରିକେଟ୍‌ରେ ଶତକୀୟ ୱିକେଟ୍ ପାଇଥିଲେ। ଏହି ସଫଳତା ସେ ନିଜ ୪୮ତମ ଟେଷ୍ଟ୍‌ରେ ହାସଲ କରିଥିଲେ। ସେପଟେ ରବିବାର ଇଣ୍ଡିଜ୍ ପାଳିର ୫୯ତମ ଓଭରରେ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ବଲ୍‌ରୁ ଦୁଇ ରନ୍ ନେଇ ୨,୦୦୦ ଟେଷ୍ଟ୍ ରନ୍ ଛୁଇଁଥିଲେ। ତେବେ ଏହାର ଠିକ୍ ପର ବଲ୍‌ରେ ବ୍ରଡ୍ ତାଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରି ଦେଇଥିଲେ। ଫଳରେ ମାତ୍ର ୪ ରନ୍ ପାଇଁ ହୋଲ୍ଡର ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ତାଙ୍କ ପୂର୍ବରୁ କେବଳ ଗ୍ୟାରି ସୋବର୍ସ (୮୦୩୨ ରନ୍, ୨୩୫ ୱିକେଟ୍) ଓ କାର୍ଲ ହୁପର (୫୭୬୨ ରନ୍, ୧୧୪ ୱିକେଟ୍) ୱେଷ୍ଟଇଣ୍ଡିଜ୍ ପାଇଁ ଟେଷ୍ଟ୍‌ରେ ୧୦୦ ୱିକେଟ୍ ନେବା ସହ ୨୦୦୦ ରନ୍ ପୂରଣର ଯୁଗଳ ସଫଳତା ପାଇଥିଲେ।

ଇଣ୍ଡିଜ୍ ବିପକ୍ଷରେ ଆଣ୍ଡରସନ ଇଂଲଣ୍ଡର ସର୍ବାଧିକ ୱିକେଟ୍ ହାସଲକାରୀ
ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଶେଷ ଟେଷ୍ଟ୍‌ରେ ଇଂଲଣ୍ଡର ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ ଆଉ ଏକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଶନିବାର ଏହି ମ୍ୟାଚ୍‌ର ଦ୍ବିତୀୟ ଦିନରେ ‌ସେ ଇଂଲଣ୍ଡ ପକ୍ଷରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସର୍ବାଧିକ ୱିକେଟ୍ ନେବାର ଅନନ୍ୟ ସଫଳତା ପାଇଥିଲେ। ଚା’ ପାନ ବିରତିର ଉଭୟ ପାର୍ଶ୍ବରେ ଇଣ୍ଡିଜ୍ ମଧ୍ୟକ୍ରମ ତାରକା ସାଇ ହୋପ୍ ଓ ସମାରା ବ୍ରୁକ୍ସଙ୍କୁ ଆଉଟ୍ କରି ୩୭ ବର୍ଷୀୟ ଆଣ୍ଡରସନ୍ ନୂଆ ଇତିହାସ ଲେଖିଥିଲେ। ହୋପ୍ ଓ ବ୍ରୁକ୍ସ ଏକାଭଳିଆ ଇଂଲଣ୍ଡ ୱିକେଟ୍ ରକ୍ଷକ ଜୋସ୍ ବଟଲରଙ୍କୁ କ୍ୟାଚ୍ ଦେଇ ଆଣ୍ଡରସନଙ୍କୁ କୀର୍ତ୍ତିମାନ କରିବାର ସୁଯୋଗ ଦେଇଥିଲେ। ଏହି ଘଟଣା ଇଣ୍ଡିଜ୍ ପ୍ରଥମ ପାଳିର ୨୪ ଓ ୨୬ତମ ଓଭରରେ ଘଟିଥିଲା। ଆଣ୍ଡରସନ୍ (୮୭ ୱିକେଟ୍) ଏହି କ୍ରମରେ ଇଂଲଣ୍ଡର ପୂର୍ବତନ ବୋଲର ଫ୍ରେଡ୍ ଟ୍ରୁମ୍ୟାନ୍ (୮୬ ୱିକେଟ୍)ଙ୍କୁ ଟପିଥିଲେ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ମୋଟ ଉପରେ ସର୍ବାଧିକ ୱିକେଟ୍ ନେବାରେ ସେ କିନ୍ତୁ ତୃତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟା‌ଗ୍ରା ୧୧୦ ୱିକେଟ୍ ନେଇ ଏକ୍ଷେତ୍ରରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ଭାରତର କିଂବଦନ୍ତି ଅଧିନାୟକ କପିଳ ଦେବ ୮୯ ୱି‌କେଟ୍ ନେଇ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଆଣ୍ଡରସନ୍ କିନ୍ତୁ ଏହି ସଫଳତା ପରେ ପାଞ୍ଚଟି ଭିନ୍ନ ଭିନ୍ନ ପ୍ରତିପକ୍ଷ ଯଥା ଭାରତ (୧୧୦ ୱିକେଟ୍), ଦକ୍ଷିଣ ଆଫ୍ରିକା (୯୩ ୱିକେଟ୍), ୱେଷ୍ଟଇଣ୍ଡିଜ୍ (୮୭ ୱିକେଟ୍), ପାକିସ୍ତାନ (୬୩ ୱିକେଟ୍) ଓ ଶ୍ରୀଲଙ୍କା (୫୨ ୱିକେଟ୍) ବିପକ୍ଷରେ ନିଜ ଦେଶ ପକ୍ଷରୁ ସର୍ବାଧିକ ୱିକେଟ୍‌ ନେବାର ଗୌରବ ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର