ଶେଷରେ ଭାରତୀୟ ହକି ଖେଳାଳି ଘରକୁ ଫେରିଲେ

୪ ସପ୍ତାହ ଛୁଟି ମିଳିଲା; ଜୁଲାଇ ୧୯ରେ ପୁଣି ଏକାଠି ହେବେ

ବେଙ୍ଗାଲୁରୁ: କରୋନା ମହାମାରୀ ସଂକଟଜନକ ସ୍ଥିତି ଯୋଗୁଁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଦକ୍ଷିଣ କେନ୍ଦ୍ରରେ ଅଟକି ରହିଥିବା ଭାରତୀୟ ହକି ଖେଳାଳିମାନେ ଶେଷରେ ଘରକୁ ଫେରିବାର ବାଟ ଫିଟିଛି। ଉଭୟ ପୁରୁଷ ଓ ମହିଳା ଦଳର ସମ୍ଭାବ୍ୟ ଖେଳାଳିମାନଙ୍କୁ ଏବେ ନିଜ ନିଜ ଘରକୁ ଫେରିବା ପାଇଁ ପ୍ରାୟ ଗୋଟିଏ ମାସ (୪ ସପ୍ତାହ)ର ଛୁଟି ମଞ୍ଜୁର ହୋଇଛି। ବୁଧବାର ଛୁଟି ମଞ୍ଜୁର ହୋଇଥିଲା ବେଳେ ଶୁକ୍ରବାରଠାରୁ ଦଫା ଦଫା ହୋଇ ଘରବାହୁଡା କରିଛନ୍ତି। ନିକଟରେ କୌଣସି ଆନ୍ତର୍ଜାତିକ ପ୍ରତିଯୋଗିତା ନଥିବାରୁ ଖେଳାଳିମାନେ ଘରକୁ ଫେରିବାକୁ ଅନୁରୋଧ କରିଥିଲେ। ଶେଷରେ କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଏହାକୁ ଗ୍ରହଣ କରି ଅନୁମୋଦନ ଦେଇଛନ୍ତି। ହେଲେ ପୁରୁଷ ଦଳର ସହକାରୀ ଷ୍ଟାଫ୍‌ଙ୍କ ସହିତ ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍‌ ରିଡ୍‌ ଆନ୍ତର୍ଜାତିକ ଭ୍ରମଣ ଉପରେ କଟକଣା ଜାରି ରହିଥିବାରୁୁ ବେଙ୍ଗାଲୁରୁରେ ହିଁ ରହିବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍‌ ଏବଂ ବିଶ୍ଲେଷଣାତ୍ମକ ପ୍ରଶିକ୍ଷକ ଜାନେକେ ଶ୍ଚୋପ୍‌ମାନ୍‌ ନିଜ ଦେଶ ନେଦରଲାଣ୍ଡ୍‌ ଅଭିମୁୁଖେ ମୁମ୍ବାଇ ବାଟ ଦେଇ ଯାତ୍ରା କରିଥିବା କୁହାଯାଇଛି। ତେବେ ଉଭୟ ଦଳ ଜୁଲାଇ ୧୯ ତାରିଖରେ ପୁଣି ସାଇ କ୍ୟାମ୍ପସ୍‌କୁ ଫେରି ଏକତ୍ରିତ ହେବେ ବୋଲି ଜଣାଇ ଦିଆଯାଇଛି।

ସୂଚନା‌ଯୋଗ୍ୟ ଫେବ୍ରୁଆରି ୧୬ ତାରିଖରୁ ମହିଳା ଦଳର ୨୫ ଖେଳାଳି ଶିବିରରେ ରହିଥିଲା ବେଳେ ପୁରୁଷ ଖେଳାଳିମାନେ ମାର୍ଚ୍ଚ ୨ ତାରିଖରୁ ଶିବିରରେ ରହିଥିଲେ। କରୋନା ମହାମାରୀର ଭୟାବହତା ଯୋଗୁଁ ଏବଂ ସରକାର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିବାରୁ ମାର୍ଚ୍ଚ ୧୪ ତାରିଖରେ ମହିଳା ଦଳର ୭ ଜଣ ଖେଳାଳିଙ୍କୁ ଗୋଟିଏ ସପ୍ତାହ ଛୁଟି ମଞ୍ଜୁର କରାଯାଇଥିଲା। ହେଲେ ସେମାନେ କେମ୍ପେ ଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ଛୁଟି ବାତିଲ ହୋଇଯିବାରୁ ପୁନର୍ବାର ଶିବିରକୁ ଫେରିଥିଲେ। ଅନ୍ୟପକ୍ଷରେ ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍‌ ମଧ୍ୟ ଶେଷ କ୍ଷଣରେ ମନ ପରିବର୍ତନ କରି ଭାରତରେ ହିଁ ରହିଯିବାକୁ ସ୍ଥିର କରିଥିଲେ। ଆମେ ‘ସାଇ’ କ୍ୟାମ୍ପସ୍‌ରେ ବାନ୍ଧି ହୋଇ ରହିଥିଲେ ମଧ୍ୟ ଖୁବ୍‌ ଭଲ ଏବଂ ନିରାପଦରେ ଥିଲୁ। ହେଲେ କ୍ରୀଡ଼ା କାର୍ଯ୍ୟକଳାପ ବିନା ଅଧିକ ଦିନ ରହିବା କଷ୍ଟକର ହୋଇପଡ଼ିଲା। କୌଣସି ତାଲିମ ନିଆଯାଇପାରୁନଥିଲା ବେଳେ ବୁଲାବୁଲି ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା। ତେଣୁ ଆମେ ପରିବାର ସହ ରହିବାକୁ ଇଛା କରିଥିଲୁ। ଏବେ ସେହି ସୁଯୋଗ ମିଳିଯାଇଥିବାରୁ ଅତି ଆନନ୍ଦ ବୋଲି ନିଜ ନାମକୁ ଗୋପନ ରଖିବା ସର୍ତ୍ତରେ ଜଣେ ଖେଳାଳି କହିଛନ୍ତି। ଏବେ ଘରକୁ ଫେରିଥିବାରୁ ଖେଳାଳିମାନେ ମାନସିକ ଭାବେ ସବଳ ହୋଇପାରିବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର