ଅକ୍ସିଜେନ୍‌ ସପୋର୍ଟରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଅତି ଗୁରୁତର ହୋଇଯାଇଛି। କୋଭିଡ୍‌-୧୯ରେ ଆକ୍ରାନ୍ତ ଥିବା ସତ୍ୟେନ୍ଦ୍ର ଜୈନ ଏବେ ନିମୋନିଆରେ ପୀଡ଼ିତ। ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ବଢ଼ିଥିବାରୁ ଯୋଗୁଁ ସେ ଶ୍ବାସକ୍ରୀୟାରେ କଷ୍ଟ ଅନୁଭବ କରୁଛନ୍ତି। ଆଜି ସକାଳେ ଆରଜିଏସଏସଏଚ୍‌ (ରାଜୀବ ଗାନ୍ଧୀ ସୁପର୍‌ ସ୍ପେସାଲିଟି ହସ୍ପିଟାଲ୍‌)ରେ ଚିକିତ୍ସାଧୀନ ଥିବା ଜୈନଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେ ଅକ୍ସିଜେନ୍‌ ସପୋର୍ଟରେ ରହିଥିଲେ। ତେବେ ସନ୍ଧ୍ୟାରେ ପ୍ଲାଜମା ଚିକିତ୍ସା ପାଇଁ ଜୈନଙ୍କୁ ଘରୋଇ ମ୍ୟାକ୍ସ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ୫୫ ବର୍ଷୀୟ ସତ୍ୟେନ୍ଦ୍ର ଜୈନଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ, ତାଙ୍କ ଏସ୍‌ପିଓ୨ ସ୍ତର ହଠାତ୍‌ କମିଯାଇଛି। ତେଣୁ ତାଙ୍କୁ ସମ୍ପୂର୍ଣ୍ଣ ଅକ୍ସିଜେନ୍‌ ସପୋର୍ଟରେ ରଖାଯାଇଛି। ସାଧାରଣତଃ ଏସ୍‌ପିଓ ୨ ସ୍ତର ୯୫ ରହିଥାଏ କିନ୍ତୁ ଜୈନଙ୍କ ଏସ୍‌ପିଓ୨ ସ୍ତର ୮୯କୁ ଖସି ଆସିଛି। ସେ ମଧ୍ୟ ନିମୋନିଆରେ ପୀଡ଼ିତ। ତେଣୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ସତ୍ୟେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଯଦି ସୁଦ୍ଧାର ନଆସେ ତେବେ ତାଙ୍କୁ ଅନ୍ୟ କୌଣସି ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିବାପାଇଁ ବିଚାରବିମର୍ଶ କରାଯାଉଛି। ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସତ୍ୟେନ୍ଦ୍ରଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ସତ୍ୟେନ୍ଦ୍ର ଜୈନଙ୍କୁ ପ୍ଲାଜ୍‌ମା ଥେରାପି ଦିଆଯିବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର