ଚର୍ଚ୍ଚାରେ ପ୍ରଶଂସକଙ୍କ ଧୋନି ଘର

ଚେନ୍ନାଇ: ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ଏପର୍ଯ୍ୟନ୍ତ ଆଶାଜନକ ପ୍ରଦର୍ଶନ କରିପାରିନାହିଁ। ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଲୋକପ୍ରିୟତାରେ କିନ୍ତୁ ଏହାର କାଣିଚାଏ ପ୍ରଭାବ ପଡ଼ିନାହିଁ। ବିଶେଷ କରି ତାମିଲନାଡୁରେ ତାଙ୍କ ପ୍ରତି ପ୍ରଶଂସକଙ୍କ ଭଲ ପାଇବା ଓ ସମ୍ମାନ ପୂର୍ବଭଳି ଅତୁଟ ରହିଛି।

ଧୋନିଙ୍କର ଏଭଳି ଜଣେ ପାଗଳ ପ୍ରଶଂସକ ହେଉଛନ୍ତି ଚେନ୍ନାଇ ନିକଟସ୍ଥ ଅରଙ୍ଗର ଗାଁର ଗୋପୀ କୃଷ୍ଣନ୍। କେବଳ ଗୋପୀ ନୁହନ୍ତି, ତାଙ୍କ ସମଗ୍ର ପରିବାର ଧୋନିଙ୍କ ବହୁତ ବଡ଼ ପ୍ରଶଂସକ। ଧୋନିଙ୍କ ପ୍ରତି ଥିବା ଭଲ ପାଇବା‌ ଓ ସମ୍ମାନ ଦେଖାଇବାକୁ ଯାଇ କୁଡାଲୋର ଜିଲ୍ଲାର ଟିଟାକୁଡ଼ି ତାଲୁକାରେ ଥିବା ନିଜ ଘରକୁ ଗୋପୀ ସଂପୂର୍ଣ୍ଣ ଭାବେ ହଳଦିଆ ରଙ୍ଗରେ ରଙ୍ଗେଇ ଦେଇଛନ୍ତି। କାନ୍ଥ ଓ ଛାତରେ ଧୋନି ଓ ତାଙ୍କ ଜର୍ସି ନମ୍ବର ଥିବା‌ ସୁଦୃଶ୍ୟ ଚିତ୍ର ଆଙ୍କିଛନ୍ତି। ଗୋପୀଙ୍କ ବାସଗୃହର ଏହି ନୁଆ ରୂପକୁ ଚେନ୍ନାଇ ସୁପରକିଙ୍ଗ୍ସ ନିଜ ଟ୍ବିଟର ପୃଷ୍ଠାରେ ସ୍ଥାନ ଦେଇଛି। ଧୋନି ପ୍ରଶଂସକଙ୍କ ଏହି ହଳଦିଆ ରଙ୍ଗ ଘରର ଫଟୋ ପଦାକୁ ଆସିବା ପରେ ଏହାକୁ ଲକ୍ଷାଧିକ ଲାଇକ୍ ମିଳି ସାରିଲାଣି। ଗୋପୀ ଓ ତାଙ୍କ ପରିବାରକୁ ଚେନ୍ନାଇ ସୁପରକିଙ୍ଗ୍ସ ‘ସୁପରଫ୍ୟାନ୍‌’ର ଉପାଧି ଦେଇଛି।

ସମ୍ବନ୍ଧିତ ଖବର