ସଚିନଙ୍କୁ କଟାକ୍ଷ କଲେ ପ୍ରଶଂସକ

ନୂଆଦିଲ୍ଲୀ : ସରକାରଙ୍କ କୃଷି ଆଇନକୁ ପରୋକ୍ଷରେ ସମର୍ଥନ କରିଥିବାରୁ ପ୍ରଶଂସକଙ୍କ ସବୁଠୁ ପ୍ରିୟ କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କୁ କିଛି ପ୍ରଶଂସକ ନାପସନ୍ଦ କରିଛନ୍ତି। ୬ ବର୍ଷ ତଳେ ଟେନିସ୍ ତାରକା ମାରିଆ ସାରାପୋଭା କ୍ରିକେଟ୍ କିଂବଦନ୍ତି ସଚିନଙ୍କୁ ଜାଣିନାହାନ୍ତି ବୋଲି କହିବା ପରେ ଯେଉଁମାନେ ସାରାପୋଭାଙ୍କୁ ସମାଲୋଚନା କରିଥିଲେ ଏବେ ଅନୁତପ୍ତ ବୋଲି ଟ୍ବିଟ୍‌ କରିଛନ୍ତି। ୬ ବର୍ଷ ତଳର ସେହି ଖରାପ ବ୍ୟବହାର ପାଇଁ ସେମାନେ ମଧ୍ୟ ସାରାପୋଭାଙ୍କଠାରୁ କ୍ଷମା ମାଗି ନେଇଛନ୍ତି। ଏହାଦ୍ବାରା ସଚିନ ତାଙ୍କର କିଛି ପ୍ରଶଂସକଙ୍କୁ ହରାଇଛନ୍ତି। ଜଣେ ଲେଖିଛନ୍ତି ‘ସାରାପୋଭା ସଚିନଙ୍କ ସମ୍ପର୍କରେ ତୁମେ ଯାହା କହିଥିଲ ତାହା ସତ୍ୟ, ସେ ସେଭଳି ଜଣେ ବ୍ୟକ୍ତି ନୁହଁନ୍ତି ଯେ ତୁମେ ଜାଣିବା ଉଚିତ ଥିଲା’। ଅନ୍ୟ ଜଣେ ପ୍ରଶଂସକ ଲେଖିଥିଲେ ‘ମୁଁ ଦୁଃଖିତ କିଂବଦନ୍ତି, ଆମେ ସଚିନଙ୍କୁ ଜଣେ ଖେଳାଳି ଭାବେ ଜାଣିଛୁ। କିନ୍ତୁ ଜଣେ ବ୍ୟକ୍ତି ଭାବେ ତାଙ୍କୁ ଜାଣିନାହୁଁ’। ଅନ୍ୟ ଜଣେ ଲେଖିଛନ୍ତି ‘ସାରାପୋଭା ତୁମ ଭଳି ଦୂରଦୃଷ୍ଟି ଆମ ପାଖରେ ନଥିଲା’। ରାହୁଲ ଦ୍ରାବିଡ଼ ସେଦିନ ପାଳି ଘୋଷଣା କରିବା ଠିକ୍ ଥିଲା ବୋଲି ଆଉ ଜଣେ ପ୍ରଶଂସକ ଲେଖିବାରୁ ଏହା ତାଙ୍କ ଦ୍ବିଶତକରୁ ବଞ୍ଚିତ ରହିବା କଥାକୁ ମନେ ପକାଇ ଦେଇଥିଲା।

ସମ୍ବନ୍ଧିତ ଖବର