ଇଂଲଣ୍ଡ ଆତ୍ମସମର୍ପଣକୁ ନେଇ ବ୍ରିଟେନ୍‌ରେ ଆଲୋଡ଼ନ, ଚତୁର୍ଥ ଟେଷ୍ଟ୍ ପାଇଁ ସ୍ପିନ୍ ପିଚ୍ ଚାହୁନାହାନ୍ତି ପ୍ରଶଂସକ

ପିଚ୍‌କୁ ନେଇ ବି ପ୍ରଶ୍ନ କଲେ

ଲଣ୍ଡନ: ଅହମ୍ମଦାବାଦରେ ଖେଳା ଯାଇଥିବା ଗୋଲାପି ବଲ୍‌ ଟେଷ୍ଟ୍‌କୁ ଇଂଲଣ୍ଡ ମାତ୍ର ଦୁଇ ଦିନ ଭିତରେ ହାରିବା ପରେ ସେଠାକାର ଗଣମାଧ୍ୟମ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଇଂଲଣ୍ଡ ସମେତ ଆୟର୍ଲାଣ୍ଡ ଓ ସ୍କଟ୍‌ଲାଣ୍ଡର କ୍ରିକେଟ୍ ଦୁନିଆରେ ଆଲୋଡ଼ନ ସୃଷ୍ଟି ହୋଇଛି। ସେଠାକାର କେତେକ ପ୍ରତିଷ୍ଠିତ ଖବରକାଗଜ ଅଧିନାୟକ ଜୋ ରୁଟ୍ ତଥା ଦଳୀୟ ପରିଚାଳକଙ୍କ ଖେଳାଳି ଅଦଳ ବଦଳ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ସେହିଭଳି ସ୍ପିନ୍ ବିପକ୍ଷରେ ଇଂଲଣ୍ଡ ଖେଳାଳିଙ୍କ ବୈଷୟିକ ବିଫଳତାକୁ କଟାକ୍ଷ କରିଛନ୍ତି। ଅନ୍ୟ କେତେକ ଲୋକପ୍ରିୟ ଗଣମାଧ୍ୟମ ମୋଟେରା ପିଚ୍‌ର ମାନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ମାଇକେଲ୍ ଭନଙ୍କ ଭଳି କିଛି ପୂର୍ବତନ ଅଧିନାୟକ ମୋଟେରା ପିଚ୍ ଟେଷ୍ଟ୍ କ୍ରିକେଟ୍ ପାଇଁ ଆଦର୍ଶ ୱିକେଟ୍ ନଥିଲା ବୋଲି ମତ ରଖିଛନ୍ତି। ‘ଦି ଗାର୍ଡିଅନ୍’ ଲେଖିଛି ଯେ ଇଂଲଣ୍ଡର ଦୁଇ ଦିନିଆ ଲଜ୍ଜାଜନକ ପରାଜୟକୁ ବ୍ୟବଚ୍ଛେଦ କଲେ କୌଣସି ସହଜ ଉତ୍ତର ମିଳିବ ନାହିଁ। ଭାରତ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଦଳ ଏତେ ଭୁଲ କରିଥିଲା ଯେ ତାକୁ ଗଣିବା ଅତ୍ୟନ୍ତ କଷ୍ଟକର। ଏହି ଖବରକାଗଜ ମଧ୍ୟ ମୋଟେରାର ପିଚ୍ ଓ ପରିବେଶକୁ ବୁଝିବାରେ ଇଂଲଣ୍ଡ ଖେଳାଳି ପୂରା ବିଫଳ ହୋଇଥିଲେ ବୋଲି କହିଛି। ‘ଦି ସନ୍’ ରୁଟ୍‌ଙ୍କ ଦଳକୁ ଅଯୋଗ୍ୟ ଅବିହିତ କରିବା ସହ ଦଳ ଚୟନନୀତିକୁ ସମାଲୋଚନା କରିଥିଲା। ଏହି ଖବରକାଗଜ ଲେଖିଥିଲା ଯେ ଅଯୋଗ୍ୟ ଇଂଲଣ୍ଡ ଜଣେ ସ୍ପିନର ଏବଂ ଚାରି ଜଣ ଏକାଦଶ ସ୍ଥାନ ବ୍ୟାଟ୍ସମ୍ୟାନ୍‌କୁ ଖେଳାଇ ଭାରତ ଦ୍ବାରା ଲଜ୍ଜିତ ହେଲା। ୱିଜ୍‌ଡନ୍ ପ୍ରକାଶ କରିଥିଲା ଯେ ଦେଶର ଟେଷ୍ଟ୍ ଇତିହାସରେ ଇଂଲିସ୍ କ୍ରିକେଟ୍ କେବେ ବି ଏଭଳି ଦୁର୍ବଳ ମନେ ହୋଇନଥିଲା।

ଚତୁର୍ଥ ଟେଷ୍ଟ୍ ପାଇଁ ସ୍ପିନ୍ ପିଚ୍ ଚାହୁନାହାନ୍ତି ପ୍ରଶଂସକ

ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ତଥା ‌ଶେଷ ଟେଷ୍ଟ୍‌ରେ ତୃତୀୟ ଟେଷ୍ଟ୍ ଭଳି ଟର୍ନିଂ ପିଚ୍ ଚାହୁଛି ବୋଲି ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିବା ଅକ୍ଷର ପଟେଲ କହିଥିଲେ। ତେବେ ପ୍ରଶଂସକ ତାଙ୍କ ସହ ଏକମତ ହେଲାଭଳି ଲାଗୁନି। ଏକ ଇଂରାଜୀ ୱେବସାଇଟ୍ ପକ୍ଷରୁ କରାଯାଇଥିବା ଗଣନାରେ ପ୍ରଶଂସକମାନେ ଏଭଳି ଅତ୍ୟନ୍ତ ଟର୍ନ ନେଉଥିବା ପିଚ୍‌କୁ ପସନ୍ଦ କରୁନଥିବା ଜଣାପଡ଼ିଛି। ଏଥିରେ ଅଂଶଗ୍ରହଣ କରିଥିବା ୧୬, ୦୦୦ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରୁ ୧୦,୩୮୬ ଚତୁର୍ଥ ଟେଷ୍ଟ୍‌ ପାଇଁ ତୃତୀୟ ଟେଷ୍ଟ୍ ଭଳି ପିଚ୍ ପ୍ରସ୍ତୁତ ନହେଉ ବୋଲି କହିଥିଲେ। ଟେଷ୍ଟ୍ ମ୍ୟାଚ୍ ଦୁଇ ଦିନ ଭିତରେ ଶେଷ ହୋଇଯିବା କଥାକୁ ମଧ୍ୟ ସେମାନେ ଗ୍ରହଣ କରିପାରିନଥିଲେ। ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ, ଅନିଲ କୁମ୍ବଲେ, ହରଭଜନ ସିଂହ ମଧ୍ୟ ମୋଟେରା ପିଚ୍‌କୁ ସମାଲୋଚନା କରିଛନ୍ତି। ମହାନ କ୍ରିକେଟର ସୁନିଲ ଗାଭାସ୍କର କିନ୍ତୁ ଭିନ୍ନ ମତ ପୋଷଣ କରିଛନ୍ତି। ରୋହିତ ଶର୍ମା ଓ ଜ୍ୟାକ୍ କ୍ରଲିଙ୍କ ଭଳି ଖେଳାଳି ଯଦି ଏହି ପିଚ୍‌ରେ ଅର୍ଦ୍ଧ ଶତକ ଅର୍ଜନ କରିପାରିଲେ, ଅନ୍ୟମାନେ କାହିଁକି ନୁହେଁ। ପିଚ୍ ଅତି ଖରାପ ଥିଲା ବୋଲି କହିବା ଠିକ୍ ନୁହେଁ ବୋଲି ମତ ରଖିଛନ୍ତି ଗାଭାସ୍କର।

ପିଚ୍‌କୁ ନେଇ ବି ପ୍ରଶ୍ନ କଲେ
‘ଦି ମିରର’ ଭଳି ଖବରକାଗଜ ମୋଟେରା ପିଚ୍‌କୁ ପସନ୍ଦ କରିନଥିଲା। ଭାରତ ଏଭଳି ପିଚ୍ ପ୍ରସ୍ତୁତ କରି ଖେଳୁଆଡ଼ ମନୋଭାବର ସୀମା ପାର କରିବା ନିକଟରେ ଥିଲା। ଏହା ଆଦୌ ଟେଷ୍ଟ୍ କ୍ରିକେଟ୍ ନଥିଲା ‌ବୋଲି ‘ଦି ମିରର’ ରିପୋର୍ଟ କରିଥିଲା। ‘ଦି ଟେଲିଗ୍ରାଫ୍‌’ର ପ୍ରସିଦ୍ଧ କ୍ରିକେଟ୍ ଲେଖକ ସିଲ୍ଡ ବେରି ନିଜ ସ୍ତମ୍ଭରେ ଲେଖିଥିଲେ, ‘‘ଅନୁପଯୁକ୍ତ ପିଚ୍ ଟେଷ୍ଟ୍ କ୍ରିକେଟ୍ ପାଇଁ ଆଦୌ ଉପକୁଳ ନଥିଲା। ଭାରତ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ର ପଏଣ୍ଟ୍‌କୁ ପରିତ୍ୟାଗ କରିବା ଉଚିତ। ଏପରିକି ନବନିର୍ମିତ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍ ଅତ୍ୟନ୍ତ ନିମ୍ନମାନର ପିଚ୍ ପ୍ରସ୍ତୁତ କରିଥିବାରୁ ଏହି ଷ୍ଟାଡିୟମ୍‌କୁ ୧୨ରୁ ୧୪ ମାସ ବାସନ୍ଦ କରିବାକୁ ଆଇସିସିକୁ ଆହ୍ବାନ କରିଥିଲେ। ତେବେ ଏହି ଷ୍ଟାଡିୟମ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ନାମିତ ହୋଇଥିବାରୁ ଆଇସିସି ଏଭଳି ସାହସ କରିବା ନେଇ ସନ୍ଦେହ ପ୍ରକଟ କରିଥିଲେ ସେ। କୋଭିଡ୍ ପାଇଁ ଏହି ମ୍ୟାଚ୍‌ରେ ଭାରତୀୟ ରେଫରି ଓ ଅମ୍ପାୟାର ଥିବାରୁ ଷ୍ଟାଡିୟମ୍‌ ବାସନ୍ଦ ହେବ ବୋଲି ଆଶା କରିବା ବୃଥା ବୋଲି ସେ ଆହୁରି ଲେଖିଥିଲେ।

ସମ୍ବନ୍ଧିତ ଖବର