ଓଡ଼ିଶାରେ ‘କ୍ରୀଡ଼ା ମହାଶକ୍ତି’ ମୂଳଦୁଆ: ଫେବ୍ରୁଆରି ୨୨ରୁ ଭୁବନେଶ୍ବରରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା

55

ଭୁବନେଶ୍ବର: ଭାରତ ଏକ ଯୁବ ଦେଶ। ବିଶ୍ବର ସବାଧିକ ଯୁବକ ଯୁବତୀ ଏଠାରେ ରହୁନ୍ତି। ତଥାପି ଆମେ କ୍ରୀଡ଼ା କ୍ଷେତ୍ରରେ ସଫଳତାର ଯେଉଁ ସ୍ତର ହାସଲ କରିବା କଥା, ଏପର୍ଯ୍ୟନ୍ତ ସେଠାରେ ପହଞ୍ଚି ପାରିନାହେଁ। ଏହାର ମୁଖ୍ୟ କାରଣ ହେଲା ଆମ ଦେଶର କ୍ରୀଡ଼ାକ୍ଷେତ୍ର ତୁଳନାତ୍ମକ ଭାବେ ଅବ୍ୟବସ୍ଥିତ। ନୀତି ଅଛି, ହେଲେ ଏହାକୁ ଅନୁସରଣ କରି ଅଲିମ୍ପିକ୍ସ ଭଳି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ପଦକ ଅର୍ଜନ କରିବାର ଆଗ୍ରହ ପ୍ରାୟ ନାହିଁ। ସେଥିପାଇଁ ସମଗ୍ର ଭାରତ ବର୍ଷରେ କ୍ରୀଡ଼ା ସଂସ୍କୃତି ସୃଷ୍ଟି କରିବା ସହ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରୀଡ଼ା ପ୍ରତିଯୋଗିତାରେ ଭାରତକୁ ଏକ ମହାଶକ୍ତି ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ନେଇ ସୋମବାର ‘ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା’ର ଶୁଭାରମ୍ଭ କରାଯାଇଛି। ଦେଶର କ୍ରୀଡ଼ା କ୍ୟାପିଟାଲ ଭୁବନେଶ୍ବରରେ ହିଁ ଏହି କ୍ରୀଡ଼ା ମହୋତ୍ସବର ପ୍ରଥମ ସଂସ୍କରଣ ଆୟୋଜିତ ହେବ। କ୍ରୀଡ଼ା ପ୍ରୋତ୍ସାହନରେ ଏକ ନମ୍ବର ରାଜ୍ୟର ମାନ୍ୟତା ଲାଭ କରିଥିବା ଓଡ଼ିଶା ଏହାର ଆୟୋଜନ କରିବ। ପୂର୍ବତଟ ରେଳବାଇ ସଭାଗୃହରେ ସୋମବାର ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ଏକଥା ଅନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ତା’ ସହ ଭାରତକୁ କ୍ରୀଡ଼ା ମହାଶକ୍ତି ଭାବେ ଗଢ଼ି ତୋଳିବାର ମୂଳଦୁଆ ଓଡ଼ିଶାରୁ ପଡ଼ିଛି। ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଦେଶର ୧୦୦ ବିଶ୍ବବିଦ୍ୟାଳୟର ୪,୦୦୦ କ୍ରୀଡ଼ା ତାରକା ୧୭ ଖେଳରେ ପ୍ରତିଦ୍ବନ୍ଦ୍ବିତା କରିବେ।

ଆଜି ଏହି ପ୍ରତିଯୋଗିତାର ଲୋଗୋ, ସୂଚୀ ଏବଂ ମାସ୍କଟ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ତୈଳ, ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନବ ସମ୍ବଳ ଓ ବିକାଶ ମନ୍ତ୍ରୀ ରମେଶ ‌ପୋଖ୍ରିଆଲ ନିଶାଙ୍କ, ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ, କେନ୍ଦ୍ର କ୍ରୀଡ଼ା ସଚିବ ରାଧେଶ୍ୟାମ ଜୁଲେନିଆ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି‌ ବେହେରା, ସାଂସଦ ତଥା କିଟ୍ ଏବଂ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ୫-ଟି ସଚିବ କାର୍ତ୍ତିକେୟନ ପାଣ୍ଡିଆନ୍, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦେଶକ ଆର, ଭିନିଲକ୍ରିଷ୍ଣା , ଦୌଡ଼ରାଣୀ ଦୂତି ଚାନ୍ଦ, ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ, ଭାରତୀୟ ଫୁଟବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଅନ୍ତର୍ଜାତୀୟ ଧାବକ ଅମିୟ ମଲ୍ଲିକ, ଭାରତୀୟ ପୁରୁଷ ହକି ଦଳର ସମସ୍ତ ସଦସ୍ୟ ଏବଂ ଓଡ଼ିଆ ହକି ତାରକା ରଶ୍ମିତା ମିଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ସାହୁ ସ୍ବାଗତ ଭାଷଣ ଦେଇଥିଲା ବେଳେ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

୧୦୦ ବିଶ୍ବବିଦ୍ୟାଳୟ, ୪,୦୦୦ ପ୍ରତିଯୋଗୀ
ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା (କେଆଇୟୁଜି) ଆସନ୍ତାମାସ ୨୨ରୁ ମାର୍ଚ ପହିଲା ପର୍ଯ୍ୟନ୍ତ କିଟ୍ ବିଶ୍ବବିଦ୍ୟାଳୟଠାରେ ଖେଳାଯିବ। ଏଥିରେ ସାରା ଦେଶର ୧୦୦ ବିଶ୍ବବିଦ୍ୟାଳୟର ବଛାବଛା ୪,୦୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଓଡ଼ିଶା ସରକାର ଏହାର ଆୟୋଜନ କିଟ୍ ବିଶ୍ବବିଦ୍ୟାଳୟ, ସାଇ (ଭାରତୀୟ କ୍ରୀଡ଼ା ପ୍ରାଧୀକରଣ), ଭାରତୀୟ ବିଶ୍ବିଦ୍ୟାଳୟ ମହାସଂଘ, ଭାରତୀୟ ଅଲିମ୍ପିକ୍ସ ସଂଘ ଓ ଜାତୀୟ କ୍ରୀଡ଼ା ସଂସ୍ଥାନ ସହଯୋଗରେ କରିବେ। ଏହି ସମ୍ମାନଜନକ ପ୍ରତିଯୋଗିତାରେ ତୀରନ୍ଦାଜି, ଦୌଡ଼କୁଦ, ବ୍ୟାଡ୍‌ମିଣ୍ଟନ୍, ବାସ୍କେଟ୍‌ବଲ୍, ମୁଷ୍ଟିଯୁଦ୍ଧ, ଫେନସିଂ, ଫୁଟବଲ୍, ହକି, ଜୁ‌ଡୋ, କବାଡ଼ି, ରଗ୍‌ବି, ସନ୍ତରଣ, ଟେବୁଲ ଟେନିସ୍, ଟେନିସ୍, ଭଲିବଲ୍, ଭାରୋତ୍ତୋଳନ ଓ କୁସ୍ତି ଭଳି ୧୭ ଖେଳରେ ପ୍ରତିଦ୍ବନ୍ଦ୍ବିତା ହେବ।

ଖେଲୋ ଇଣ୍ଡିଆରେ ସ୍ବଦେଶୀ କ୍ରୀଡ଼ା ସାମିଲ
ଭାରତକୁ ଏକ କ୍ରୀଡ଼ା ମହାଶକ୍ତି ଭାବେ ଗଢ଼ିତୋଳିବାର ଲକ୍ଷ୍ୟ ନେଇ ଚଳିତ ବର୍ଷଠାରୁ ଖେଲୋ ଇଣ୍ଡିଆ ଅଧୀନରେ ଚାରିଟି ବୃହତ୍ ଏବଂ ବହୁମୁଖୀ ଖେଳ ପ୍ରତିଯୋଗିତାର ଆୟୋଜନ ହେବ। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଏବଂ ଖେଲୋଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ା ସହ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଚଳିତ ବର୍ଷଠାରୁ ଆରମ୍ଭ ହେବ। ସେହିଭଳି ସ୍ବଦେଶୀ ଏବଂ ପାରମ୍ପରିକ ଖେଳ ସହ ଭିନ୍ନକ୍ଷମ କ୍ରୀଡ଼ାକୁ ପ୍ରୋତ୍ସାହନ କରିବା ଲାଗି ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଅଦଳବଦଳରେ ଖେଲୋ ଇଣ୍ଡିଆ ସ୍ବଦେଶୀ କ୍ରୀଡ଼ା ଏବଂ ଖେଲୋଇଣ୍ଡିଆ ଭିନ୍ନକ୍ଷମ କ୍ରୀଡ଼ା ଆୟୋଜନ ହେବ। ଅର୍ଥାତ୍ ଗୋଟିଏ ବର୍ଷ ସ୍ବଦେଶୀ କ୍ରୀଡ଼ା ଆୟୋଜନ ହେଲେ ପରବର୍ଷ ଭିନ୍ନକ୍ଷମ କ୍ରୀଡ଼ା ଖେଳା‌ଯିବ। ଭାରତ ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ବିଶ୍ବର ଶ୍ରେଷ୍ଠ ୧୦ ପଦକ ବିଜେତା ମଧ୍ୟରେ ସ୍ଥାନ ପାଇବା ଲକ୍ଷ୍ୟ ନେଇ ଏବେ ପ୍ରତିବର୍ଷ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଚାରିଟି ବଡ଼ ପ୍ରତିଯୋଗିତା ଆୟୋଜନ କରାଯାଇ ସେଥିରୁ ପ୍ରତିଭା ଚିହ୍ନଟ କରାଯିବ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ସୋମବାର ଏହା କହିଛନ୍ତି। ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଘୋଷଣା ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଶ୍ରୀ ରିଜିଜୁ ଭାରତୀୟ କ୍ରୀଡ଼ାକୁ ଦେଉଥିବା ସମର୍ଥନ ଏବଂ ସହଯୋଗ ଲାଗି ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ସେହିଭଳି ଏହି କ୍ରୀଡ଼ା ପ୍ରତିଯୋଗିତା କ୍ରୀଡ଼ାକୁ ଅନ୍ତରରୁ ଭଲ ପାଉଥିବା ଓଡ଼ିଶାରୁ ଆରମ୍ଭ ହେଉଥିବାରୁ କେନ୍ଦ୍ର ମାନବ ସମ୍ବଳ ଓ ବିକାଶ ମନ୍ତ୍ରୀ ରମେଶ ପୋଖ୍ରିଆଲ ଖୁସି ଜାହିର କରିଥିଲେ।

ଓଡ଼ିଶା ଅନ୍ୟମାନଙ୍କ ପାଇଁ ଆଦର୍ଶ: ମୁଖ୍ୟମନ୍ତ୍ରୀ
‘ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା’ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ସମ୍ମାନଜନକ କ୍ରୀଡ଼ା ପ୍ରତିଯୋଗିତାର ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ମୁଁ ବହୁତ ଖୁସି। ଭୁବନେଶ୍ବରକୁ ଆୟୋଜକ ସହରଭାବେ ବାଛିଥିବାରୁ ମୁଁ ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କୁ ଧନ୍ୟବାଦ ଦେଉଛି। ‘‌ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା’ର ଉନ୍କୋଚନ ଉତ୍ସବରେ ତିନି ଜଣ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବା ଆମ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ। ସଂପ୍ରତି ଓଡ଼ିଶା କେବଳ ବିଶ୍ବସ୍ତରୀୟ ପ୍ରତିଯୋଗିତାର ଆୟୋଜକ ନୁହେଁ ବରଂ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଅର୍ଜନ କରିଥିବା ବହୁ ଓଡ଼ିଆ କ୍ରୀଡ଼ା‌ ତାରକାଙ୍କ ପାଇଁ ସାରା ବିଶ୍ବରେ ପରିଚିତ। ଏକାଧିକ ହାଇପର୍ଫମାନ୍ସ କେନ୍ଦ୍ରର ସ୍ଥାପନ ସହ କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଓଡ଼ିଶା ଏବେ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛି। ଓଡ଼ିଶା ମଡେଲ ଏବେ ସମସ୍ତଙ୍କ ପାଇଁ ଉଦାହରଣ।

ପ୍ରତିଭା ଆମ ପୁଞ୍ଜି: ଧର୍ମେନ୍ଦ୍ର
‘ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା’ ଉନ୍ମୋଚନ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ତୈଳ, ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଏହି କ୍ରୀଡ଼ା ପ୍ରତିଯୋଗିତା ୧୦ ଦିନ ଧରି ଚାଲିବ। ନୂଆ ଧାରା ମଧ୍ୟ ସୃଷ୍ଟି ହେବ। ଆମ ରାଜ୍ୟରେ କେବଳ ହକି ନୁହେଁ ଦୌଡ଼କୁଦରେ ମଧ୍ୟ ବହୁତ ଦକ୍ଷ ଏବଂ ଭଲ ଖେଳାଳି ଅଛନ୍ତି। ଦୂତି ଚାନ୍ଦ ଏବଂ ଶ୍ରାବଣୀ ନନ୍ଦଙ୍କ ଭଳି ଖେଳାଳି ଅଲିମ୍ପିକ୍ସ ପର୍ଯ୍ୟନ୍ତ ଯାଇପାରିଛନ୍ତି। ଏଥର ବି ସେମାନେ ଭଲ କରିବେ ବୋଲି ମୋର ଆଶା ଓ ବିଶ୍ବାସ ରହିଛି। ‘ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା’ ଓଡ଼ିଶା ସହ ସମଗ୍ର ଭାରତ ବର୍ଷରେ କ୍ରୀଡ଼ାସଂସ୍କୃତି ଲାଗି ଦୃଢ଼ମୂଳଦୁଆ ପକାଇବ। ଅବ୍ୟବସ୍ଥିତ ଭାବେ ଥିବା କ୍ରୀଡ଼ା ଦୁନିଆ ରାଜ୍ୟ, କେନ୍ଦ୍ର ସରକାର ଏବଂ ବିଭିନ୍ନ ସଂଗଠନର ପୃଷ୍ଠପୋଷକତାରେ ବ୍ୟବସ୍ଥିତ ହେବ। ଓଡ଼ିଶାରେ ଅନେକ କ୍ରୀଡ଼ା ସଂଗଠନ ରହିଛି। ଗ୍ରାମାଞ୍ଚଳ, ବ୍ଲକ୍ ଉପଖଣ୍ଡ ଏବଂ ଜିଲ୍ଲାସ୍ତରରେ ଆମର ବହୁ କ୍ରୀଡ଼ା ପ୍ରତିଭା ଅଛନ୍ତି। ପୂର୍ବରୁ ଖେ‌ଲୋଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶା ଢେର ସଫଳତା ପାଇଛି। ବିଶ୍ବବିଦ୍ୟାଳୟ ସ୍ତରରେ ମଧ୍ୟ ଆମେ ସେହି ସଫଳତା ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଓଡ଼ିଶାର ଆଦିବାସୀ ଅଞ୍ଚଳରେ ବହୁତ ଲୁକାୟିତ ପ୍ରତିଭା ଅଛନ୍ତି। ସେମାନେ ହିଁ ଆମର ଅସଲ ପୁଞ୍ଜି।

ଓଲି ସହ ଜୟ-ବିଜୟ
ଓଡ଼ିଶାରେ ଆୟୋଜିତ ହେଉଥିବା ସମସ୍ତ ପ୍ରକାର କ୍ରୀଡ଼ା ପ୍ରତିଯୋଗିତାରେ ଗହିରମଥାର କୌତୁକିଆ କଇଁଚ ‘ଓଲି’କୁ ମାସ୍କଟ କରାଯାଇଛି। ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଜୟ-ବିଜୟଙ୍କୁ ତା’ ସହ ସାମିଲ କରାଯାଇଛି। ସୋମବାର ଦୁଇ ନୂ୍ଆ ମାସ୍କଟଙ୍କ ସହ କ୍ରୀଡ଼ା ମହୋତ୍ସବର ଲୋଗୋ ମଧ୍ୟ ଉନ୍ମୋଚନ ହୋଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ସୂଚୀ ଉନ୍ମୋଚନ କରିଥିଲା ବେଳେ ଧର୍ମେନ୍ଦ୍ର ପ୍ରଧାନ ଲୋଗୋ ଉନ୍ମୋଚନ କରିଥିଲେ। ସେହିଭଳି ମାସ୍କଟ ଉନ୍ମୋଚନ କେନ୍ଦ୍ରମନ୍ତ୍ରୀ ର‌ମେଶ ପୋଖ୍ରିଆଲ ଏବଂ ଜର୍ସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଥିଲେ। ଓଲି, ଜୟ ଏବଂ ବିଜୟ ମଞ୍ଚ ଉପରକୁ ଆସି ମୁଖ୍ୟମନ୍ତ୍ରୀ ତଥା ଉପସ୍ଥିତ ଅତିଥିଙ୍କ ସହ ଦର୍ଶକଙ୍କର ମନୋରଞ୍ଜନ କରିଥିଲେ।

ସମ୍ବନ୍ଧିତ ଖବର