ପ୍ରଥମ ଥର ୧୮ ବର୍ଷରୁ କମ୍‌ ସାଫ୍‌ କପ୍‌ ଜିତିଲା ଭାରତ, ଟଙ୍କ ଟେକିଲେ ଟ୍ରଫି

କାଠମାଣ୍ଡୁ/ଭୁବନେଶ୍ବର: ଭାରତୀୟ ଯୁବ ଫୁଟ୍‌ବଲ୍‌ ଦଳ ୧୮ ବର୍ଷରୁ କମ୍‌ ସାଫ୍‌ ପ୍ରତିଯୋଗିତାର ନୂଆ ବିଜେତା ହୋଇଛି। ନେପାଳର କାଠମାଣ୍ଡୁରେ ଆୟୋଜିତ ଏହି ପ୍ରତିଯୋଗିତାର ରବିବାର ଫାଇନାଲ୍‌ରେ ଭାରତ ୨-୧ ଗୋଲ୍‌ରେ ବାଂଲାଦେଶକୁ ପରାସ୍ତ କରିଥିଲା। ମ୍ୟାଚ୍‌ର ଦ୍ବିତୀୟ ମିନିଟ୍‌ରେ ବିକ୍ରମ ପ୍ରତାପ ସିଂହ ଗୋଲ୍‌ କରି ଭାରତକୁ ଅଗ୍ରଣୀ ଦେଇଥିଲେ। ହେଲେ ୩୮ ମିନିଟ୍‌ରେ ‌ବାଂଲାଦେଶର ୟାସିନ ଆରଫାତ୍‌ ଏହି ଗୋଲ୍‌ଟି ଶୁଝି ମ୍ୟାଚ୍‌ ସମାନ ସ୍ତରକୁ ଆଣିଥିଲେ। ପ୍ରଥମାର୍ଧ ୧-୧ରେ ଶେଷ ହୋଇଥିଲା। ଦ୍ବିତୀୟାର୍ଧର ଇନ୍‌ଜୁରି ଟାଇମ୍‌ରେ ରବି ବାହାଦୁର ରଣା (୯୦+୧ମିନିଟ୍‌)ଙ୍କ ଗୋଲ୍‌ ବଳରେ ଭାରତ ପ୍ରଥମ ଥର ଲାଗି ଏହି ଟ୍ରଫି ଜିତି ନେଇଥିଲା। ପୂର୍ବରୁ ଭ‌ାରତ ଏହି ପ୍ରତିଯୋଗିତା‌ର ଗତ ସଂସ୍କରଣରେ ଉପବିଜେତା ଏବଂ ୨୦୧୫ରେ କାଂସ୍ୟ ପଦକ ଜିତିଥିଲା। ଅନ୍ୟପକ୍ଷରେ ରବିବାର ଖେଳାଯାଇଥିବା କାଂସ୍ୟ ପଦକ ମୁକାବିଲାରେ ମାଳଦୀପ ୧-୦ରେ ଭୁଟାନକୁ ହରାଇଥିଲା। ଦୁଇ ଥରର ବିଜେତା ତଥା ଏଥରର ଆୟୋଜକ ନେପାଳ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ପ୍ରଥମ ଥର ପାଇଁ ଭାରତୀୟ ଦଳ ବିଜେତା ହେବାରେ ଓଡ଼ିଆ ଖେଳାଳି ଟଙ୍କଧର ବାଗଙ୍କ ଯୋଗଦାନ ରହିଛି। ଭୁବନେଶ୍ବର ଭାରତୀୟ ଯୁବ ଫୁଟ୍‌ବଲ୍ ଦଳର କେନ୍ଦ୍ରସ୍ଥଳ ହେବା ପରେ ଭାରତୀୟ ୧୬ ବର୍ଷରୁ କମ୍ ଦଳରୁ ପଦୋନ୍ନତି ପାଇ ଟଙ୍କଧର ଏଭଳି ଅପୂର୍ବ ସଫଳତା ପାଇଛନ୍ତି।

ସମ୍ବନ୍ଧିତ ଖବର