ଫେଡେରେସନ୍‌ କପ୍‌ ଶକ୍ତିଉତ୍ତୋଳନ, ଗୃହରକ୍ଷୀ ଦେବାଶିଷଙ୍କୁ ସ୍ବର୍ଣ୍ଣ

ଶେରଗଡ଼: ଦିଲ୍ଲୀରେ ଆୟୋଜିତ ଫେଡେରେସନ୍‌ କପ୍‌ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଶେରଗଡ଼ର ଦେବାଶିଷ ମହାନ୍ତି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଦେବାଶିଷ ଶେରଗଡ଼ ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟରତ ବେଳେ ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ଗତ ୧୩ ତାରିଖରେ ସେ ଓଡ଼ିଶା ଦଳ ସହ ଦିଲ୍ଲୀ ଗସ୍ତ କରିଥିଲେ। ସେ ପୁରୁଷ ବିଭାଗ ୭୪ କେଜି ବର୍ଗରେ ୨୬୫ କେଜି ସ୍କ୍ବାଟ୍, ୨୩୫ କେଜି ଡେଡ୍‌ଲିଫ୍ଟ ଓ ୧୩୦ କେଜି ବେଞ୍ଚ୍‌ପ୍ରେସ୍‌ ମୋଟ ୬୩୦ କେଜି ଶକ୍ତିଉତ୍ତୋଳନ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ଭୁବନେଶ୍ୱର ଆଥ୍‌ଲେଟିକ୍ ଜିମ୍‌ର ପ୍ରଶିକ୍ଷକ ସଞ୍ଜୟ ନାୟକ ଏବଂ ମହମ୍ମଦ ଜାଭେଦ୍‌ ଅର୍ସଦ୍‌ଙ୍କ ତାଲିମ ପଦକ ହାସଲରେ ତାଙ୍କୁ ସହାୟକ ହୋଇଥିବା ଦେବାଶିଷ ମତବ୍ୟକ୍ତ କରିଛନ୍ତି। ପୁଲିସ ବିଭାଗରେ ଚାକିରି କରୁଥିବା ବେଳେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନସରଞ୍ଜନ ମହାନ୍ତିଙ୍କ ପ୍ରେରଣା ଓ ସହାୟତା ଯୋଗୁଁ ସେ ଜାତୀୟସ୍ତରର ପ୍ରତି‌ଯୋଗିତାରେ ଅଂଶଗ୍ରହଣ ପାଇଁ ଉତ୍ସାହିତ ହୋଇଥିଲେ। ଗତବର୍ଷ କେରଳରେ ଅନୁଷ୍ଠିତ ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇ ରୌପ୍ୟ ପଦକ ହାସଲ କରିଥିଲେ। ଏଥର ଉନ୍ନତ ପ୍ରଦର୍ଶନ କରି ରୁପାକୁ ସୁନାରେ ପରିଣତ କରିବାରେ ସଫଳ ହୋଇଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଭବିଷ୍ୟତରେ ଜାତୀୟ ଦଳରେ ସାମିଲ୍‌ ହୋଇ ଦେଶ ପାଇଁ ଖେଳିବାକୁ ଲକ୍ଷ୍ୟ ରଖିଥିବା ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର