ଅନୁଗୁଳରେ ସିଟିଟିସିର ସମ୍ପ୍ରସାରଣ କେନ୍ଦ୍ର ପ୍ରତିଷ୍ଠା ହେଉ, ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ କେନ୍ଦ୍ର ଟୁଲ୍‌ ରୁମ୍ ଓ ତାଲିମ୍ କେନ୍ଦ୍ର(ସିଟିଟିସି)ର ଏକ ସମ୍ପ୍ରସାରଣ କେନ୍ଦ୍ର ଅନୁଗୁଳରେ ପ୍ରତିଷ୍ଠା କରିବାକୁ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, କ୍ଷୁଦ୍ର ଶିଳ୍ପ ପାଇଁ ପ୍ରଡକ୍ସନ, ଡିଜାଇନ୍, କନ୍ସଲଟାନ୍ସି ପ୍ରଦାନ କରିବା ନିମନ୍ତେ ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ଟୁଲ୍‌ ରୁମ୍ ଓ ଟୁଲ୍‌ ଡିଜାଇନ୍ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଭୁବନେଶ୍ବରରେ ଥିବା ସିଟିଟିସି ଦେଶର ଦଶମ ଟିଆର୍‌/ଟିଡି ମଧ୍ୟରେ ଥିବା ବେଳେ ଏହାର ସମ୍ପ୍ରସାରଣ କେନ୍ଦ୍ର ଯାଜପୁର ଓ ରାୟଗଡ଼ାରେ ରହିଛି। ଏହି କେନ୍ଦ୍ର ସ୍ଥାନୀୟ ଅଞ୍ଚଳରେ ବୈଷୟିକ ଦକ୍ଷତା ପ୍ରଦାନ କରି ମାନବ ସମ୍ବଳ ସହ ନିଯୁକ୍ତି ସୃଷ୍ଟି କରୁଛି ଯାହା କି କ୍ଷୁଦ୍ର ଶିଳ୍ପର ବିକାଶରେ ସହାୟକ ହୋଇଛି। ଓଡ଼ିଶାର ପ୍ରମୁଖ ଶିଳ୍ପ ପେଣ୍ଠସ୍ଥଳୀ ଅନୁଗୁଳରେ ଭୁବନେଶ୍ବର ସିଟିଟିସିର ସମ୍ପ୍ରସାରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବିତ ତାଲିମ କେନ୍ଦ୍ର ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତିଭିତ୍ତିକ ଜ୍ଞାନକୌଶଳ ତାଲିମ ଦେବାର ସୁବିଧା ପ୍ରଦାନ କରିବ। ଅନୁଗୁଳ ସହରରେ ଛୋଡ଼ ବଡ଼ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବା ସହ ଉଚ୍ଚମାନର ଟୁଲ୍‌ର ଡିଜାଇନ୍‌, ବିନିର୍ମାଣର ବିକାଶ କରିବା ସହ ଅନେକ କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଦେବ ବୋଲି ‌ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର