ପ୍ରଶିକ୍ଷକଙ୍କ ସହ ୬ ଖେଳାଳି ଦୁଇଟି ମ୍ୟାଚ୍‌ରୁ ବାସନ୍ଦ

ସୁପର୍‌ କପ୍‌ ଗଣ୍ଡଗୋଳ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ସୁପରକପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଗତ ଗୁରୁବାର ଖେଳାଯାଇଥିବା ତୃତୀୟ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଘଟିଥିବା ଗଣ୍ଡଗୋଳ ପାଇଁ ଜାମସେଦପୁର ଏଫ୍‌ସି ଏବଂ ଗୋଆ ଏଫ୍‌ସିର ତିନି ଜଣ ଲେଖାଏଁ ଖେଳାଳିଙ୍କ ସହ ମୋଟ ୭ ଜଣଙ୍କ ବିରୋଧରେ ସର୍ବଭାରତୀୟ ଫୁଟବଲ୍‌ ମହାସଂଘ (ଏଆଇଏଫଏଫ୍‌) ଶନିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁରୁବାର ମ୍ୟାଚ୍‌ର ମଧ୍ୟାନ୍ତର ବେଳେ ପରସ୍ପରକୁ ମାରପିଟ୍‌ କରି ଏହି ୬ ଜଣ ଖେଳାଳି ଲାଲ୍‌ କାର୍ଡ ପାଇବା ସହ ସୁପର କପ୍‌ର ପରବର୍ତୀ ମୁକାବିଲାରୁ ବାଦ୍‌ ପଡ଼ିଥିଲେ। ସେହି ଆଶୋଭନୀୟ ଆଚରଣ ଲାଗି ଏଆଇଏଫ୍‌ଏଫ୍‌ ଶୃଙ୍ଖଳା ସମିତି ତା’ ସହ ଆଜି ସେମାନଙ୍କୁ ଆଉ ଦୁଇଟି ଲେଖାଏଁ ମ୍ୟାଚ୍‌ରୁ ବାସନ୍ଦ କରିିଛି। ବାସନ୍ଦ ହୋଇଥିବା ଖେଳାଳିମାନେ ହେଲେ ସୁବ୍ରତ ପଲ୍‌, ଆନସ ଏଦାଥୋଦିକା, କର୍ଭେନ୍ସ ବେଲଫର୍ଟ (ସମସ୍ତେ ଜାମସେଦପୁରର), ବ୍ରୁନୋ ଫିଲିପ ପିନେରିଓ, ସର୍ଗିଓ ଜଷ୍ଟି ମାରିନ, ବ୍ରାଣ୍ଡନ ଫର୍ନାଣ୍ଡିସ୍‌ (ସମସ୍ତେ ଗୋଆର)। ବାସନ୍ଦାଦେଶ ବେଳେ ଏମାନେ ଦଳର ଡ୍ରେସିଂ ରୁମ୍‌, ବଦଳ ଖେଳାଳି ବସୁଥିବା ସ୍ଥାନ କିମ୍ବା ବଦଳ ଖେଳାଳି ଭାବେ ପଡ଼ିଆକୁ ଯାଇ ପାରିବେ ନାହିଁ। ଏମାନଙ୍କ ସହ ଜାମସେଦପୁରର ଗୋଲ୍‌ ରକ୍ଷକ ପ୍ରଶିକ୍ଷକ ରୋବାର୍ଟ ଆଣ୍ଡ୍ର୍ୟି ମଧ୍ୟ ସମାନ ଦଣ୍ଡ ପାଇଛନ୍ତି। ରୋବାର୍ଟ ଓ ଜାମସେଦପୁରରର ୧୫ ନମ୍ବର ଖେଳାଳି ଆନସ୍‌ ଏଦାଥୋଦିକାଙ୍କୁ ପ୍ରତିପକ୍ଷ ଖେଳାଳିଙ୍କୁ ଆକ୍ରମଣ କରିବା ଏବଂ ନିଳମ୍ବନ ଆଦେଶକୁ ନମାନି ଥିବାରୁ ୧ ଲକ୍ଷ ଟଙ୍କା ଲେଖାଏଁର ଅତିରିକ୍ତ ଆର୍ଥିକ ଜରିମାନା କରାଯାଇଛି। ଜରିମାନା ରାଶି ୭ ଦିନ ମଧ୍ୟରେ ପୈଠ କରିବାକୁ ଏଆଇଏଫଏଫ୍‌ ଉଭୟଙ୍କୁ କଡ଼ା ନିର୍ଦେଶ ଦେଇଛି।

ସମ୍ବନ୍ଧିତ ଖବର