ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି ଡ୍ର’ ଆଜି

ଭୁବନେଶ୍ବର : ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଡ୍ର’ (କେଉଁ ଦଳ କାହାକୁ ଭେଟିବ) ସୋମବାର ଅନୁଷ୍ଠିତ ହେବ। ଭାରତ ସହ ଅନ୍ୟ ୧୩ ଦଳ ଏଥିରେ ସାମିଲ ରହି‌ବେ। ଡ୍ର’ ସ୍ବିଜରଲାଣ୍ଡର ଲୁସାନେଠାରେ ଭାରତୀୟ ସମୟ ଅପରାହ୍‌ଣ ସାଢ଼େ ୪ଟାରେ କରାଯିବ। ଇଜିପ୍ଟ ଶେଷ ମୁହୂର୍ତରେ ଓହରିବା ପରେ ପରବର୍ତୀ ଶ୍ରେଷ୍ଠ ମାନ୍ୟତା ଲାଭ କରିଥିବା ଦଳ ରୁଷିଆକୁ ରବିବାର ଏଥିରେ ସାମିଲ କରାଯାଇଛି। ଉଭୟ ପୁରୁଷ ଏବଂ ମହିଳା ହକି ଯୋଗ୍ୟତା ପର୍ଯ୍ୟାୟ ଲାଗି ଏହି ଡ୍ର’ ହେବ। ପୁରୁଷରେ ଥିବା ୧୪ ଦଳକୁ ଚାରିଟି ପୁଲ୍‌ରେ ବିଭକ୍ତ କରାଯାଇଛି। ଭାରତ ପୁଲ୍‌-୧ରେ ସ୍ଥାନ ପାଇଛି। ସେଥିମଧ୍ୟରୁ ୭ ଦଳ ଯଥା ନେଦରଲାଣ୍ଡ, ଭାରତ, ଜର୍ମାନି, ଗ୍ରେଟ୍ ବ୍ରିଟେନ୍, ସ୍ପେନ୍, ନ୍ୟୁଜିଲାଣ୍ଡ, କାନାଡାକୁ ଆୟୋଜକ ଦେଶ କରାଯାଇଥିଲା ବେଳେ ମାଲେସିଆ, ଫ୍ରାନ୍ସ, ଆୟର୍ଲାଣ୍ଡ, କୋରିଆ, ପାକିସ୍ତାନ, ଅଷ୍ଟ୍ରେଲିଆ ଏବଂ ରୁଷିଆକୁ ଭ୍ରମଣକାରୀ ଦଳ ଭାବେ ରଖାଯାଇଛି। ଯୋଗ୍ୟତା ପର୍ଯ୍ୟାୟ ନିୟମ ଅନୁସାରେ ଆୟୋଜକ ‌ଦେଶ ନିଜ ଘରୋଇ ପଡ଼ିଆରେ ଯେ କୌଣସି ଭ୍ରମଣକାରୀ ଦଳ ବିପକ୍ଷରେ ଦୁଇ ଦିନରେ ଦୁଇଟି ମ୍ୟାଚ୍ ଖେଳିବ। ସର୍ବାଧିକ ପଏଣ୍ଟ ହାସଲ କରିବା ଦଳ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ। ଭାରତ ତା’ର ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳିବ। ଏହି ପ୍ରତିଯୋଗିତା ଅକ୍ଟୋବର ୨୬ରୁ ନେଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ମହିଳାରେ ଭାରତ ପୁଲ-୩ରେ ରହିଛି। ଭାରତ ସହ ଅଷ୍ଟ୍ରେଲିଆ, ଜର୍ମାନି, ଗ୍ରେଟ୍ ବ୍ରିଟେନ୍, ସ୍ପେନ୍, ଆୟର୍ଲାଣ୍ଡ, ଚୀନ ଆୟୋଜକ ଥିଲା ବେଳେ କୋରିଆ, ବେଲଜିୟମ, ଆମେରିକା, କାନାଡା, ଇଟାଲି, ଚିଲି ଓ ରୁଷିଆ ଭ୍ରମଣକାରୀ ଦେଶ ଭାବେ ଖେଳିବେ।

ସମ୍ବନ୍ଧିତ ଖବର