ଅଷ୍ଟ୍ରେଲିଆରେ ପ୍ରଥମ ଥର ପ୍ରଥମ ଟେଷ୍ଟ୍‌ ବିଜୟ

ଆଡିଲେଡ୍‌: ପ୍ରାୟ ୭୦ ବର୍ଷର କ୍ରିକେଟ୍‌ ସଂପର୍କ ମଧ୍ୟରେ ଅଷ୍ଟ୍ରେଲିଆ ଗସ୍ତରେ ଭାରତ କେବେ ବି ପ୍ରଥମ ଟେଷ୍ଟ୍‌ ଜିତିପାରିନଥିଲା। ହେଲେ ସୋମବାର ବିରାଟ ବାହିନୀ ଭାରତ ପାଇଁ ଏହି ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି। ଚଳିତ ଅଷ୍ଟ୍ରେଲିଆ ଗସ୍ତର ଆଡିଲେଡ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌କୁ ଜିତି ଭାରତ ଇତିହାସ ରଚିଛି। ମୋଟାମୋଟି ଭାବେ କୋହଲିଙ୍କ ନେତୃତ୍ବରେ ଭାରତ ୪୩ ଟେ‌ଷ୍ଟ୍‌ ଖେଳିଥିଲା ବେଳେ ୨୫ତମ ବିଜୟ ହାସଲ କରିଛି। ସେଥିମଧ୍ୟରୁ କୋହଲି ୨୦ ଥର ଟସ୍‌ ଜିତିଥିଲା ବେଳେ ୧୭ ବିଜୟ ଓ ୩ ଅମୀମାଂସିତ ପାଇଛନ୍ତି। ଭାରତୀୟ ଅଧିନାୟକ ଭାବେ କେବଳ ମହେନ୍ଦ୍ର ସିଂହ ଧୋନି ୨୭ ଟେଷ୍ଟ୍‌ ଜିତି କୋହଲିଙ୍କ ଉପରକୁ ରହିଛନ୍ତି। ଏହା ପୂର୍ବରୁ ଭାରତ ୧୧ ଥର ଅଷ୍ଟ୍ରେଲିଆ ଗସ୍ତ କରିଥିଲେ ମଧ୍ୟ ପ୍ରଥମ ଟେଷ୍ଟ୍‌ରେ ୯ ଥର ପରାଜୟ ବରଣ କରିଥିଲା ବେଳେ ୨ ଥର (ଅମୀମାଂସିତ ରଖି) ବର୍ତିଯାଇଛି। କେବଳ ସେତିକି ନୁହେଁ କୌଣସି ବି ବିଦେଶ ଗସ୍ତରେ ପ୍ରଥମ ଟେଷ୍ଟ୍‌ ଜିତିବା ଭାରତ ପାଇଁ କ୍ବଚିତ୍‌ ଦେଖାଯାଇଛି। ଏ ମଧ୍ୟରୁ ଇଂଲଣ୍ଡ୍‌ (୧୯୮୬ ଲର୍ଡସ୍‌ ଟେଷ୍ଟ୍‌), ଦକ୍ଷିଣ ଆଫ୍ରିକା (୨୦୦୬ ଜୋହାନ୍‌ସବର୍ଗ ଟେଷ୍ଟ୍‌)ରେ ଥରେ ଲେଖାଏଁ ବିଜୟ ପାଇଥିଲା ବେଳେ ୱେଷ୍ଟଇଣ୍ଡିଜ୍‌ରେ ଦୁଇ ଥର ଏବଂ ନ୍ୟୁଜିଲାଣ୍ଡ୍‌ରେ ତିନିଥର ଗୌରବ ପାଇଛି।

ସମ୍ବନ୍ଧିତ ଖବର