କୋଣାର୍କ ସୁରକ୍ଷା ମାମଲାର ଶୁଣାଣି : ହାଇକୋର୍ଟରେ ଜବାବ ରଖିଲେ ଏଏସ୍‌ଆଇ, ପୁରୀ ଜିଲ୍ଳାପାଳ

କଟକ : ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥିତି ସଂପର୍କରେ ସାନି ସତ୍ୟପାଠ ଦାଖଲ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଆବେଦନର ଶୁଣାଣି ସମୟରେ ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକ ଓ ପୁରୀ ଜିଲ୍ଲାପାଳ ଜେ.ପି.ଦାସ ସତ୍ୟପାଠ ଦାଖଲ କରିଥିଲେ।

ଏଏସଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ କୋଣାର୍କ ମନ୍ଦିର ନିୟମିତ ଭାବେ ଏଏସଆଇ ବିଶେଷଜ୍ଞ ଅନୁଧ୍ୟାନ କରୁଛନ୍ତି। ଏଥି ସହିତ ରୁର୍‌କିର ସିବିଆରଆଇ, ଆଇଆଇଟି ଖଡଗପୁର ଓ ଆଇଆଇଟି ମାଡ୍ରାସର ବିଶେଷଜ୍ଞ ଓ ବୈଜ୍ଞାନିକମାନେ ମଧ୍ୟ ସଂରକ୍ଷଣ ଓ ମରାମତି କାର୍ଯ୍ୟର ଅନୁଧ୍ୟାନ କରି ପରାମର୍ଶ ପ୍ରଦାନ କରୁଛନ୍ତି। ବର୍ତ୍ତମାନ କୋଣାର୍କର ଢାଞ୍ଚା ପ୍ରତି କୌଣସି ବିପଦ ନାହିଁ। ଏଏସଆଇ ଦ୍ବାରା ନି‌ୟୋଜିତ ରୁର୍‌କିର ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚି ଇନଷ୍ଟିଚ୍ୟୁଟ କୋଣାର୍କ ମନ୍ଦିର ଢାଞ୍ଚାର ସବିଶେଷ ଅନୁଧ୍ୟାନ ଶେଷ କରିଛି ଓ କୋଣାର୍କ ଢାଞ୍ଚା ପ୍ରତି କିଛି ପ୍ରମୁଖ ବିପଦ ଥିବା ସଂପର୍କରେ କିଛି ଅବଗତ କରି ନାହିଁ।

ଏଏସଆଇର ଏପରି ତଥ୍ୟ ଉପରେ ଆବେଦନକାରୀ ଆପତ୍ତି କରିଥିଲେ। ଏଏସଆଇ ପୁରୁଣା ରିପୋର୍ଟ ଆଧାରରେ ଏପରି କଥା କହୁଥିବା ବେଳେ ଏବେ କୋଣାର୍କ ସ୍ଥିତି ବିପଦପୂର୍ଣ୍ଣ ରହିଛି। ତେଣୁ ଏଏସଆଇ କୋଣାର୍କ ସଂପର୍କରେ ସଠିକ ତଥ୍ୟ ଦେବା ଆବଶ୍ୟକ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏଥି ସହିତ କୋଣାର୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ ସରକାରୀ ସ୍ତରରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂପର୍କିତ ରେକର୍ଡ ତଲବ କରିବା ପାଇଁ ଆବେଦନକାରୀ ନିବେଦନ କରିଥିଲେ। ଖଣ୍ଡପୀଠ ମାମଲାର ଶୁଣାଣି କରି ଡିସେମ୍ବର ୧୮ ତାରିଖ ସୁଦ୍ଧା କୋଣାର୍କର ବର୍ତ୍ତମାନର ସ୍ଥିତି, ମରାମତି ଓ ସଂରକ୍ଷଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ଯୋଜନା ସଂପର୍କରେ ବିସ୍ତୃତ ବିବରଣୀ ସତ୍ୟପାଠ ମାଧ୍ୟମରେ ଦାଖଲ ପାଇଁ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ତ୍ରିଲୋଚନ ଦାଶ ଓ ଏଏସଆଇ ତରଫରୁ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ୨୦୧୬ରେ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର କୋଣାର୍କ ମନ୍ଦିର ପରିସରରେ ପାଣି ଜମିବା ଓ ମରାମତି ପ୍ରସଂଗକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏହି ମାମଲା ବିଚାରାଧୀନ ଥିବା ବେଳେ ‘ସମ୍ବାଦ’ର ନଭେମ୍ବର ୧୫ ଓ ୨୫ ତାରିଖ ସଂସ୍କରଣରେ କୋଣାର୍କ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ସଂପର୍କରେ ଖବର ପ୍ରକାଶ ପାଇଥିଲା। କୋଣାର୍କର ସୁରକ୍ଷା ପ୍ରସଂଗକୁ ନେଇ ବିଧାନସଭାରେ ଆଲୋଚନା ହୋଇଥିବା ବେଳେ ବିଧାୟକମାନେ ଉଦବେଗ ପ୍ରକାଶ କରିଥିଲେ। ଏହା ପରେ ଆବେଦନକାରୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ଅବସ୍ଥା ଏବେ ଚିନ୍ତାଜନକ ପରିସ୍ଥିତିରେ ରହିଛି ଦର୍ଶାଇ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡି ସାନି ପିଟିସନ୍ ଦାଖଲ କରିଥିଲେ। ସେ ଦର୍ଶାଇଛନ୍ତି ଯେ କୋଣାର୍କ ସ୍ଥିତି ଏତେ ଦୁର୍ବଳ ହୋଇ ଗଲାଣି ଯେ ରିକ୍ଟର ସ୍କେଲରେ ୫ରୁ ୬ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ହେଲେ ଏହା ଭୁଶୁଡି ଯାଇ ପାରେ। ତୁରନ୍ତ ଯଦି ଉପଯୁକ୍ତ ମରାମତି ପାଇଁ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ କୋଣାର୍କ ଭୁଶୁଡି ପଡିବ। ଏଥି ସହିତ କୋଣାର୍କକୁ ଶ୍ରୀହୀନ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ନିକଟ ଅତୀତରେ ପ୍ରକାଶିତ ଖବରରୁ ସ୍ପଷ୍ଟ ହୋଇଛି। ଏଏସଆଇ ଓ ରାଜ୍ୟ ସରକାରଙ୍କ ମଧୢରେ କୌଣସି ପ୍ରକାର ସମନ୍ବୟ ନଥିବା ‌େ‌ବଳେ ଏହି ପ୍ରସ˚ଗରେ ହାଇକୋର୍ଟଙ୍କ ହସ୍ତକ୍ଷେପ ଆବଶ୍ୟକ। ଆବଶ୍ୟକ ସ୍ଥଳେ ହାଇକୋର୍ଟ ମରାମତି କାର୍ଯ୍ୟ ତଦାରଖ କରନ୍ତୁ। ପୁରୀ ମନ୍ଦିରର ମରାମତି ପାଇଁ ଯେଭଳି ଭାବେ ଆମିକସ୍ କ୍ୟୁରିଙ୍କୁ ତଦାରଖ ପାଇଁ କୁହାଯାଇଥିଲା ସେଭଳି ଭାବେ କୋଣାର୍କ ମନ୍ଦିର ମରାମତି ଓ ସଂରକ୍ଷଣ କାର୍ଯ୍ୟ ତଦାରଖ ଲାଗି ତୁରନ୍ତ ଆମିକସ୍‌ କ୍ୟୁରିଙ୍କୁ ନିଯୁକ୍ତି ଦିଆଯାଉ। ମରାମତି କାର୍ଯ୍ୟରେ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଉ। ଏଥି ସହିତ ଏକ ବିଶେଷଜ୍ଞ କମିଟି ଗଠନ କରି ସମଗ୍ର ମରାମତି କାର୍ଯ୍ୟ ଯଥା ଶୀଘ୍ର ଅଗେଇ ନିଆଯାଉ। ଏଏସଆଇ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ମିଳିତ ଭାବେ କୋଣାର୍କର ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ ଦର୍ଶାଇଥିଲେ। ମାମଲାର ଶୁଣାଣି କରି ଗତ ୨୭ ତାରିଖ ଦିନ ଜବାବ ଦାଖଲ ପାଇଁ ହାଇକୋର୍ଟ ଏଏସଆଇ ଓ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ୟୁନେସ୍କୋକୁ କୋଣାର୍କ ସଂରକ୍ଷଣ ହସ୍ତାନ୍ତର ପାଇଁ ଜନସ୍ବାର୍ଥ ମାମଲା
କୋଣାର୍କ ମନ୍ଦିର ସଂରକ୍ଷଣ ଓ ସୁରକ୍ଷା ଦାୟିତ୍ବ ୟୁନେସ୍କୋକୁ ପ୍ରଦାନ କରାଯାଉ ଦର୍ଶାଇ ହାଇକୋର୍ଟରେ ଆଉ ଏକ ଜନସ୍ବାର୍ଥ ମ‌ାମଲା ରୁଜୁ ହୋଇଛି। ପୁଣ୍ୟ ଉତ୍କଳ ଟ୍ରଷ୍ଟର ସଂଗଠନ ସଂପାଦକ ସୁଶାନ୍ତ ଓ ଓଡ଼ିଆ ପର୍ବର ପ୍ରକାଶକ ତଥା ସଂପାଦକ ସନ୍ତୋଷ କୁମାର ସାହୁଙ୍କ ପକ୍ଷରୁ ଦାୟର ଏହି ମାମଲାରେ ଦର୍ଶାଯାଇଛି ଯେ ଏଏସଆଇ ଠିକ୍ ଭାବେ କୋଣାର୍କର ସୁରକ୍ଷା କରି ପାରୁ ନାହିଁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହିତ ଏଏସଆଇକୁ ଏକ ସମନ୍ବୟ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ। ଏଥି ସହିତ କୋଣାର୍କର ସୁରକ୍ଷା ଦାୟିତ୍ବ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ୟୁନେସ୍କୋକୁ ହସ୍ତାନ୍ତର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି। ଆଇନଜୀବୀ ସିଦ୍ଧାର୍ଥ ଦାଶ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ରାଜ୍ୟ ସରକାର, କେନ୍ଦ୍ର ସରକାର, ଏଏସଆଇ ଓ ୱାର୍ଲଡ୍ ହେରିଟେଜ୍ ସେଣ୍ଟର, ୟୁନେସ୍କୋକୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର