ଜର୍ସି ଅଦଳବଦଳ କ୍ରିକେଟ୍‌ରେ ଫୁଟ୍‌ବଲ୍‌ ପରମ୍ପରା

ମୁମ୍ବାଇ: ଫୁଟ୍‌ବଲ୍‌ରେ ପ୍ରତିପକ୍ଷ ଖେଳାଳି ପରସ୍ପର ସହ ଜର୍ସି ଅଦଳବଦଳ କରିବା ଏକ ପୁରୁଣା ପରମ୍ପରା। ହେଲେ ବୁଧବାର କ୍ରିକେଟ୍‌ରେ ଏହି ଧାରା ସୃଷ୍ଟି ହୋଇ ଯାଇଛି। କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ମ୍ୟାଚ୍‌ ବେଳେ ଏହି ଦୁଇ ଦଳର ଦୁଇ ଚର୍ଚିତ ତାରକା ଲୋକେଶ ରାହୁଲ ଏବଂ ହାର୍ଦିକ ପାଣ୍ଡ୍ୟା ଉଭୟ ଉଭୟଙ୍କୁ ନିଜ ଜର୍ସି ଉପହାର ଦେଇଥିଲେ। ମ୍ୟାଚ୍‌ ଶେଷ ହେବା ପରେ ଓ୍ଵାଙ୍ଖଡେ ଷ୍ଟାଡିୟମ ଦର୍ଶକଙ୍କ ସମ୍ମୁଖରେ ରାହୁଲ ଏବଂ ପାଣ୍ଡ୍ୟା ଜର୍ସି ଅଦଳ ବଦଳ କରିଥିଲେ। ଏହି ନିଆରା ଧାରା ବିଷୟରେ ମତ ରଖିବାକୁ ଯାଇ ରାହୁଲ କହିଥିଲେ ଯେ ଫୁଟ୍‌ବଲ୍‌ରେ ଏମିତିି ହେଉଥିବା ଆମେ ଦେଖି ଆସିଛୁ। ହାର୍ଦିକ ମୋର ଭଲ ବନ୍ଧୁ। ଏଣୁ ତାଙ୍କ ଜର୍ସି ସଂଗ୍ରହ କରି କ୍ରିକେଟରେ ନୂଆ ପରମ୍ପରା ସୃଷ୍ଟି କରିବା ଏକ ଭଲ ପଦକ୍ଷେପ ହେବ ବୋଲି ମୁଁ ଭାବିଥିଲି। ଏହି ବିଷୟରେ ଆମେ ଆଗରୁ କିନ୍ତୁ କୌଣସି ଯୋଜନା କରି ନଥିଲୁ। ମ୍ୟାଚ୍‌ ଶେଷ ହେବା ପରେ କଥା ହେଉଥିଲା ବେଳେ ଜର୍ସି ଦେବାକୁ ମୁଁ ହାର୍ଦିକଙ୍କୁ କହିଥିଲି। ସେ ମଧ୍ୟ ମୋ ଜର୍ସି ନେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏମିତି କରି ଆମକୁ ବହୁତ ଭଲ ଲାଗିଥିଲା। ପାଣ୍ଡ୍ୟା ମଧ୍ୟ ଏହି ବିଷୟରେ ଟ୍ଵିଟ୍‌ କରି ନିଜ ଖୁସି ଜାହିର କରିଥିଲେ। ରାହୁଲଙ୍କୁ ପ୍ରଶଂସା କରିବା ସହ ଜଣେ ଚମତ୍କାର ଖେଳାଳି ଜବରଦସ୍ତ ପାଳି ଖେଳିଲେ ବୋଲି ଲେଖିଥିଲେ। ସେହିଭଳି ପ୍ରତିପକ୍ଷ ଖେଳାଳିଙ୍କୁ ସର୍ବଦା ସମ୍ମାନ କରିବାକୁ ସେ ସମସ୍ତଙ୍କୁ ଆହ୍ଵାନ କରିଥିଲେ।

ସମ୍ବନ୍ଧିତ ଖବର