ପଡ଼ିଆରେ ଧକ୍କା ହୋଇ ଫୁଟ୍‌ବଲର୍‌ ମୃତ

ଜାକର୍ତା: ପଡ଼ିଆ ଭିତର ଦୁର୍ଘଟଣା ପାଇଁ ପୁଣି ଜଣେ ଖେଳାଳିଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଏଥର ଶିକାର ହୋଇଛନ୍ତି ଜଣେ ଇଣ୍ଡୋନେସିଆ ଫୁଟ୍‌ବଲର୍‌ ଚୋଇରୁଲ ହୁଦା। ରବିବାର ନିଜ କ୍ଲବ୍‌ ପର୍ସିଲା ପାଇଁ ସିମେନ୍‌ ପେଦଙ୍ଗ ବିପକ୍ଷରେ ଖେଳୁଥିବାବେଳେ ନିଜ ଦଳୀୟ ସାଥୀ ବ୍ରାଜିଲୀୟ ତାରକା ରାମୋନ୍‌ ରଡ୍ରିଗେ୍ଵଜଙ୍କ ସହ ଗୁରୁତର ଭାବେ ଧକ୍କା ହୋଇଥିଲେ। ୩୮ ବର୍ଷୀୟ ଏହି ଗୋଲରକ୍ଷକଙ୍କ ଛାତିରେ ରଡ୍ରିଗେ୍ଵଜଙ୍କ ପାଦ ଲାଗି ଜୋର୍‌ରେ ଲାଗିଥିଲା। ତାଙ୍କୁ ତୁରନ୍ତ ଷ୍ଟ୍ରେଚ୍‌ରରେ ହସ୍‌ପିଟାଲ୍‌ ନିଆଯାଇଥିଲା। ଘଣ୍ଟାଏ କାଳ ପରିଶ୍ରମ କରିଥିଲେ ମଧ୍ୟ ଡାକ୍ତର ତାଙ୍କ ଜୀବନ ରକ୍ଷା କରିପାରି ନ ଥିଲେ। ଦୁଇଟି ସନ୍ତାନର ପିତା ଚୋଇରୁଲ ୧୯୯୯ ମସିହାରୁ ପର୍ସିଲା ପାଇଁ ପ୍ରତିନିଧିତ୍ୱ କରି ମୋଟ ୫୦୩ ମ୍ୟାଚ୍‌ ଖେଳିଥିଲେ। ଚୋଉରୁଲ୍‌ଙ୍କୁ ତାଙ୍କ କ୍ଲବ୍‌ ‘ଜଣେ ବାସ୍ତବ କିମ୍ବଦନ୍ତୀ’ ବୋଲି ଦର୍ଶାଇ ଶ୍ରଦ୍ଧାଞ୍ଜଳି ଜଣାଇଛି। ‘ଜଣେ ମଣିଷ, ଗୋଟିଏ କ୍ଲବ୍‌ ଏବଂ ଗୋଟିଲ ଭଲ ପାଇବା’ ଉଲ୍ଲେଖ କରି ପର୍ସିଲା ପ୍ରଶଂସକମାନେ ସାମାଜିକ ଗଣମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର