ଖାସି କପ୍‌ରୁ ସାଫ୍‌ କପ୍‌, ଉଦୀୟମାନ ଫୁଟ୍‌ବଲର୍‌ ରଂଜନ

ଭୁବନେଶ୍ବର(ସତ୍ୟନାରାୟଣ ରାଉତରାୟ): ବୟସ ୮କି ୯ ହେବ। ଶୁଣିବାକୁ ପାଇଲେ କୁନି ପିଲାମାନଙ୍କୁ ନେଇ ଡମଣାରେ ଗୋଟେ ଫୁଟ୍‌ବଲ ପ୍ରତିଯୋଗିତା ହେଉଛି। ଏକଥା କାନରେ ପଡ଼ିବା କ୍ଷଣି ସେଇଠୁ ରଞ୍ଜନ ସୋରେନ୍‌ ମନସ୍ଥ କରିନେଲେ ସେ ବି ସେଇ ପ୍ରତିଯୋଗିତାରେ ଖେଳିବେ। ସାଲିଆ ସାହି ଆଦିବାସୀ ଗାଁ ଦଳ ପକ୍ଷରୁ ଖେଳି ଚମତ୍କାର ପ୍ରଦର୍ଶନ ମଧ୍ୟ କଲେ। ପାଟିରୁ କଥା ବାହାରୁନଥିବା ଏଇ ପିଲାଟି ଯେ ପଡ଼ିଆରେ ଫୁଟ୍‌ବଲ୍‌କୁ ନିଜ ଆୟତ୍ତରେ ରଖିପାରେ ତାହା ସେଦିନ ସେଇ ପ୍ରତିଯୋଗିତାରେ ସମସ୍ତଙ୍କ ଆଖି ଖୋସି ଦେଇଥିଲା। ସେଦିନ ଆଦିବାସୀ ଗାଁ ପକ୍ଷରୁ ଉନ୍ନତ ପ୍ରଦର୍ଶନ କରି ସେ କପ୍‌ ଓ ପ୍ରମାଣପତ୍ର ନେଇ ଘରକୁ ଫେରିଲେ। କିନ୍ତୁ ବାପା କାଳେ ରାଗିବେ, ସେଇଯୋଗୁଁ ସେ କପ୍‌ ଓ ପ୍ରମାଣପତ୍ରକୁ ଲୁଚାଇ ରଖିଲେ।

ତା’ପରଠୁ କିନ୍ତୁ ଆଉ ଅଟକିନଥିଲେ ରଞ୍ଜନ। କୁନି ବୟସରେ ଖାସି କପ୍‌ ଜିତି ଆଦିବାସୀ ଗାଁ’କୁ ଭେଟି ଦେଇଥିଲେ ଗୋଟିଏ ପରେ ଗୋ‌ଟିଏ ଖାସି। ଏତିକିରେ ତାଙ୍କ କୁନି ମନଟି କିନ୍ତୁ ବୋଧ ହୋଇନଥିଲା। ଫୁଟବଲ୍‌ ଗୋଟେ କିଣିଦେବାକୁ ବାପାଙ୍କୁ ଭୟରେ କହିପାରୁନଥିବା ରଞ୍ଜନ ଦେ‌ଖିଲେ, ତାଙ୍କ ପାଖ ପଡ଼ିଶା ଘର ସାଙ୍ଗ ଜିତୁ କଳିଙ୍ଗ ଷ୍ଟାଡିୟମକୁ ଯାଉଛି। ସେଠୁ ବେଳେବେଳେ ଫୁଟ୍‌ବଲ୍‌ ନେଇ ଘରକୁ ଫେରୁଛି। ଏହା ଦେଖିବା ପରେ ନିଜ ସାନ ମା’ ଶାନ୍ତି ସୋରେନ୍‌ଙ୍କୁ ଏକଥା ଜଣାଇଲେ ରଞ୍ଜନ। ସାନ ମା’ଙ୍କଠୁ ଅନୁମତି ମିଳିଯିବା ପରେ ସେ ବି ଛୁଟିଥିଲେ କଳିଙ୍ଗ ଷ୍ଟାଡିୟମ। ସେଠି ପହଞ୍ଚିବା ପରେ ଗୁଣ ଚି‌ହ୍ନେ ଗୁଣିଆ ଭଳି ତାଙ୍କୁ ବେଶ୍‌ ଭଲ ଭାବେ ପରଖି ନେଇଥିଲେ ଗରିବ ପିଲାମାନଙ୍କୁ ମାଗଣାରେ କୋଚିଂ ଦେଉଥିବା ଜୟଦେବ ମହାପାତ୍ର ଓରଫ୍‌ ଜେଡି ସାର୍‌। ବାସ୍‌ ସେଇଠୁ ହିଁ ଜେଡି ସାର୍‌ଙ୍କ ମାର୍ଗଦର୍ଶନରେ ମାଜି ହୋଇଥିଲେ ରଞ୍ଜନ। ରଞ୍ଜନଙ୍କ ସେଇ ଅଦମ୍ୟ ଇଚ୍ଛା ଓ ଜେଡି ସାର୍‌ଙ୍କ ମାର୍ଗଦର୍ଶନ ପାଇଁ ଖାସି କପ୍‌ରୁ ଆଜି ୧୫ ବର୍ଷରୁ କମ୍‌ ଭାରତୀୟ ଦଳରେ ପ୍ରତିନିଧିତ୍ବ କରି ଉଦାହରଣ ସୃଷ୍ଟି କରିଛନ୍ତି। ନେପାଳକୁ ୭-୦ ଗୋଲ୍‌ରେ ହରାଇ ୧୫ ବର୍ଷରୁ କମ୍‌ ଭାରତୀୟ ଦଳକୁ ସାଫ୍‌ କପ୍‌ ଜିତାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ରଂଜନ ଡିଫେଣ୍ଡର ଭୂମିକାରେ ଲଢ଼େଇ କରି ଖାଲି ଓଡ଼ିଶା ପାଇଁ ଗର୍ବ ଆଣିନାହାନ୍ତି, ବସ୍ତି ଓ ଅଭାବ ଅନାଟନ ଭିତରୁ ଯେ ପ୍ରତିଭାମାନେ ଜନ୍ମ ନେଇପାରନ୍ତି ତାହା ସେ ପ୍ରମାଣିତ କରିଛନ୍ତି।

ଜେଡିଙ୍କ କହିବା ମୁତାବକ, ୪-୫ ବର୍ଷ ପୂର୍ବେ ରଂଜନ ଓ ତା’ର ଭାଇ ସୁନିଲ୍‌ ସୋରେନ୍‌ କଳିଙ୍ଗ ଷ୍ଟାଡିୟମକୁ ଆସିଥିଲେ। ସେଇଠି ହିଁ ତାଙ୍କ ପ୍ରତିଭା ଦେଖିବାକୁ ପାଇଲି। ୨୦୧୬ରେ ଯେବେ ବାଇଚୁଙ୍ଗ ଭୂତିଆଙ୍କୁ ଡକାଇଲୁ ସେ ରଂଜନ, ସୁନିଲ୍‌ ଓ ଚନ୍ଦନ ଭଳି ୩ ଜଣ ପିଲାଙ୍କ ଟ୍ରାଏଲ୍‌ ଦେଖି ତାଙ୍କୁ ଦିଲ୍ଲୀ ଆସିବାକୁ କହିଲେ। ରଞ୍ଜନ ୨୦୧୬ରୁ ୨୦୧୮ ମଧ୍ୟରେ ଯୁବ ଆଇ-ଲିଗ୍‌ ଖେଳିଲେ। ତାଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ବାଇଚୁଙ୍ଗ ଭୂତିଆଙ୍କ ପ୍ରଶିକ୍ଷିତ ଦଳ ୧୩ ବର୍ଷରୁ କମ୍‌ ଆଇ-ଲିଗ୍‌ରେ ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲା। ତେବେ ୨୦୧୯ରେ ସେ ୧୫ ବର୍ଷରୁ କମ୍‌ ଭାରତୀୟ ଦଳରେ ଖେଳିବାର ସୁଯୋଗ ପାଇଲେ। ସେଇଠୁ ଇଟାଲି, ଥାଇଲାଣ୍ଡ୍‌ରେ ଉନ୍ନତ ପ୍ରଦର୍ଶନ କଲେ। ଆଗକୁ ତୁର୍କିରେ ହେବାକୁ ଯାଉଥିବା ୧୬ ବର୍ଷରୁ କମ୍‌ ଏଏଫ୍‌ସି ଶିବିରରେ ମଧ୍ୟ ଯୋଗଦେବେ।

ଖାଲି ରଂଜନ ନୁହେଁ ତାଙ୍କ ଭାଇ ସୁନିଲ୍‌ ମଧ୍ୟ ମିନର୍ଭା ପଞ୍ଜାବ ଫୁଟ୍‌ବଲ୍‌ କ୍ଲବ୍‌ ପାଇଁ ଖେଳୁଥିବା ବେଳେ ଆଇ-ଲିଗ୍‌ରେ ସ୍ଥାନ ପାଇଛନ୍ତି। ଆଜି ନିଜର ୨ ପୁଅଙ୍କ ପାଇଁ ରାମଚନ୍ଦ୍ର ସୋରେନ୍‌ ଗର୍ବ କରୁଛନ୍ତି। ମାତ୍ର ଦିନ ଏମିତି ଥିଲା, ଯେତେବେଳେ ବାହାରେ ମୂଲ ଲାଗୁଥିବା ନିଜ ବାପାଙ୍କୁ ଜୋତା‌ଟେ ପାଇଁ ବି କହିବାକୁ ସାହସ କରୁନଥିଲେ ରଞ୍ଜନ। ନା ପାଦରେ ଥିଲା ସକ୍କର ‌ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ଜୋତା, ନା ଆଣ୍ଠୁରେ ଥିଲା ସିନ୍‌ ଗାର୍ଡ। ତଥାପି ଫୁଟ୍‌ବଲ୍‌କୁ ଗୋଲ୍‌ ପୋଷ୍ଟ୍‌କୁ ପଠାଇବାରେ ସେ ଥିଲେ ଧୁରନ୍ଧର। ଫୁଟ୍‌ବଲ୍‌ ଖେଳିବାର ଅଦମ୍ୟ ଇଚ୍ଛା ଓ ପ୍ରତିଯୋଗିତାରେ ଜିତି ଦଳକୁ ବିଜେତା କରାଇବାର ଝୁଙ୍କ୍‌ ତାଙ୍କ ସଫଳତାର ପାହାଚକୁ ସୁଗମ କରିଦେଇଛି।

ସମ୍ବନ୍ଧିତ ଖବର