ସମ୍ପୂର୍ଣ୍ଣ ଆଇପିଏଲ୍‌ ଭାରତରେ:ମାର୍ଚ ୨୩ରୁ ଆରମ୍ଭ

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ଦ୍ବାଦଶ ସଂସ୍କରଣ ୨୦୧୯ ମାର୍ଚ ୨୩ ତାରିଖରୁ ଆରମ୍ଭ ହେବ। ଲୋକସଭା ନିର୍ବାଚନ ଦୃଷ୍ଟିରୁ ଚଳିତ ବର୍ଷର ସଂସ୍କରଣକୁ‌ ଦେଶ ବାହାରକୁ‌ ଯିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏହାର ଅବସାନ ଘଟାଇଛି ବିସିସିଆଇ। ଏହି ଲୋକପ୍ରିୟ ଟ୍ବେଣ୍ଟି-୨୦ ଲିଗ୍‌ ସାଧାରଣତଃ ଏପ୍ରିଲ୍ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ମେ’ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ। ଏଥର କିନ୍ତୁ ଆଗୁଆ କରିବାକୁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ସହଯୋଗୀ ଓ କର୍ତ୍ତୃପକ୍ଷଙ୍କ ସହିତ ‌ଆଲୋଚନା ପରେ ବିସିସିଆଇ ଦାୟିତ୍ବରେ ଥିବା ପ୍ରଶାସନିକ ସମିତି (ସିଓଏ) ଏହି ଘୋଷଣା କରିଛି। ନୂଆଦିଲ୍ଲୀରେ ସିଓଏ ଅଧ୍ୟକ୍ଷ ବିନୋଦ ରାଏ ଏବଂ ସଦସ୍ୟା ଡାଏନା ଏଦୁଲଜୀ ଏ ନେଇ ଚୂଡାନ୍ତ ଆଲୋଚନା ଜାରି ରଖିଛନ୍ତି। ଫେବ୍ରୁଆରି ପ୍ରଥମ ସପ୍ତାହ ବେଳକୁ ଚୂଡାନ୍ତ ଖେଳସୂଚୀ ପ୍ରକାଶ ପାଇବ ବୋଲି ମଧ୍ୟ ସୂଚନା ଦିଆଯାଇଛି। ଲୋକସଭା ନିର୍ବାଚନର ବିଭିନ୍ନ ପର୍ଯ୍ୟାୟକୁ ଦେଖି ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ଏହାକୁ ଆୟୋଜିତ କରାଯିବ ବୋଲି ଆଶା କରାଯାଉଛି। ଶେଷ ଥର ପାଇଁ ଆଇପିଏଲ୍ ୨୦୧୦ ମସିହାରେ ମାର୍ଚ ମାସରୁ ଆରମ୍ଭ ହୋଇଥିଲା। ଏଥର ଆଗୁଆ ଆରମ୍ଭ କରିବାର ଅନ୍ୟତମ କାରଣ ହେଉଛି ଦିନିକିଆ ବିଶ୍ବକପ୍‌। ଇଂଲଣ୍ଡରେ ୫୦ ଓଭରିଆ ବିଶ୍ବକପ୍‌ ମେ’ ୩୦ ତାରିଖରୁ ଆରମ୍ଭ ହେବ। ବିସିସିଆଇର ନୂଆ ସମ୍ବିଧାନ ଦୃଷ୍ଟିରୁ ଭାରତର କୌଣସି ଅନ୍ତର୍ଜାତୀୟ ଖେଳସୂଚୀର ୧୫ ଦିନ ପୂର୍ବରୁ ଆଇପିଏଲ୍‌ ଶେଷ ହେବାର ନିୟମ ରହିଛି। ଲୋକସଭା ନିର୍ବାଚନ ପାଇଁ ଅତୀତରେ ଦୁଇ ଥର ଆଇପିଏଲ୍ ଦେଶ ବାହାରେ ଖେଳାଯାଇଛି। ୨୦୦୯ ମସିହାରେ ଏହା ସମ୍ପୂର୍ଣ୍ଣ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ବେଳେ ୨୦୧୪ ମସିହାରେ ଏହାର ପ୍ରଥମ ଭାଗ ୟୁଏଇରେ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର