ଗେଲ୍‌ ନେଗେଟିଭ୍‌ କିଙ୍ଗ୍‌ସ ଇଲଭେନ୍‌ ପଞ୍ଜାବ ଆଶ୍ବସ୍ତ

ଜାମାଇକା: ୟୁଏଇରେ ଆସନ୍ତା ମାସରେ ଆୟୋଜିତ ହେବାକୁ ଯାଇଥିବା ଆଇପିଏଲ୍ ତ୍ରୟୋଦଶ ସଂସ୍କରଣ ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ ତାରକା କ୍ରିସ୍‌ ଗେଲ୍‌ଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଥିବାରୁ ଏହାର ଫ୍ରାଞ୍ଚାଇଜ୍‌ କିଙ୍ଗ୍‌ସ ଇଲେଭନ୍‌ ପଞ୍ଜାବ (କେଏକ୍ସଆଇପି) ସାମାନ୍ୟ ଆଶ୍ବସ୍ତ ହୋଇଛି। ଗତ ସପ୍ତାହରେ ମାଞ୍ଚେଷ୍ଟର ସିଟି’ର ରାହିମ୍‌ ଷ୍ଟର୍ଲିଙ୍ଗ୍‌ ଏବଂ ବେୟର ଲିଭରକୁସେନ୍‌’ର ଲିଓନ୍‌ ବେଲିଙ୍କ ସହିତ ଗେଲ୍‌ ବିଶ୍ବ କୀର୍ତ୍ତିମାନଧାରୀ କିଂବଦନ୍ତି ଧାବକ ଉସେନ୍‌ ବୋଲ୍‌ଟଙ୍କ ୩୪ତମ ଜନ୍ମଦିନ ଉତ୍ସବରେ ଯୋଗଦେଇଥିଲେ। ସାଂପ୍ରତିକ କରୋନା ମହାମାରୀ କଟକଣା ସତ୍ତ୍ବେ ସେହି ଉତ୍ସବ ବିଶେଷକରି ମାସ୍କ ମୁକ୍ତ ଥିଲା ବୋଲି ଜାମାଇକା ସ୍ବାସ୍ଥ୍ୟ ମନ୍ତ୍ରୀ ସୋମବାର ସ୍ପଷ୍ଟ କରିଥିଲେ। କେହି ବି ମାସ୍କ ପିନ୍ଧିନଥିବା ଜଣାପଡ଼ିଛି। ତେବେ ଉତ୍ସବରେ ଯୋଗଦେଇଥିବା ଅଧିକାଂଶଙ୍କ ମଧ୍ୟରେ ଗେଲ୍‌ ଅନ୍ୟତମ ଥିଲେ। କିନ୍ତୁ ସୌଭାଗ୍ୟବଶତଃ ତାଙ୍କର ଦୁଇଥର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଛି। ଏକଥା ନିଜେ ଗେଲ୍‌ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଛନ୍ତି। ଦୁଇ ଦିନ ତଳେ ମୋର ପ୍ରଥମ କୋଭିଡ୍‌ ପରୀକ୍ଷା ହୋଇଥିଲା। ୟୁଏଇ ଯିବା ପୂର୍ବରୁ ମୁଁ ଦୁଇଥର ନେଗେଟିଭ୍‌ ଚାହୁଁଥିଲି। ଏବେ ଦୁଇଥର ନେଗେଟିଭ୍‌ ଆସିଛି ବୋଲି ଗେଲ୍‌ଙ୍କ ଇନ୍‌ଷ୍ଟାଗ୍ରାମ୍‌ରୁ ଜଣାପଡ଼ିଛି। ”ମୁଁ ଏବେ ୨୦୨୦ ପାଇଁ ଘରେ ରହିବାକୁ ଯାଉଛି, ଆଉ କୁଆଡ଼େ ଭ୍ରମଣ କରିବିନି। ବୋଲ୍‌ଟଙ୍କ ଉତ୍ସବକୁ ଯାଇ ମସ୍ତବଡ଼ ଭୁଲ୍‌ କରିଦେଇଛି, ସେଥିପାଇଁ କ୍ଷମା କରିଦେବ” ବୋଲି କହିଛନ୍ତି ଗେଲ୍। ତେବେ ଗେଲ୍‌ ଏବେ ଆଇପିଏଲ୍‌ ଖେଳିବା ପାଇଁ ୟୁଏଇ ଯାତ୍ରା କରିବାକୁ ଅନୁମତି ପାଇବେ ନା ନାହିଁ ସେନେଇ କିଙ୍ଗ୍‌ସ ଇଲଭନ୍‌ ପଞ୍ଜାବ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।

ଅନ୍ୟପକ୍ଷରେ ଜନ୍ମ ଉତ୍ସବ ପାଳନ ପରେ ନିଜେ ବୋଲ୍‌ଟ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲେ। ତାଙ୍କ କୋଭିଡ୍‌-୧୯ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହି ୮ ଥର ଅଲିମ୍ପିକ୍‌ ସ୍ବର୍ଣ ବିଜେତା ନିଜ ବାସଭବନରେ ଏକାନ୍ତବାସରେ ରହିଛନ୍ତି। ଏନେଇ ଶନିବାର ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପେଷ୍ଟ୍‌ କରିଛନ୍ତି। ଅବଶ୍ୟ ତାଙ୍କଠାରେ ଏବେ ବି କରୋନା ଭୂତାଣୁର କୌଣସି ଲକ୍ଷଣ ଦେଖାଯାଇନି। ଶନିବାର ପରୀକ୍ଷା କରିଥିଲି ଏବଂ ରିପୋର୍ଟ ପଜିଟିଭ୍‌ ଆସିଛି। ସେଥିପାଇଁ ବନ୍ଧୁମାନଙ୍କଠାରୁ ଦୂରେଇ ରହିବାକୁ ଚେଷ୍ଟା କରୁଛି। ଦାୟିତ୍ବ ମଧ୍ୟ ନିଜ ମୁଣ୍ଡକୁ ନେଉଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପ୍ରୋଟୋକଲକୁ ଅପେକ୍ଷା କରିବି ଏବଂ ଆବଶ୍ୟକ ପଡ଼ି‌ଲେ ନିଜକୁ ସଂଗରୋଧରେ ରଖିବି ବୋଲି କହିଛନ୍ତି ବୋଲ୍‌ଟ। ସମସ୍ତଙ୍କୁ ଧନ୍ୟବାଦ। ମୁଁ ନିରାପଦରେ ରହିବି, ଆପଣମାନେ ବି ନିରାପଦରେ ରହନ୍ତୁ ବୋଲି ବୋଲ୍‌ଟ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର