ଅଶୋକାନନ୍ଦ ଓ ରଶ୍ମିତା ପାଇବେ କମଲ ଗାଙ୍ଗୁଲି ସ୍ମାରକୀ ପୁରସ୍କାର

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଭୁବନେଶ୍ବରର ସହିଦ ସ୍ପୋର୍ଟିଂ ପକ୍ଷରୁ ଚଳିତ ବର୍ଷ ପାଇଁ ଅଶୋକାନନ୍ଦ ଜେନା ଓ ରଶ୍ମିତା ମହାନ୍ତି କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡ଼ା ପୁରସ୍କାର ପାଇବେ। ରାଜ୍ୟର ଅନ୍ୟତମ ସଫଳ କ୍ରିକେଟ୍‌ ପ୍ରଶିକ୍ଷକ କମଲ୍‌ ଗାଙ୍ଗୁଲିଙ୍କ ସ୍ମୃତିରେ ୨୦୧୨ରୁ ପ୍ରଶିକ୍ଷକ ଏବଂ ୨୦୧୪ରୁ କ୍ରୀଡ଼ା କ୍ଷେତ୍ରରେ ଆଜୀବନ ଯୋଗଦାନ ପାଇଁ ବାର୍ଷିକ ପୁରସ୍କାର ଦିଆଯାଉଛି। ଏହି କ୍ରମରେ ଚଳିତ ବର୍ଷ ରଶ୍ମିତାଙ୍କୁ ପ୍ରଶିକ୍ଷକ ଓ ଅଶୋକାନନ୍ଦଙ୍କୁ ଜୀବନବ୍ୟାପୀ ଅବଦାନ ପୁରସ୍କାର ପ୍ରଦାନ କରାଯିବ। ରଶ୍ମିତା ଓଡ଼ିଶା ମହିଳା କ୍ରିକେଟର ପ୍ରସାର ଦିଗରେ ଗୁରୁତପୂର୍ଣ୍ଣ ଭୂମିକା ତୁଲାଉଥିଲା ବେଳେ ସେ ମଧ୍ୟ ବିଧିବଦ୍ଧ ପ୍ରଶିକ୍ଷକ ତାଲିମ୍‌ ନେଇଥିବା ପ୍ରଥମ ଓଡ଼ିଆ ମହିଳା। ଅନ୍ୟପକ୍ଷରେ ଅଶୋକାନନ୍ଦ ପୂର୍ବତନ ରଣଜୀ ଅଧିନାୟକ ଥିଲେ। ସେ ୧୯୬୧-୬୨ ଋତୁରୁ ୧୯୭୩-୭୪ ପର୍ଯ୍ୟନ୍ତ ଓଡ଼ିଶା ଦଳର ନେତୃତ୍ବ ନେଇଥିଲେ। ଏବେ ସେ ଯୁବ କ୍ରିକେଟର୍‌ଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ପ୍ରୟାସ କରିଚାଲିଛନ୍ତି। ସହିଦ ସ୍ପୋର୍ଟିଂ କ୍ଲବ୍‌ର ସଂପାଦକ ପଙ୍କଜ ପଟ୍ଟନାୟକ, ସନାତନ ପାଣି, ସୁଶାନ୍ତ ମହାନ୍ତି, ସଂବିତ ମହାପାତ୍ର, ସଂଜୀବ ବିଶ୍ବାଳ, ସୁରେଶ ସ୍ବାଇଁ, ନିରଞ୍ଜନ ରେଡ୍ଡୀ, ତନ୍ମୟ ଦାସ, ତପନ ସ୍ବାଇଁ, ସମୀକ୍ଷା ପଟ୍ଟନାୟକ, ମନୋରଞ୍ଜନ ଦାସ, ଉମାକାନ୍ତ ମିଶ୍ର ଓ ସମୀର ରାଉତଙ୍କୁ ‌ନେଇ ଗଠିତ ଚୟନ ସମିତି ପୁରସ୍କାର ପାଇଁ ଅଶୋକାନନ୍ଦ ଓ ରଶ୍ମିତାଙ୍କ ନାମ ବାଛିଛି। ପୂର୍ବରୁ କିଶୋର ମାଣିଆ, ଜୋସ୍‌ ଜାକବ୍‌, ନନ୍ଦକିଶୋର ପଟ୍ଟନାୟକ, ନୀଳମାଧବ ନନ୍ଦ, ଅଶୋକ ମିଶ୍ର କ୍ରମାନ୍ବୟରେ ପ୍ରଶିକ୍ଷକ ଭାବେ ପୁରସ୍କୃତ ହୋଇଥିଲା ବେଳେ ମଦନମୋହନ ମହାନ୍ତି, ବିଜୟ ଶତପଥୀ, ଅରୂପାନନ୍ଦ ରାଉତରାୟ ଜୀବନବ୍ୟାପୀ ଯୋଗଦାନ ପାଇଁ ପୁରସ୍କୃତ ହୋଇସାରିଛନ୍ତି। କେବଳ ୨୦୧୬ ବର୍ଷ ପାଇଁ ପୁରସ୍କାର ପ୍ରଦାନ କରାଯାଇନଥିଲା।

ସମ୍ବନ୍ଧିତ ଖବର