ସେହବାଗଙ୍କୁ ଧମକାଇଥିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ‘ରନ୍‌ ସଂଗ୍ରହ କର, ନ ହେଲେ ତୁମକୁ ଆଉ ଦଳରେ‌ ଖେଳାଇ ହେବନି’। ଏମିତି କଡ଼ା କଥା କହି ବୀରେନ୍ଦ୍ର ସେହବାଗଙ୍କୁ ଧମକାଇଥିଲେ ତତ୍‌କାଳୀନ ଅଧିନାୟକ ସୌରଭ ଗାଙ୍ଗୁଲି। ଏହି ଘଟଣାଟି ୨୦୦୩ ମସିହାର ନ୍ୟୁଜିଲାଣ୍ଡ୍ ବିପକ୍ଷ ମୋହାଲି ଟେଷ୍ଟ୍ ପୂର୍ବରୁ ଘଟିଥିଲା ବୋଲି ପ୍ରକାଶ କରିଛନ୍ତି ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଆକାଶ ଚୋପ୍ରା। ଏହି ଟେଷ୍ଟ୍ ପୂର୍ବରୁ ସେହବାଗ ୯ ପାଳିରେ ଅର୍ଧଶତକଟିଏ ବି ମାରିପାରିନଥିଲେ। ସେହବାଗଙ୍କ ପାଇଁ ଏହା ‘କର ବା ମର’ ଭଳି ସ୍ଥିତି ଥିଲା। ଗାଙ୍ଗୁଲିଙ୍କ ଏହି କଡ଼ା ବାଣୀ ଶୁଣିବା ପରେ ସେହବାଗ ବି ଜାଗି ଉଠିଥିଲେ, ମୋହାଲିରେ ୧୩୦ ରନ୍‌ର ଚମତ୍କାର ପାଳି ଖେଳିଥିଲେ। ସେତେବେ‌ଳକୁ ସେହବାଗଙ୍କ ଏକ ଟେଷ୍ଟ୍ ଶତକକୁ ପ୍ରାୟ ଗୋଟିଏ ବର୍ଷ ବିତିଯାଇଥିଲା। ଏହା ପରେ ‌ସେହବାଗଙ୍କୁ ନୂଆ ରୂପରେ ଦେଖିବାକୁ ମିଳିଥିଲା। ଖେଳ ଜୀବନ ପ୍ରାରମ୍ଭରେ ଲମ୍ବା ବିଫଳତାରୁ ସେହବାଗ ମଧ୍ୟ ବର୍ତିଯାଇଥିଲେ। ତା ପରଠାରୁ ସେହବାଗଙ୍କୁ ମଧ୍ୟ ଗାଙ୍ଗୁଲିଙ୍କ ସମର୍ଥନ ଜାରି ରହିଥିଲା ବୋଲି ଚୋପ୍ରା ପ୍ରକାଶ କରିଥିଲେ। ଗାଙ୍ଗୁଲି ହିଁ ସେହବାଗଙ୍କୁ ଟେଷ୍ଟ୍‌ରେ ପାଳି ଆରମ୍ଭ କରିବାର ସ‌ୁଯୋଗ ଦେଇଥିଲେ। ଏପରିକି ଦିନିକିଆରେ ନିଜ ତ୍ୟାଗ କରି ସେହବାଗଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ ଦେଇଥିଲେ। ସେହବାଗଙ୍କ ଭଳି ଯୁବରାଜ ସିଂହଙ୍କୁ ମଧ୍ୟ ଗାଙ୍ଗୁଲି ସମର୍ଥନ କରିଥିଲେ। ନିଜର ପ୍ରଥମ ଦୁଇ ପାଳିରେ ୮୪ ଓ ୪୧ ରନ୍ କରିବା ପରେ ଯୁବି ମଧ୍ୟ ୧୮/୨୦ ପାଳି ପର୍ଯ୍ୟନ୍ତ ଅର୍ଧଶତକ ବିହୀନ ରହିଥିଲେ‌ ବୋଲି ଚୋପ୍ରା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର