ଗାଙ୍ଗୁଲି ସ୍ବାର୍ଥ ପାଇଁ ଅଧିନାୟକ ପଦ ଚାହୁଁଥିଲେ; ହେଲେ ନିଜ ଖେଳରେ ଉନ୍ନତି ଚିନ୍ତା କରୁନଥିଲେ: ଚାପେଲ

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବିପକ୍ଷରେ ଗୁରୁତର ଅଭିଯୋଗ ଆଣିଛନ୍ତି ଦଳର ତତ୍‌କଳୀନ ମୁଖ୍ୟ ପ୍ରଶିକ୍ଷକ ଗ୍ରେଗ୍‌ ଚାପେଲ। ଗାଙ୍ଗୁଲି ନିଜ ସ୍ବାର୍ଥ ତଥା ଦଳର ସବୁକିଛି ନିୟଂତ୍ରଣରେ ରଖିବା ପାଇଁ ଅଧିନାୟକ ହେବାକୁ ଚାହୁଁଥିଲେ। ଅନ୍ୟପକ୍ଷରେ ସେ କଦାପି ନିଜ ଖେଳରେ ଉନ୍ନତି ଆଣିବାକୁ ଇଛା କରୁନଥିଲେ ବୋଲି ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିବା ମହାନ୍‌ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍‌ ଚାପେଲ କହିଛନ୍ତି। ତାଙ୍କ କହିବା କଥା ହେଲା ଗାଙ୍ଗୁଲି ନିଜେ ହିଁ ତାଙ୍କୁ ପ୍ରଶିକ୍ଷକ ହେବା ପାଇଁ ପ୍ରସ୍ତାବ ବାଢ଼ିଥିଲେ। କିନ୍ତୁ ପରବର୍ତୀ ସମୟରେ ସବୁକିଛି ନିଜ ନିୟଂତ୍ରଣରେ ରଖିବା ପାଇଁ ମୋ ସହ ଖରାପ ସଂପର୍କ ସୃଷ୍ଟି କରିଥିଲେ। କ୍ରିକେଟ୍‌ ଲାଇଫ୍‌ ଷ୍ଟୋରିଜ୍‌ ପୋଡ୍‌କାଷ୍ଟ ସହ ବାର୍ତାଳାପ ବେଳେ ଗାଙ୍ଗୁଲିଙ୍କ ସଂପର୍କରେ ଚାପେଲ ଏଭଳି ଅନେକ କିଛି ଖୁଲାସା କରିଛନ୍ତି।

ଗାଙ୍ଗଲି ମୋତେ ପ୍ରଶିକ୍ଷକ ପଦ ପାଇଁ ପ୍ରସ୍ତାବ ଦେଇଥିଲେ। ସେତେବେଳେ ମୋ ହାତରେ ଅନ୍ୟ ପ୍ରସ୍ତାବ ରହିଥିଲେ ମଧ୍ୟ ଜନ୍‌ ବୁକାନନ୍‌ ଅଷ୍ଟ୍ରେଲିଆର ପ୍ରଶିକ୍ଷକ ଥିବା ପର୍ଯ୍ୟନ୍ତ ବିଶ୍ବର କୌଣସି କ୍ରିକେଟ୍‌ପ୍ରିୟ ଦେଶର ଦାୟିତ୍ବ ନେବାକୁ ସ୍ଥିର କରିଥିଲି। ଆଉ ଭାରତୀୟ ଦଳ ପାଇଁ ସେହି ସୁଯୋଗ ଗାଙ୍ଗୁଲିଙ୍କ ଯୋଗୁ ସମ୍ଭବ ହୋଇଥିଲା। ସେତେବେଳେ ସେ ଅଧିନାୟକ ଥିବାରୁ ମୋତେ ନିଯୁକ୍ତି ମିଳିବା ସହଜ ହୋଇଥିଲା। ହେଲେ ଗାଙ୍ଗୁଲି କଦାପି କଠୋର ପରିଶ୍ରମ କରିବାକୁ ଚାହୁଁନଥିଲେ। ବରଂ ଅଧିନାୟକ ପଦ ମାଡ଼ି ବସିବାକୁ ଆଗଭର ରହୁଥିଲେ। ମୋର ଦୁଇ ବର୍ଷର କାର୍ଯ୍ୟକାଳ ଖୁବ୍‌ ଆହ୍ବାନଭରା ଥିଲା। ଗାଙ୍ଗୁଲିଙ୍କ ସହ ବହୁବାର ମତପାର୍ଥକ୍ୟ ସୃଷ୍ଟି ହୋଇଥିଲା। ସେ ପ୍ରକୃତରେ ପରିଶ୍ରମ କରିବାକୁ ଚାହୁଁନଥିଲେ କି ନିଜ ଖେଳରେ ଉନ୍ନତି କରୁନଥିଲେ। ସେ କେବଳ ସବୁକିଛି ନିୟଂତ୍ରଣରେ ରଖିବା ପାଇଁ ଅଧିନାୟକ ପଦ ଚାହୁଁଥିଲେ ବୋଲି ଚାପେଲ ଅଭିଯୋଗ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ଦଳ ସହ ଚାପେଲଙ୍କ କାର୍ଯ୍ୟକାଳ ବିବାଦୀୟ ହୋଇପଡ଼ିଥିଲା। ତାଙ୍କ କାର୍ଯ୍ୟକାଳ ସମୟରେ ଗାଙ୍ଗୁଲି ତାଙ୍କ ନେତୃତ୍ବ ପଦ ହରାଇଥିଲେ ଏବଂ ଚୂଡାନ୍ତ ଏକା‌ଦଶରୁ ମଧ୍ୟ ବାଦ୍‌ ପଡ଼ିଥିଲେ। ସେ ୨୦୦୭ ବିଶ୍ବକପ୍‌ ଦଳର ସଦସ୍ୟ ରହିଥିଲେ ମଧ୍ୟ ରାହୁଲ ଦ୍ରାବିଡ୍‌ଙ୍କ ନେତୃତ୍ବରେ ଖେଳିଥିଲେ। ତେବେ ଚା‌ପେଲଙ୍କୁ ସବୁ କ୍ଷମତା ଦିଆଯାଇଥିଲେ ମଧ୍ୟ ଭାରତ ସେହି ବିଶ୍ବକପ୍‌ର ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଏପରିକି ଦୁର୍ବଳ ବାଂଲାଦେଶ ନିକଟରୁ ମଧ୍ୟ ହାରିଯାଇଥିଲା। ଫଳରେ ସେହି ବିଶ୍ବକପ୍‌ ପରେ ପରେ ଚାପେଲଙ୍କ ଚୁକ୍ତି ମିଆଦର ଅନ୍ତ ଘଟିଥିଲା। ଏପରିକି ସେ ପୁନର୍ବାର ଆବେଦନ ନକରିବାକୁ ସ୍ଥିର କରିଥିଲେ। ହେଲେ ଗାଙ୍ଗୁଲି ଆଉ ଗୋଟିଏ ବର୍ଷ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିଥିଲେ। ନଭେମ୍ବର ୨୦୦୭ରେ ତାଙ୍କର ଶେଷ ଦିନିକିଆ ଖେଳିଥିଲେ ଏବଂ ୨୦୦୮ରେ ଏହି ଭାରତୀୟ କିଂବଦନ୍ତି ଟେଷ୍ଟ୍‌ କ୍ରିକେଟ୍‌ରୁ ଅବସର ନେଇଯାଇଥିଲେ। ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। କିନ୍ତୁ ଅଷ୍ଟ୍ରେଲିଆର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଭାବେ ଚାପେଲ ପରିଗଣିତ ହୋଇଥିଲେ ମଧ୍ୟ ଭାରତୀୟ ଦଳ ସହ ପ୍ରଶିକ୍ଷକ ପଦ ତାଙ୍କ ପାଇଁ ଅଶୁଭ ରହିଥିଲା‌। ଏପରିକି ଅଧିକାଂଶ ପୂର୍ବତନ ଭାରତୀୟ ଖେଳାଳି ତାଙ୍କ ବିପକ୍ଷରେ ସ୍ବର ଉଠାଇଥି‌ଲେ ବୋଲି ଚାପେଲ ମନେ ପକାଇଛନ୍ତି।

ସମ୍ବନ୍ଧିତ ଖବର