‘ଗାଙ୍ଗୁଲି ନେବାକୁ ଚାହୁଁଥିଲେ, ମୁଁ ମନା କରିଥିଲି’

ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ପରିଶ୍ରମୀ ପୂର୍ବତନ ଦ୍ରୁତ ବୋଲର ହେଉଛନ୍ତି ଜଭାଗଲ ଶ୍ରୀନାଥ। ନିଜ ସମୟରେ ଭାରତକୁ ଜିତାଇବାକୁ ସେ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଥିଲେ। ମହାନ କ୍ରିକେଟର କପିଳ ଦେବଙ୍କ ଖେଳ ଜୀବନ ସରି ଆସୁଥିଲା ବେଳେ ଶ୍ରୀନାଥ ହିଁ ଭାରତୀୟ ଦ୍ରୁତ ‌ବୋଲିଂ ବାହିନୀର ମଙ୍ଗ ସମ୍ଭାଳିଥିଲେ। ଭେଙ୍କଟେଶ ପ୍ରସାଦଙ୍କୁ ନେଇ ଢେର କିଛି ବର୍ଷ ଭାରତର ସଫଳ ନୂଆ ବଲ୍ ବୋଲର ଥିଲେ। ଅବସର ପରେ ଆଇସିସି ମ୍ୟାଚ୍ ରେଫରି ଭାବେ କାର୍ଯ୍ୟ କରିଥିବା ଶ୍ରୀନାଥ ମଧ୍ୟ ନିଜ ସମୟରେ ଚୟନକର୍ତ୍ତାଙ୍କ ପକ୍ଷପାତିତାର ଶିକାର ହୋଇଥିଲେ। ସେହି ଅଭିମାନରେ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଅନୁରୋଧ ପରେ ମଧ୍ୟ ୨୦୦୨ ମସିହାରେ ଇଂଲଣ୍ଡ ଗସ୍ତ କରିବାକୁ ନିଜ ଆଡ଼ୁ ମନା କରିଦେଇଥି‌ଲେ। ଭାରତୀୟ ଦଳ ସହ ନଯାଇ ଇଂଲଣ୍ଡରେ ହିଁ ଯାଇ କାଉଣ୍ଟି କ୍ରିକେଟ୍ ଖେଳିଥିଲେ। କାଉଣ୍ଟି କ୍ରିକେଟ୍‌ରେ ଭଲ କରିବାର ମାତ୍ର ଗୋଟିଏ ଶୃଙ୍ଖଳା ପରେ ଚୟନକର୍ତ୍ତା ତାଙ୍କୁ ଜାତୀୟ ଦଳକୁ ଫେରାଇ ଆଣିବାକୁ ବାଧ୍ୟ ହୋଇଥିଲେ।

ଶନିବାର ଦେଇଥିବା ସାକ୍ଷାତକାର ଅବସରରେ ଶ୍ରୀନାଥ ୧୮ ବର୍ଷ ତଳର ସେହି ଘଟଣା ଉପରୁ ପରଦା ଉଠାଇଛନ୍ତି। ୨୦୦୨ ମସିହାର ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ମୋ ଅଗଚୋରରେ ଚୟନକର୍ତ୍ତା ମୋତେ ଇଂଲଣ୍ଡ ଗସ୍ତ ପାଇଁ ବିଚାରକୁ ନେଇନଥିଲେ। ସେମାନେ ମୋତେ ବିଶ୍ରାମ ନେବାକୁ ବାଧ୍ୟ କରିଥିଲେ। ଯାହା ମୋତେ ବହୁତ ବାଧିଥିଲା। ମୋ ଖେଳ ଜୀବନକୁ କୌଣସି ପରିସ୍ଥିତିରେ ଅନ୍ୟମାନେ ନିୟନ୍ତ୍ରଣ କରନ୍ତୁ ବୋଲି ମୁଁ ଚାହୁଁନଥିଲି। ହେଲେ ଗାଙ୍ଗୁଲି ମୋତେ ଫୋନ୍ କରି ଦଳରେ ସାମିଲ ହେବାକୁ ଅନୁରୋଧ କରିଥିଲେ। ‌ମୁଁ କିନ୍ତୁ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲି। ବରଂ ସେହି ସମୟକୁ କାଉଣ୍ଟି ଅଭିଜ୍ଞତା‌ ସାଉଣ୍ଟିବାରେ ଉପଯୋଗ କରିଥିଲି। କାଉଣ୍ଟି ଅଭିଜ୍ଞତା‌ ନେଇ ଫେରିବା ପରେ ଶ୍ରୀନାଥ ନ୍ୟୁଜିଲାଣ୍ଡ ଗସ୍ତରେ ଯିବା ସହ ୨୦୦୩ ବିଶ୍ବକପ୍ ମଧ୍ୟ ଖେଳିଥିଲେ। ବିଶ୍ବକପ୍‌ରେ ସେ ୧୬ ୱିକେଟ୍‌ କରାୟତ୍ତ କରିଥିଲେ। ୨୦୦୩ ବିଶ୍ବକପ୍ ପରେ ପରେ ହିଁ ‌ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ଘୋଷଣା କରିଥିଲେ। ଏହାର କାରଣ ଦର୍ଶାଇବାକୁ ଯାଇ ଶ୍ରୀନାଥ କହିଛନ୍ତି ଯେ ଭାରତରେ ମୋ ଶକ୍ତି ଧୀରେଧୀରେ କମିବାକୁ ଲାଗିଥିଲା। ଅନ୍ୟ ଯୁବ ଦ୍ରୁତ ବୋଲରମାନେ ସଫଳତା ପାଇଁ ଭୋକିଲା ଥିଲେ। ଏଣୁ ମୁଁ ସେମାନଙ୍କ ପଥ ଅବରୋଧ କରିବାକୁ ଚାହୁଁ ନଥିଲି। ମୁଁ ଖୁସି ଥିଲି, ଏଣୁ ଏଥିପାଇଁ କୌଣସି ଅବସୋସ ନାହିଁ। ସମ୍ମାନର ସହ ବିଦାୟ ନେବା ସବୁବେଳେ ଭଲ।

ସମ୍ବନ୍ଧିତ ଖବର