ରୋହିତ-କୋହଲି ବିଭେଦ ଗୁଜବକୁ ‘ନନ୍‌ସେନ୍ସ’ କହିଲେ ଗାଭାସ୍କର

ନୂଆଦିଲ୍ଲୀ: ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ମଧ୍ୟରେ ବିଭେଦ ରହିଥିବା ‌ନେଇ ବାହାରେ ଯେତେ ଗୁଜବ ହେଉ ପଛେ, ଏହା ସତ୍ୟତାଠାରୁ ‌ଢେର ଦୂରରେ। ରବିବାର ଅହମଦାବାଦରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆର ଏକ ଘଟଣା ଏହାର ପ୍ରମାଣ ଦେଇଛି। ୟୁଝ୍‌ବେନ୍ଦ୍ର ଚହଲଙ୍କ ବୋଲିଂ ବେଳେ ସାମରା ବ୍ରୁକ୍ସଙ୍କ ବ୍ୟାଟ୍‌ ଧାରରୁ ଆସିଥିବା କ୍ୟାଚ୍‌କୁ ୱିକେଟରକ୍ଷକ ଋଷଭ ପନ୍ତ୍‌ଙ୍କ ଗ୍ଲୋଭ୍ସରେ ପହଞ୍ଚିଥିଲା। ଭାରତ ସଫଳତାର ସହ ରିଭ୍ୟୁ କରିଥିଲା।‌‌ ତେବେ ରିଭ୍ୟୁ ନେବାକୁ ଅଧିନାୟକ ରୋହିତ ଶର୍ମାଙ୍କୁ ବିରାଟ କୋହଲି ପ୍ରବର୍ତ୍ତାଇଥିଲେ। ଏହି ଘଟଣା ପରେ କିଂବଦନ୍ତି ବ୍ୟାଟର୍‌ ସୁନିଲ ଗାଭାସ୍କର କିଛି ଦିନ ତଳର ପୁରୁଣା ରୋହିତ ଶର୍ମା-ବିରାଟ କୋହଲି ବିଭେଦ ସ୍ରଷ୍ଠାଙ୍କୁ କଡ଼ା ସମାଲୋଚନା କରିଥିଲେ। ସେମାନେ କାହିଁକି ଏକାଠି ‌ଖେଳିପାରିବେ ନାହିଁ। ସେମାନେ ପରା ଭାରତ ପାଇଁ ଖେଳୁଛନ୍ତି। କେହ‌ି ବି ସତ୍ୟ ଜାଣନ୍ତି ନାହିଁ ବୋଲି ଗାଭାସ୍କର ପ୍ରକାଶ କରିଥିଲେ। ବିରାଟ କୋହଲି ସୀମିତ ଓଭର କ୍ରିକେଟ୍‌କୁ ଫେରିଥିଲେ ମଧ୍ୟ ୪ ବଲରୁ ୮ ରନ୍ କରି ଆଉଟ୍ ହୋଇଯାଇଥିଲେ। କିନ୍ତୁ ଯେଉଁମାନେ ଗୁଜବ ପ୍ରଚାର କରୁଥିଲେ ଯେ ରୋହିତଙ୍କ ଅଧୀନରେ ଖେଳିବାକୁ କୋହଲି ଚାହୁନାହାନ୍ତି ସେମାନଙ୍କୁ ଗାଭାସ୍କର କଡ଼ା ସମାଲୋଚନା କରିଥିଲେ। ସେମାନଙ୍କ ଆଲୋଚନାକୁ ଗାଭାସ୍କର ‘ନନ୍‌ସେନ୍ସ’ ଆଖ୍ୟା ‌ଦେଇଥିଲେ। ଜଣେ ରନ୍‌ କରୁନାହିଁ କି ୱିକେଟ୍‌ ନେଉନାହିଁର ଅର୍ଥ ନୁହେଁ ସେ ଦଳ ବାହାରକୁ ଯିବ। ଏଭଳି ବିଚାର ବାଜେ କଥା। ସବୁକିଛି କାହାଣୀ ସୃଷ୍ଟି ଲାଗି କଳ୍ପନା ପ୍ରସ୍ତୁତ ବୋଲି ଗାଭାସ୍କର କହିଥିଲେ।

ସମ୍ବନ୍ଧିତ ଖବର