ଗିଲ୍‌ ଓ ରାହାଣେଙ୍କ ବାଦ୍‌କୁ ନେଇ ଗାଙ୍ଗୁଲି ଚକିତ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳରେ ଯୁବ ତାରକା ଶୁଭମନ୍‌ ଗିଲ୍‌ ଏବଂ ଅଭିଜ୍ଞ ଆଜିଙ୍କ୍ୟ ରାହାଣେଙ୍କୁ ସାମିଲ କରାନଯିବା ନେଇ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଉଭୟଙ୍କୁ ବାଦ୍‌ ଦେବା ନିଷ୍ପତ୍ତି ତାଙ୍କୁ ଚକିତ କରିଛି ଏବଂ ଏକ୍ଷେତ୍ରରେ ମନୋନୟନ ସମିତି ତା’ର ନୀତିରେ ସ୍ଥିରତା ଆଣୁ ବୋଲି ଗାଙ୍ଗୁଲି କହିଛନ୍ତି। ଅସ୍ଥିର ପ୍ରଦର୍ଶନ ଦେଉଥିବା କେଦାର ଯାଦବ ସ୍ଥାନ ବଜାୟ ରଖିଥିଲା ବେଳେ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଭାରତୀୟ-ଏ ଦଳର ସଦସ୍ୟ ଥିବା ଗିଲ୍‌ ଶୃଙ୍ଖଳା ଶ୍ରେଷ୍ଠ ଖେଳାଳି ବିବେଚିତ ହେବା ସତ୍ତ୍ବେ ତାଙ୍କୁ ସ୍ଥାନ ନମିଳିବା ନେଇ ଗାଙ୍ଗୁଲି ପ୍ରଶ୍ନ ଛାଡ଼ିଛନ୍ତି। ଗିଲ୍‌ ସେହି ଇଣ୍ଡିଜ୍‌-ଏ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୨୧୮ ରନ୍‌ କରିଥିଲେ। ଏପରିସ୍ଥଳେ କୌଣସି ଖେଳାଳିଙ୍କୁ ସନ୍ତୁଷ୍ଟ କରିବା ନୁହେଁ ଏକ ଶ୍ରେଷ୍ଠ ସମ୍ଭାବ୍ୟ ଦଳ ବାଛିବା ମନୋନୟନକର୍ତାଙ୍କ ପାଇଁ ମୁଖ୍ୟ ଏଜେଣ୍ଡା ହେଉ ବୋଲି ଗାଙ୍ଗୁଲି ସମାଲୋଚନାମୂଳକ ମନ୍ତବ୍ୟ ଦେଇଛନ୍ତି। ମନୋନୟନକର୍ତାଙ୍କ ପାଇଁ ସବୁ ଫର୍ମାଟ୍‌ରେ ଏକ ଦଳ ବାଛିବାର ସମୟ ଆସିଛି ବୋଲି ଗାଙ୍ଗୁଲି କହିଛନ୍ତି। ଦଳରେ ଅଧିକାଂଶ ଖେଳାଳି ରହିଛନ୍ତି ଯେଉଁମାନେ ସବୁ ଫର୍ମାଟ୍‌ରେ ଖେଳିପାରିବାର ସାମର୍ଥ୍ୟ ରଖିଛନ୍ତି। ହେଲେ ଗିଲ୍‌ ଓ ରାହାଣେଙ୍କୁ ଦିନିକିଆ ଦଳରେ ସ୍ଥାନ ନମିଳିବା ସବୁଠୁ ଆଶ୍ଚର୍ଯ୍ୟର କଥା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର