କଳିଙ୍ଗରେ କୁକାବୁରାଙ୍କ ଗୋଲ୍ ଝଡ଼

ଗୋଟିଏ ଦିନରେ ୧୭ ଗୋଲ୍ କୀର୍ତିମାନ

ଭୁବନେଶ୍ବର,: କଳିଙ୍ଗ ଷ୍ଟାଡିୟମ୍‌ରୁ ଶୁକ୍ରବାର ଗୋଲ୍‌ ଝଡ଼ ଦେଖିଛନ୍ତି ବିଶ୍ବ ହକିପ୍ରେମୀ। ବିଶ୍ବକପ୍ ଇତିହାସର ଅନ୍ୟତମ ସର୍ବାଧିକ ଅମଳ ଗୋଲ୍‌ର କୀର୍ତିମାନ ବି ଛାଡ଼ିଛି। କୁକାବୁରା ନାମରେ ପରିଚିତ ଅଷ୍ଟ୍ରେଲିଆ ହକି ଦଳ ୧୧-୦ରେ ଏସୀୟ ପଦାର୍ପଣକାରୀ ଚୀନକୁ ହରାଇ କଳିଙ୍ଗ ହକି କଂପ୍ଲେକ୍ସରେ ନୂଆ କୀର୍ତିମାନ କରିଛି। ଅଷ୍ଟ୍ରେଲିଆ କିନ୍ତୁ ନିଜ ନାମରେ ଥିବା ବିଶ୍ବକପ୍‌ କୀର୍ତିମାନକୁ ଅତୁଟ ରଖିଛି। ବିଶ୍ବକପ୍‌ର ସର୍ବାଧିକ ଗୋଲ୍‌ ବିଜୟ ବ୍ୟବଧାନ ଅଷ୍ଟ୍ରେଲିଆ ନାମରେ ରହିଛି। ୨୦୧୦ ନୂଆଦିଲ୍ଲୀ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ୧୨-୦ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। ଶୁକ୍ରବାର ଦ୍ବିତୀୟ ମ୍ୟାଚ୍‌ରେ ଇଂଲଣ୍ଡ୍‌ ୪-୨ ଗୋଲ୍‌ରେ ଆୟର୍ଲାଣ୍ଡକୁ ହରାଇ ବିଦାୟ ରାସ୍ତା ଦେଖା‌ଇ ଦେଇଥିଲା। ଅଷ୍ଟ୍ରେଲିଆ ପୂର୍ବରୁ କ୍ବାର୍ଟରଫାଇନାଲ୍‌ ସ୍ଥାନ ପକ୍କା କରି ସାରିଥିବାବେଳେ ବିଜୟୀ ଇଂଲଣ୍ଡ ଏବଂ ବଡ଼ ପରାଜୟ ସତ୍ତ୍ବେ ଚୀନ ପରବର୍ତୀ ଦୁଇ ସ୍ଥାନରେ ରହି କ୍ରସ୍ ଓଭର ଯୋଗ୍ୟତା ଅର୍ଜନ କରି ନେଇଛନ୍ତି। ଏହି ଦୁଇ ମ୍ୟାଚ୍ କିନ୍ତୁ ଗୋଟିଏ ଦିନରେ ସର୍ବାଧିକ ୧୭ ଗୋଲ୍ ଦେଇ ବିଶ୍ବକପ୍ କୀର୍ତିମାନ ଛାଡ଼ିଛି।

୧୧-୦ ପରାଜୟ ସତ୍ତ୍ବେ ଚୀନ କ୍ରସ୍ ଓଭରରେ
ଆୟର୍ଲାଣ୍ଡ୍‌କୁ ବିଦା କଲା ପଡ଼ୋଶୀ ଇଂଲଣ୍ଡ୍‌
ହାର୍ଟବର୍ଜରଙ୍କ ପରେ ଗୋଭର୍ସଙ୍କ ହ୍ୟାଟ୍ରିକ୍‌

ଶୁକ୍ରବାରର ଏହି ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମରୁ ହିଁ ଆକ୍ରମଣ ଆରମ୍ଭ କରି ଦେଇଥିଲା। ବିଶ୍ବ ମାନ୍ୟତାର ଏକ ନମ୍ବର ଦଳ ଏବଂ ୩ ଥର ବିଜେତା ହେବାର ଦକ୍ଷତାକୁ ଭରପୁର ଦେଖାଇଥିଲା। ପୂର୍ବ ଦୁଇ ମ୍ୟାଚ୍ ଜିତି ‌କୁକାବୁରା ଦଳ କ୍ବାର୍ଟରଫାଇନାଲ୍‌ ସ୍ଥାନ ପକ୍କା କରି ସାରିଥିବାରୁ ଚାପରେ ବି ନଥିଲା। ଅନ୍ୟପକ୍ଷରେ ପୂର୍ବ ଦୁଇ ମ୍ୟାଚ୍‌ରେ ଇଂଲଣ୍ଡ ଏବଂ ଆୟର୍ଲାଣ୍ଡକୁ ଅଟକାଇ ଆସିଥିବା ଚୀନ କିନ୍ତୁ ଏହି ମ୍ୟାଚ୍‌ରେ ଚମକହୀନ ଖେଳିଥିଲା। ଅଷ୍ଟ୍ରେଲିଆ ମନଈଚ୍ଛା ଗୋଲ୍‌ ଦେଇ ବଡ଼ ବ୍ୟବଧାନରେ ଜିତିଥିଲା। ପ୍ରଥମ କ୍ବାର୍ଟରରେ ୨, ଦ୍ବିତୀୟରେ ୪, ତୃତୀୟରେ ୩ ଏବଂ ଶେଷଟିରେ ୨ ଗୋଲ୍‌ ଦେଇଥିଲା। ବ୍ଲାକ୍ ଗୋଭର୍ସ (୧୦, ୧୯, ୩୪ ମିନିଟ) ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଟିମ୍ ବ୍ରାଣ୍ଡ୍ (୩୩, ୫୫ ମିନିଟ) ଦୁଇଟି ଗୋଲ୍‌ ଦେଇଥିବାବେଳେ ଆରାନ୍ ଜାଲେସ୍କି (୧୫ ମିନିଟ), ଟମ୍ କ୍ରେଗ୍ (୧୬ ମିନିଟ), ଜେରେମି ହେୱାର୍ଡ (୨୨ ମିନିଟ), ଜେକ୍ ହ୍ବେଟନ୍ (୨୯ ମିନିଟ), ଡାଏଲ ସଦରସ୍ପୁନ (୩୮ ମିନିଟ) ଏବଂ ଫ୍ଲିନ୍ ଓଜିଲ୍‌ଭି (୪୯ ମିନିଟଏ ଲେଖାଏଁ ଗୋଲ୍ ଦେଇଥିଲେ। ଅଷ୍ଟ୍ରେଲିଆ ପାଇଥିବା ୬ ପେନାଲଟି କର୍ନରରୁ ୫ ଗୋଲ୍ କରିଥିଲା। ଅନ୍ୟ ୬ଟି ଫିଲଡ୍‌ ଗୋଲ୍‌ ଥିଲା। ଚୀନ କିନ୍ତୁ ମାତ୍ର ଗୋଟିଏ ପେନାଲଟି କର୍ନର ବେକାର କରିବାରୁ କ୍ଲିନ୍ ସିଟ୍ (୦-୧୧)ରେ ହାରି ନିରାଶ ହୋଇଥିଲ। କିନ୍ତୁ ପୂର୍ବ ଫଳର ମଧୁର ସ୍ମୃତି ଏହି ଏସୀୟ ଦେଶକୁ ପଦାର୍ପଣରେ ବିଶ୍ବକପ୍‌ର ଶ୍ରେଷ୍ଠ ୧୨ ଦଳରେ ରଖିବାରୁ କ୍ରସ୍ ଓଭର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗ ନବନିଯୁକ୍ତ ସଚିବ ସଂଜୟ ସିଂହ ଏବଂ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଅତିଥି ଭାବେ ‌ଯୋଗ ଦେଇଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହ୍ୟାଟ୍ରିକ୍ ମ୍ୟାନ୍ ବ୍ଲାକ୍ ଗୋଭର୍ସଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ପୁରସ୍କାର ପ୍ରଦାନ କରିଥିଲେ।

ଦ୍ବିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ୪-୨ରେ ପଡ଼ୋଶୀ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା। କେବଳ ପରାସ୍ତ କରିନଥିଲା ଏହି ଦେଶକୁ ମଧ୍ୟ ବିଦାୟ ରାସ୍ତା ଦେଖାଇ ଦେଇଥିଲା। କଡ଼ା ସଂଘର୍ଷପୂର୍ଣ୍ଣ ମଧ୍ୟରେ‌ ଖେଳାଯାଇଥିବା ଏହି ମ୍ୟାଚ୍‌ ପ୍ରଥମ ଦୁଇ କ୍ବାର୍ଟର ମାନ୍ଦା ଥିଲା। ଇଂଲଣ୍ଡ କେବଳ ୧୫ତମ ମିନିଟ୍ ଗୋଲ୍ ବଳରେ ପ୍ରଥମାର୍ଧ ସୁଦ୍ଧା ୧-୦ରେ ଆଗୁଆ ରହିଥିଲା। ପାର୍ଶ୍ବ ପରିବର୍ତନ ପରେ ତୃତୀୟ କ୍ବାର୍ଟରରେ ୩ ଗୋଲ୍ ହୋଇଥିଲା। ୩୫ତମ ମିନିଟ୍‌ରେ କ୍ରିସ୍ କାର୍ଗୋଙ୍କ ଫିଲଡ୍‌ ଗୋଲ୍‌ ଆୟର୍ଲାଣ୍ଡକୁ ବରାବର ସ୍ତରକୁ ଆଣିଥିଲା। ଏହା ପରେ ମଧ୍ୟ ଇଂଲଣ୍ଡ (ଆଡାମ୍ ଡିକ୍ସନ-୩୭ ମିନିଟ) ପୁଣି ଆଗେଇଥିଲା ଏବଂ ଆୟର୍ଲାଣ୍ଡ୍ (ସେନ୍ ଓଡୋନୋଗୁ-୩୭ ମିନିଟ) ପୁନଃ ବରାବର କରିଥିଲା। ୩୮ତମ ମିନିଟ୍‌ରେ ଜେମ୍ସ ଗଲ୍‌ଙ୍କ ଗୋଲ୍ ଇଂଲଣ୍ଡକୁ ତୃତୀୟ ଥର ଆଗୁଆ କରିଥିଲା। ଇଂଲଣ୍ଡ ଶେଷ ମିନିଟରେ ପେନାଲଟି କର୍ନରରୁ ମାର୍କ ଗ୍ଲେହର୍ନଙ୍କ ଗୋଲ୍‌ ବଳରେ ମଧ୍ୟ ବ୍ୟବଧାନକୁ ୪-୨ରେ କରି ଆତ୍ମବିଶ୍ବାସର ସହ କ୍ରସ୍ ଓଭର ଖେଲିବାର ଯୋଗ୍ୟତା ଅର୍ଜନ କରି ନେଇଥିଲା। ମ୍ୟାଚ୍ ପ୍ରାରମ୍ଭରେ ଲଣ୍ଡନ୍ ଅଲିମ୍ପିକ୍ସ ପଦକ ବିଜେତା ଗଗନ ନାରଙ୍ଗ ଏବଂ ଶେଷରେ ବିଚାରପତି ଦେବବ୍ରତ ଦାଶ ଅତିଥି ଭାବେ ‌ଯୋଗ ଦେଇଥିଲେ। ଇଂଲଣ୍ଡର ଲିଆମ୍ ଆନସେଲଙ୍କୁ ଶ୍ରୀ ଦାଶ ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର