ଗୋଲ୍‌ଡେନ୍‌ ଗ୍ଲୋବ୍ସ ମୁଷ୍ଟିଯୁଦ୍ଧ: ଭାରତକୁ ୧୭ ପଦକ, ଲଳିିତା ଶ୍ରେଷ୍ଠ

ନୂଆଦିଲ୍ଲୀ: ସର୍ବିୟାରେ ଆୟୋଜିତ ୩୬ତମ ଗୋଲ୍‌ଡେନ୍‌ ଗ୍ଲୋବ୍ସ ଭୋଜ୍‌ଭୋଦିନା ଯୁବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତ ୭ ସ୍ୱର୍ଣ୍ଣ, ୬ ରୌପ୍ୟ ଏବଂ ୪ କାଂସ୍ୟ ସହ ମୋଟ ୧୭ ପଦକ ପାଇ ଅଭିଯାନ ଶେଷ କରିଛି। ଲଲିତା ଶ୍ରେଷ୍ଠ ମୁଷ୍ଟିଯୋଦ୍ଧା ପୁରସ୍କାର ଜିତିଥିଲେ। ଫାଇନାଲ୍‌ରେ ପହଞ୍ଚିଥିବା ୬ ମହିଳା ଯୋଦ୍ଧାଙ୍କ ମଧ୍ୟରେ ୩ ଜଣ ଲେଖାଏଁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ। ଲଲିତା (୬୪ କେଜି) ୫-୦ରେ ରୁଷିଆର ଆଞ୍ଜେଲିନା କାବାକୋଭାଙ୍କୁ, ଯୁବ ବିଶ୍ୱ ପ୍ରତିଯୋଗିତା ବିଜୟିନୀ ନୀତୁ (୪୮ କେଜି) ସ୍କଟ୍‌ଲାଣ୍ଡ୍‌ର ବିଲି ଡେନ୍‌ହୋଲମଙ୍କୁ ଏବଂ ଦିବ୍ୟା ପାଓ୍ଵାର (୫୪ କେଜି) ସ୍ଥାନୀୟ ଖେଳାଳି ଦାଜାନାଗ୍ରୁମୁସାଙ୍କୁ ହରାଇ ସ୍ୱର୍ଣ୍ଣ ପଦକ କରାୟତ କରିଥିଲେ। ତେବେ ଜ୍ୟୋତି, ମନୀଷା ଏବଂ ନେହା ଫାଇନାଲ୍‌ରେ ହାରି ରୌପ୍ୟରେ ସନୁଷ୍ଟ ହୋଇଥିଲେ। ଅନାମିକା, ସାକ୍ଷୀ ଏବଂ ସାକ୍ଷୀ ଉମେଶ ସେମିଫାଇନାଲ୍‌ରୁ ହାରି କାଂସ୍ୟ ପାଇଥିଲେ।
ପୁରୁଷ ବର୍ଗରେ ଅମନ୍‌ (୯୧+ କେଜି), ବରୁଣ ସିଂହ (୪୯ କେଜି), ଆକାଶ କୁମାର (୫୬ କେଜି) ଏବଂ ବିଜୟଦୀପ (୬୯ କେଜି) ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅମନ ୫-୦ରେ ହଙ୍ଗେରିର ଫେଲ୍‌ଫୋଲ୍‌ଡିଙ୍କୁ, ବରୁଣ ୩-୨ରେ ସ୍ଥାନୀୟ ଖେଳାଳି ଜୋକ୍ସିମୋଭିକ୍‌ ଲାସଜ୍ଲୋଙ୍କୁ, ଅକାଶ କୁମାର ଆର୍ଜେଣ୍ଟିନାର ମିର୍କୋ ଜେହିଲ୍‌ କୁଏଲ୍‌ଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଥିଲେ। ଫାଇନାଲ୍‌ରେ ଅଙ୍କିତ (୬୦ କେଜି) ୪-୧ରେ ସ୍କଟ୍‌ଲାଣ୍ଡ୍‌ର ରିଜ୍‌ ଲିଞ୍ଚ୍‌ଙ୍କଠୁ ଏବଂ ନୀତିନ (୭୫ କେଜି) ୩-୨ରେ କାଜଖସ୍ତାନର ଆସନୋଭ ଆଜାତଙ୍କଠୁ ହାରି ସ୍ୱର୍ଣ୍ଣ ଜିତିବାରେ ବିଫଳ ହୋଇଥିଲେ। ଭବେଶ କାଂସ୍ୟ ପଦକ ପାଇଥିଲେ।

ସମ୍ବନ୍ଧିତ ଖବର