ଗୁଣତିଳକଙ୍କ ଜାମିନ ଖାରଜ; କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ନିଲମ୍ବନ କଲା ଶ୍ରୀଲଙ୍କା କ୍ରିକେଟ୍‌

ସିଡ୍‌ନି: ‌‌ଯୌନ‌ ନିର୍ଯାତନା ଅଭିଯୋଗରେ ରବିବାର ସିଡ୍‌ନିରେ ଗିରଫ ହୋଇଥିବା ଶ୍ରୀଲଙ୍କା ବ୍ୟାଟର୍‌ ଦନୁଷ୍କା ଗୁଣତିଳକଙ୍କ ଅଡ଼ୁଆ ବଢ଼ିବାକୁ ଲାଗିଛି। ଏହି ମାମାଲାରେ ସୋମବାର ସିଡ୍‌ନିର ଏକ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲା ବେଳେ ଶ୍ରୀଲଙ୍କା କ୍ରିକେଟ୍‌ (ଏସ୍‌ଏଲ୍‌ସି) ତାଙ୍କୁ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ନିଲମ୍ବନ କରିଛି। ଗୁଣତିଳକଙ୍କୁ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ନିଲମ୍ବନ କରିବା ସହ ତାଙ୍କ ନାମକୁ କୌଣସି ଚୟନ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ ବୋଲି ଶ୍ରୀଲଙ୍କା କ୍ରିକେଟ୍‌ର କାର୍ଯ୍ୟକାରିଣୀ ସମିତି ନିଷ୍ପତ୍ତି ନେଇଛି ବୋଲି ଏସ୍‌ଏଲ୍‌ସି ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ରବିବାର ଗିରଫ ପରେ ସୋମବାର ଗୁଣତିଳକଙ୍କୁ ଭର୍ଚୁଆଲି ‌ସିଡ୍‌ନିର ଏକ କୋର୍ଟରେ ହାଜର କରାଯାଇଥି‌ଲା। ଗୁଣତିଳକଙ୍କ ପକ୍ଷରୁ ଆଇନଜୀବୀ ଆନନ୍ଦ ଅମରନାଥ ଜାମିନ ଆବେଦନ କରିଥିଲେ। ହେଲେ ଏହି ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ଗୁଣତିଳକଙ୍କ କୌଣସି ଅପରାଧିକ ଇତିହାସ ନାହିଁ। ତଥାପି ତାଙ୍କ ଜାମିନ ଆବେଦନକୁ ଖାରଜ କରୁଛୁ ବୋଲି ମାଜି‌ଷ୍ଟ୍ରେଟ୍‌ ରୋବର୍ଟ ୱିଲିୟମ୍ସ ସୋମବାର ଶୁଣାଣି ବେଳେ କହିଥିଲେ। ଅମରନାଥ ଏହି ନି‌ଷ୍ପତ୍ତିରେ ଦୁଃଖ ପ୍ରକାଶ କରିବା ସହ ସୁପ୍ରିମ କୋର୍ଟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର