ଏସିଆ କପ୍‌: ଭାରତ ଓ ପାକିସ୍ତାନ ମୁକାବିଲା ଦେଖିବା ପାଇଁ ୧.୫ଲକ୍ଷ ଟଙ୍କାରେ ବି ଟିକେଟ କାଟିଛନ୍ତି ଦର୍ଶକ

ଦୁବାଇ: ଚଳିତ ଏସିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ  .ହେଉଛନ୍ତି। ସେଥିପାଇଁ ଏହି ବହୁ ପ୍ରତୀକ୍ଷିତ କ୍ରିକେଟ୍‌ ଲଢ଼େଇ ମହାମୁକାବିଲାର ମାନ୍ୟତା ଲାଭ କରିଛି। ଏହି ମହାମୁକାବିଲା ଦେଖିବା ପାଇଁ ଟିକେଟର ମଧ୍ୟ ଜବରଦସ୍ତ ବିକ୍ରି ହୋଇଥିଲା। ଦର୍ଶକ ଭାରତ ଓ ପାକିସ୍ତାନ ଖେଳ ଦେଖିବା ପାଇଁ ଅଧିକରୁ ଅଧିକ ଟଙ୍କା ପୈଠ କରିବା ପାଇଁ ରାଜି ହୋଇ ଯାଇଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତ-ପାକିସ୍ତାନ ଖେଳ ଦେଖିବା ପାଇଁ ଦର୍ଶକ ୧.୫ ଲକ୍ଷ ଟଙ୍କା ଦେଇ ଟିକେଟ କିଣିଥିବା ଜଣାପଡ଼ିଛି।

ଆଜ୍ଞା ହଁ, ଲଗଜୁରି ସିଟ୍‌ରେ ବସି ଖେଳ ଦେଖିବା ପାଇଁ ଦର୍ଶକ ପାଖାପାଖି ୧.୫ଲକ୍ଷ ଟଙ୍କା ପୈଠ କରିଛନ୍ତି। ସେହିପରି କମ୍‌ ଦାମ୍‌ ଥିବା ଟିକେଟ ମୂଲ୍ୟ ୧୫୦, ୩୦୦ ଓ ୪୫୦ ଡିରହମ୍ ( ଦୁବାଇ ମୁଦ୍ରା) ରହିଥିଲା। ସେହିପରି ଅନେକ ସ୍ଥାନରେ ଚାରିଟିରୁ ଅଧିକ ଟିକେଟ କାଟିଲେ ୧୦୦ ଡିରହମ୍ ପର୍ଯ୍ୟନ୍ତ ଟିକେଟ ମୂଲ୍ୟରେ ଛାଡ ଥିଲା। ତେବେ ମହଙ୍ଗା ଟିକେଟର କାରଣ ହେଉଛି କିଛି ଲୋକ ଅନ୍‌ଲାଇନ୍‌ ଟିକେଟ କିଣି ମହଙ୍ଗା ମୂଲ୍ୟରେ ବିକ୍ରି କରୁଛନ୍ତି। କାରଣ ଏହି ଖେଳ ଦେଖିବା ପାଇଁ ଇଚ୍ଛା ରଖିଥିବା ହଜାରହଜାର ଦର୍ଶକଙ୍କୁ ଟିକେଟ ମିଳି ନଥିଲା। ଏସିଆ କପ୍‌ ପାଇଁ ଯେଉଁ ଟିକେଟ ମୂଲ୍ୟ ୬୫୦ ଡିରହମ୍  ଥିଲା ତାହାକୁ ୧୦୦୦ଡିରହମରେ ବିକ୍ରି କରାଯାଉଥିଲା। ଶେଷ ଥର ପାଇଁ ଭାରତ ଏବଂ ପାକିସ୍ତାନ ଗତବର୍ଷ ଇଂଲଣ୍ଡରେ ଆୟୋଜିତ ଚାମ୍ପିଅନ୍‌ସ ଟ୍ରଫିର ଫାଇନାଲରେ ସାମ୍ନାସାମ୍ନି ହୋଇଥିଲେ। ସେଥିର ପାକିସ୍ତାନ ବାଜି ମାରି ନେଇଥିଲା।

ସମ୍ବନ୍ଧିତ ଖବର