କଳିଙ୍ଗରେ ଅଷ୍ଟ୍ରେଲୀୟ ହକି ଦମ୍ପତି, ବୟସ, ଦରିଆ, ଦୂରତା ନୁହେଁ ପ୍ରତିବଂଧକ

ଭୁବନେଶ୍ବର(ସୁରେଶ ସ୍ବାଇଁ): ହକି ପ୍ରେମ ଯେ ବୟସ, ଦରିଆ, ଦୂରତାର ପ୍ରତିବଂଧକରେ ଅଟକିବାର ନାହିଁ ଏହାକୁ ପ୍ରମାଣିତ କରିଛନ୍ତି କଳିଙ୍ଗ ଷ୍ଟାଡିୟମ୍ ଆସିଥିବା ଏକ ଅଷ୍ଟ୍ରେଲୀୟ ହକି ଦମ୍ପତି। ଭୁବନେଶ୍ବରଠାରୁ ୮,୯୬୨ କିଲୋମିଟର ଦୂର ବ୍ରିସ୍‌ବେନ୍‌ରୁ ଆସିଥିବା ଏହି ବୟସ୍କ ଦମ୍ପତ୍ତି ହେଲେ ‌କେଭିନ୍ ହ୍ୟୁଗ୍ସ (୭୦ ବର୍ଷ) ଏବଂ ନାଓନି ‌ହ୍ୟୁଗସ (୬୭ ବର୍ଷ)। ସାତ ଦରିଆ ପାରି ହୋଇ ଏବେ ହକି ପ୍ରେମରେ ମସ୍‌ଗୁଲ ଅଛନ୍ତି। ଭଲରେ ଚାଲିପାରିବା ଅବସ୍ଥାରେ ନଥିବା ଏହି ପୃଥଳକାୟ ଚ‌େହେରାର ଦମ୍ପତି ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଦେଖିଥିଲେ ଅଷ୍ଟ୍ରେଲିଆ-ଆୟର୍ଲାଣ୍ଡ ମ୍ୟାଚ୍‌। ପ୍ରଥମ ଗୋଲ୍‌ ହେବା ପରେ ନାଓନି ଜାତୀୟ ପତାକା ସହ ଉଲ୍ଲସିତ ହାଇ ଛିଡ଼ାହେବା ପ୍ରମାଣିତ କରିଥିଲା ପରିଣତ ବୟସ ବି ତାଙ୍କ ହକି ପ୍ରେମକୁ ପ୍ରଶମିତ କରିପାରିନାହିଁ। ସବୁଠାରୁ ଆଶ୍ଚର୍ଯ୍ୟ ହେଲା, ଏହି ଭେଟେରାନ ହ୍ୟୁଗ୍ସ ପତି-ପତ୍ନୀ କୌଣସି ଖେଳାଳିଙ୍କ ସମ୍ପର୍କୀୟ କି ପରିବାର ଲୋକ ଭାବେ ଆସିନାହାନ୍ତି। ”ଆମେ ଉଭୟ ସ୍କୁଲ ଜୀବନ ଏବଂ ଯୁବାବସ୍ଥାରେ ହକି ଖେଳୁଥିଲୁ। ହକି ପ୍ରତି ରହିଥିବା ଭଲ ପାଇବା ଏବଂ ଦୁର୍ବଳତା ଆମକୁ କେବଳ ଭୁବନେଶ୍ବର ନୁହେଁ ବିଶ୍ବର ବିଭିନ୍ନ ପ୍ରାନ୍ତକୁ ଟାଣି ନେଉଛି। ଆମେ ମିଳିତ ଭାବେ ଅଦ୍ୟାବଧି ୬ଟି ବିଶ୍ବକପ୍ ଦେଖିବାର ସୁଯୋଗ ପାଇ ସାରିଛୁ’ ବୋଲି ଶୁକ୍ରବାର ‘ସମ୍ବାଦ’ ପ୍ରତିନିଧିଙ୍କ ସହ କଥା ହେବା ବେଳେ ପ୍ରକାଶ କରିଥିଲେ ୬୭ ବର୍ଷୀୟା ନାଓମି ହ୍ୟୁଗ୍‌ସ। ଆମେ ଅଷ୍ଟ୍ରେଲିଆ ସହିତ ବିଶ୍ବକପ୍‌ର ଅଧିକାଂଶ ମ୍ୟାଚ୍ ‌ଦେଖିବୁ ଏବଂ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବୁ ବୋଲି କହିଥିଲେ ନାଓମି। ଅଷ୍ଟ୍ରେଲିଆ ଟ୍ରଫି ଜିତିବା ସାଙ୍ଗକୁ ଉଭୟ ବିଶ୍ବକପ୍ ଏବଂ ଭୁବନେଶ୍ବରରେ ହ୍ୟାଟ୍ରିକ୍ କରିବ ବୋଲି ନାଓମି ଆଶା ପ୍ରକାଶ କରିଥିଲେ। ନିଜର ୨ ପୁଅ ଏବଂ ୬ ନାତିନାତୁଣୀ ଥିବା ମଧ୍ୟ ସେ ସୂଚନା ଦେଇଥିଲେ। କିନ୍ତୁ କେହି ‌ଖେଳ ଦୁନିଆ ସହ ନଥିବା କହିଥିଲେ। କ୍ରିକେଟ୍ ପଡ଼ିଆରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଫିଲିପ ହ୍ୟୃଗ୍‌ସଙ୍କ ପରିବାର ସହ ମଧ୍ୟ ସେ ଜଡ଼ିତ ନୁହନ୍ତି ବୋଲି କହିଥିଲେ। ଏହି ଘଟଣା ପାଇଁ କିନ୍ତୁ ସେ ଅତି ମର୍ମାହତ ହୋଇପଡ଼ିଥିଲେ ବୋଲି କହିଥିଲେ। ହ୍ୟୁଗ୍‌ସ ଭାରତ ବିପକ୍ଷରେ ବି ଭଲ ଖେଳିଥିବା କଥା କହିଥିଲେ। ଶେଷରେ ଅଷ୍ଟ୍ରେଲିଆ ୨-୧ରେ ଆୟର୍ଲାଣ୍ଡକୁ ଜିତିଯିବା ପରେ ଏହି ଦମ୍ପତି ପରସ୍ପରକୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇଥିଲେ।

ସମ୍ବନ୍ଧିତ ଖବର