ଦିଲୀପ ହକି ଇଣ୍ଡିଆ ସଭାପତି ପ୍ରାର୍ଥୀ: ‘ହକିକୁ ଶୀର୍ଷକୁ ନେବାକୁ ଚେଷ୍ଟା କରିବି’

ମାରିନଙ୍କୁ କାଠଗଡ଼ାକୁ ଟାଣିବ ହକି ଇଣ୍ଡିଆ

ଭୁବନେଶ୍ବର: ପୂର୍ବତନ ଭାରତୀୟ ଅଧିନାୟକ ତଥା ଅଲିମ୍ପିଆନ୍‌ ଦିଲୀପ ତିର୍କି ହକି ଇଣ୍ଡିଆ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରବିବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ହିଁ ସଭାପତି ଦୌଡ଼ରେ ସାମିଲ ‌ହୋଇଛନ୍ତି ଏକଦା ଭାରତୀୟ ହକିର ରକ୍ଷାପ୍ରାଚୀର ଥିବା ଦିଲୀପ। ପ୍ରାର୍ଥିପତ୍ର ଦାଖଲ କରିବା ପରେ ଭାରତୀୟ ହକିକୁ ଶିଖରରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି। ହକି ଇଣ୍ଡିଆ ନିର୍ବାଚନ ଆସନ୍ତା ଅକ୍ଟୋବର ୧ ତାରିଖରେ ହେବ। ଏହି ନିର୍ବାଚନ ପାଇଁ ବିହାର ସରକାରଙ୍କ ପୂର୍ବତନ ନିର୍ବାଚନ ଅଧିକାରୀ ଅଜୟ ନାୟକ ରିଟଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ଦୁଇ ସପ୍ତାହଧରି ହକି ଇଣ୍ଡିଆର ସଭାପତି ପଦ ଲାଗି ଦିଲୀପଙ୍କ ନାମ ଜାତୀୟସ୍ତରରେ ଚର୍ଚ୍ଚା ହେଉଥିଲା। ତେବେ ସେ ସଭାପତି ହେବେ କି ନାହିଁ ତାହା ନିର୍ବାଚନ ପରେ ସ୍ପଷ୍ଟ ହେବ। ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରିବା ଲାଗି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍) ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି।

୪୪ ବର୍ଷୀୟ ଦିଲୀପ ତିର୍କି ହେଉଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଫୁଲ୍‌ବ୍ୟାକ୍‌ ଖେଳାଳି। ୨୦୧୨ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ଏବେ ସେ ଓଡ଼ିଶା ହକି ବିକାଶ ପରିଷଦ ଅଧ୍ୟକ୍ଷ ଏବଂ ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶାର ସଭାପତି ରହିଛନ୍ତି। ଦିଲୀପ ୧୯୯୮ ବ୍ୟାଙ୍କକ୍‌ ଏବଂ ୨୦୧୨ ବୁସାନ ଏସୀୟ କ୍ରୀଡ଼ାରେ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ବିଜେତା ଭାରତୀୟ ହକି ଦଳର ସଦସ୍ୟ ଥିଲେ। ଏହା ବ୍ୟତୀତ ସେ ୨୦୦୩ କୁଆଲାଲୁମ୍ପୁର ଏବଂ ୨୦୦୭ ଚେନ୍ନାଇ ଏସୀୟ କପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପୁଣି ୧୯୯୯ ଏସୀୟ କପ୍‌ରେ ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ। ଦେଢ଼ ଦଶନ୍ଧିରୁ ଅଧିକ ସମୟର ଖେଳ ଜୀବନରେ ଭାରତ ପକ୍ଷରୁ ସେ ଏକଦା ରେକର୍ଡ ଥିବା ୪୧୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।

‘ହକିକୁ ଶୀର୍ଷକୁ ନେବାକୁ ଚେଷ୍ଟା କରିବି’
ଭାରତୀୟ ହକିକୁ ନେଇ ରଖିଥିବା ଯୋଜନା ବିଷୟରେ ସମ୍ୟକ୍ ବିବରଣୀ ଦେଇ ଦିଲୀପ କହିଛନ୍ତି, ‘‘ସମସ୍ତଙ୍କ ଆଶୀର୍ବାଦକୁ ପୁଞ୍ଜି କରି ହକି ଇଣ୍ଡିଆ ସଭାପତି ପଦ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କଲି। ହକି ଆସୋସିଏସନ୍ ଅଫ୍ ଓଡ଼ିଶାର ସଭାପତି ଭାବେ ମୁଁ ଏହି ପ୍ରାର୍ଥିପତ୍ର ଦାଖଲ କରିଛି। ଏଥିନେଇ ମୁଁ ଅଧିକାଂଶ ସଦସ୍ୟ ରାଜ୍ୟ ସହିତ କଥା ହୋଇସାରିଛି। ପୂରା ଉତ୍ତରପୂର୍ବ ରାଜ୍ୟ ସଂଘ ମୋ ସହିତ ଅଛି। ବେଙ୍ଗଲ, ଆସାମ, ମିଜୋରାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଭଳି ରାଜ୍ୟ ମୋତେ ସମର୍ଥନ କରୁଛନ୍ତି। ଏହି ରାଜ୍ୟଗୁଡ଼ିକ ବ୍ୟତୀତ କେରଳ, ତାମିଲନାଡୁ, ରାଜସ୍ଥାନ ସହ ମଧ୍ୟ ମୁଁ ଆଲୋଚନା କରିଛି ଏବଂ ସେମାନେ ସକାରାତ୍ମକ ସଙ୍କେତ ଦେଇଛନ୍ତି। ଯାହା ମୋ ଆତ୍ମବିଶ୍ବାସକୁ ବଢ଼ାଇଛି। ହକି ମୋତେ ବହୁତ କିଛି‌ ଦେଇଛି। ଜଣେ ଖେଳାଳି ଭାବେ ଢେର ସମୟ ଦେଶର ପ୍ରତିନିଧିତ୍ବ କରିଛି। ଅବସର ପରେ ଓଡ଼ିଶା ହକିର ବିକାଶ ଲାଗି ନିରନ୍ତର ପ୍ରୟାସ ଜାରି ରଖିଛି। ଏଣୁ ଜାତୀୟ ସଂଘରେ କାର୍ଯ୍ୟ କରି ହକି ପାଇଁ ଆହୁରି ଭଲ କାମ କରିପାରିବି ବୋଲି ଭାବୁଛି। ଏହା ନିଶ୍ଚିତ ଯେ ମୁଁ ହକିକୁ ଶିଖରକୁ ନେଇପାରିବି।’’

ହକି ଇଣ୍ଡିଆର ମୁଖ୍ୟ ଭାବେ ନିର୍ବାଚିତ ହେଲେ ତାଙ୍କର ପ୍ରମୁଖ ଲକ୍ଷ୍ୟ କ’ଣ ରହିବ ବୋଲି ପଚରାଯିବାରୁ ଦିଲିପ କହିଥିଲେ, ତ୍ରୁଣମୂଳସ୍ତରରେ ହକି ବିକାଶ କାର୍ଯ୍ୟକ୍ରମକୁ ଆହୁରି ଶକ୍ତିଶାଳୀ କରିବାକୁ ଚାହିବି। ଯେଉଁ ରାଜ୍ୟଗୁଡ଼ିକରେ ହକି ଏକଦା ଲୋକପ୍ରିୟତାର ଶୀର୍ଷରେ ଥିଲା ଏବଂ ସେଠାରୁ ବହୁ ଖେଳାଳି ସୃଷ୍ଟି ହେଉଥିଲେ, ସଂପ୍ରତି ସେଠା‌ରେ କାହିଁକି ଏହି ଖେଳ ନିମ୍ନଗାମୀ ହେଉଛି ତାହାର କାରଣ ଖୋଜିବାକୁ ପ୍ରୟାସ କରିବି। ଏଦିଗରେ ସଠିକ୍‌ ପଦକ୍ଷେପ ନେଇ ସେହିସବୁ ରାଜ୍ୟରେ ହକିର ହୃତ ଗୌରବ ଫେରାଇ ଆଣିବା ଦିଗରେ କାର୍ଯ୍ୟ କରିବି। ସେହିସବୁ ରାଜ୍ୟକୁ ଭ୍ରମଣ କରି ହକିର ସାମଗ୍ରିକ ବିକାଶ ଏବଂ ପ୍ରଚାର ଦିଗରେ ପଦକ୍ଷେପ ନେବି।

ମାରିନଙ୍କୁ କାଠଗଡ଼ାକୁ ଟାଣିବ ହକି ଇଣ୍ଡିଆ

ନୂଆଦିଲ୍ଲୀ: ପୂର୍ବତନ ପ୍ରଶିକ୍ଷକ ଜୋଏଡ୍ ମାରିନଙ୍କୁ ଅଦାଲତକୁ ଟାଣିବାକୁ ହକି ଇଣ୍ଡିଆ ସଜବାଜ ହେଉଛି। ମାରିନ ନିଜ ଆତ୍ମଜୀବନୀ ‘ୱିଲ୍ ପାୱାର: ଦ ଇନ୍‌ସାଇଡ୍ ଷ୍ଟୋ‌ରୀ ଅଫ୍ ଦ ଇନ୍‌କ୍ରେଡେବୁଲ ଟର୍ଣ୍ଣଆରାଉଣ୍ଡ୍‌ ଇନ୍ ଇଣ୍ଡିଆନ୍ ଓମେନ୍ସ ହକି’ରେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହଙ୍କୁ ‌ନେଇ ବିବାଦୀୟ କଥା ଲେଖିଛନ୍ତି। ସେଥିପାଇଁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ସଙ୍କେତ ଦେଇଛି ହକି ଇଣ୍ଡିଆ। ମାରିନ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ ଏକଦା ମନପ୍ରୀତ ତାଙ୍କ ବନ୍ଧୁଙ୍କୁ ଖେଳାଇବା ପାଇଁ ଜଣେ ଯୁବ ଖେଳାଳିଙ୍କୁ ଭଲ ନଖେଳିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣା ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅବସରରେ ଘଟିଥିଲା। ଘଟଣା ବିଷୟରେ ବିସ୍ତୃତ ବିବରଣୀ ଦେବାକୁ ଯାଇ ମାରିନ ଆହୁରି ଲେଖିଛନ୍ତି ଯେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ମୁଁ ଜଣେ ପ୍ରତିଭାବାନ ଯୁବ ଖେଳାଳିଙ୍କୁ ବାଛିଥିଲି। ହେଲେ ସେ ପୂରା ଫ୍ଲପ୍ ରହିଥିଲେ। ପରେ ମୁଁ ଜାଣିବାକୁ ପାଇଥିଲି ଯେ ନିଜ ସାଙ୍ଗମାନଙ୍କୁ ଦଳରେ ରଖିବା ଲାଗି ଦକ୍ଷତା ମୁତାବକ ଓ ଭଲ ନଖେଳିବା ଲାଗି ମନପ୍ରୀତ ତାଙ୍କୁ କହିଥିଲେ। ଫଳରେ ନିଜ ସ୍ବାଭାବିକ ଖେଳ ଖେଳିନପାରି ସଂପୂର୍ଣ୍ଣ ବିଫଳ ହୋଇଥିଲେ ସଂପୃକ୍ତ ଖେଳାଳି।

ମାରିନଙ୍କ ଏହି ଚାଞ୍ଚଲ୍ୟକର ଦାବି ପରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ପ୍ରେସ୍ ବାର୍ତ୍ତା ଜାରି କରି ତାଙ୍କ ଅଭିଯୋଗରେ କୌଣସି ସତ୍ୟତା ନଥିବା ସ୍ପଷ୍ଟ କରିଛନ୍ତି। ‘‘ଅତ୍ୟନ୍ତ ଗୋପନୀୟ ଓ ବ୍ୟକ୍ତିଗତ ତଥ୍ୟକୁ ମାରିନ ପଦାରେ ପକାଇଛନ୍ତି। ଆମ ଦଳ ସହ କଟାଇଥିବା ସମୟକୁ ସେ ବ୍ୟକ୍ତିଗତ ଫାଇଦା ପାଇଁ ଉପଯୋଗ କରିଛନ୍ତି। ନିଜ ଆତ୍ମଜୀବନୀକୁ ବିକ୍ରି କରିବା ଲାଗି ମନଗଢ଼ା କଥା ଲେଖିଛନ୍ତି। ଏହା ଜଣେ ପ୍ରଶିକ୍ଷକଙ୍କ କ୍ଷେତ୍ରରେ ଆଦୌ ଶୋଭା ପାଏନି। ନିଜ ଚୁକ୍ତିର ନିୟମ ଖିଲାପ କରିଛନ୍ତି ସେ। ଆମେ ତାଙ୍କ ବିରୋଧରେ ଅଦାଲତକୁ ଯିବାକୁ ଯୋଜନା କରୁଛୁ।’’ ବୋଲି ଏହି ପ୍ରେସ୍ ବାର୍ତ୍ତାରେ କୁହାଯାଇଛି। ସୂଚନାଯୋଗ୍ୟ ଯେ ମାରିନ ୯ ମାସ ପାଇଁ ଭାରତୀୟ ପୁରୁଷ ହକି ଦଳର ପ୍ରଶିକ୍ଷକ ଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦୁର୍ବଳ ପ୍ରଦର୍ଶନ ପରେ ନିଜ ପଦ ହରାଇଥିଲେ। ତେବେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଐତିହାସିକ ଚତୁର୍ଥ ସ୍ଥାନ ଅଧିକାର କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।

ସମ୍ବନ୍ଧିତ ଖବର