କଳିଙ୍ଗରେ ହକି ଅଭ୍ୟାସ ଆରମ୍ଭ

ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ବନ୍ଦ ଥିବା କଳିଙ୍ଗ ‌ଷ୍ଟାଡିୟମ କିଛିଦିନ ତଳେ ଅଲିମ୍ପିକ୍ସ ପ୍ରସ୍ତୁତ ଲାଗି ପ୍ରମୁଖ ଆଥ୍‌ଲେଟ୍‌ଙ୍କ ପାଇଁ ଖୋଲିଥିଲା। ଏବେ କଳିଙ୍ଗ ଷ୍ଟାଡିୟମରେ ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଓ ନାଭାଲ ଟାଟା ହକି ଏକାଡେମି (ଏନ୍‌ଟିଏଚ୍‌ଏ) ଓଡ଼ିଶାର ଅନ୍ତେବାସୀଙ୍କୁ ଆଉଟ୍‌ଡୋର ଅଭ୍ୟାସ ସୁଯୋଗ ଦେଇଛନ୍ତି। ଖେଳାଳିମାନେ ରାଜ୍ୟ, କେନ୍ଦ୍ର ଓ ଅନ୍ତର୍ଜାତୀୟସ୍ତରରେ ଜାରି ହୋଇଥିବା କୋଭିଡ୍‌-୧୯ର ସମସ୍ତ ନିୟମାବଳୀକୁ ପାଳନ କରି ଅଭ୍ୟାସ କରିଥିଲେ। ଆରମ୍ଭରୁ ସ୍ବଳ୍ପ (୫ ଜଣ) ଖେଳାଳିଙ୍କୁ ଅଭ୍ୟାସ ଲାଗି ସୁଯୋଗ ମିଳିଛି। ଆଗାମୀ ସପ୍ତାହରେ ଆଉ ୫ ଜଣ ଏହି ପ୍ରଶିକ୍ଷଣ ଦଳରେ ଯୋଗଦେବେ। ଲକ୍‌ଡାଉନ୍‌ ପରେ ଖେଳାଳିମାନେ ଅଭ୍ୟାସକୁ ଫେରିବା ଲାଗି ଅନେଇ ବସିଥିଲେ। ‌ସାଥୀ ଖେଳାଳି, ପ୍ରଶିକ୍ଷକ ଓ ସହଯୋଗୀ ଷ୍ଟାଫ୍‌ଙ୍କ ମଧ୍ୟରେ ସାମାଜିକ ଦୂରତା ଏବଂ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା, ହାତ ଧୋଇବା ଉପରେ ଗୁରୁତ୍ବ ଦେଇ ପ୍ରଶିକ୍ଷଣ ଆରମ୍ଭ କରିଛୁ। ଏଥିସହ ଖେଳାଳିଙ୍କ ତାପମାତ୍ରା ମପାଯିବା ସହ, ଟର୍ଫକୁ ପ୍ରତି ସେସନ ପରେ ସାନିଟାଇଜ କରାଯାଉଛି ବୋଲି ଏନ୍‌ଟିଏଚ୍‌ଏ ପକଳ୍ପ ନିର୍ଦେଶକ ରାଜୀବ ସେଠ୍‌ ପ୍ରକାଶ କରିଛନ୍ତି।

ଜାତୀୟ ଓ ଅନ୍ତର୍ଜାତୀୟ ପ୍ରଶିକ୍ଷକଙ୍କ ପାଇଁ ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ‌ଆଣୁଛନ୍ତି। ସେମାନେ ଏବେ ଦୃଢ଼ ଆତ୍ମବିଶ୍ବାସ ସହ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ଓଡ଼ିଶାରେ ଅନ୍ତର୍ଜାତୀୟସ୍ତରର ହକି ପ୍ରତିଯୋଗିତା ଲଗାତାର ଭାବେ ଆୟୋଜିତ ହେଉଛି। ନିକଟରେ ଅଲିମ୍ପିକ୍ସ ‌ଯୋଗ୍ୟତା ପର୍ଯ୍ୟାୟ ବେଳେ ଖେଳାଳିମାନେ ଭାରତୀୟ ମହିଳା ହକି ଦଳ ସହ ମିଶିବାର ସୁଯୋଗ ପାଇଥିଲେ। ଯାହା ସେମାନଙ୍କୁ ଭଲ ପ୍ରଦର୍ଶନ କରିବା ଲାଗି ପ୍ରେରଣା ଦେଇଛି। ଲକ୍‌ଡାଉନ୍‌ ସମୟରେ ସେମାନେ ଫିଟ୍‌ ରହିବା ଲାଗି ବ୍ୟାୟାମ କରୁଥିଲେ। ଏବେ ଆହତ ସମସ୍ୟାକୁ ଦୂରେଇବା ପାଇଁ ହାଲ୍‌କା ଅଭ୍ୟାସ କରାଉଛୁ। ଜୁଲାଇ ପ୍ରଥମ ସପ୍ତାହ ବେଳକୁ ହକି ଷ୍ଟିକ୍‌ରେ ଅଭ୍ୟାସ ଆରମ୍ଭ ହେବ ବୋଲି ମୁଖ୍ୟ ପ୍ରଶିକ୍ଷକ ପି ଲକ୍ଷ୍ମୀନାରାୟଣ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଓଡ଼ିଶା ସରକାର ଓ ନାଭାଲ ଟାଟା ହକି ଏକାଡେମିର ମିଳିତ ସହଯୋଗରେ ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଗତ ବର୍ଷ ଅଗଷ୍ଟ ମାସରେ ଆରମ୍ଭ ହୋଇଥିଲା। ଏହି କେନ୍ଦ୍ରରେ ଓଡ଼ିଶାରୁ ୧୮, ଝାଡଖଣ୍ଡରୁ ୫, ଆସାମରୁ ୨ ଏବଂ ପଞ୍ଜାବ, ଉତ୍ତରପ୍ରଦେଶ ଓ ମଣିପୁରରୁ ଜଣେ ଲେଖାଏଁ ଖେଳାଳି ରହିଛନ୍ତି। କେନ୍ଦ୍ରରେ ଅତି ବେଶିରେ ୩୦ ବାଳିକା ରହିବାର ବ୍ୟବସ୍ଥା ଥିଲା ‌ବେଳେ ଏବେ ୨୮ ଜଣ ଅଛନ୍ତି।

ସମ୍ବନ୍ଧିତ ଖବର