ଭାରତୀୟ ବାୟୁସେନାକୁ ସାଲ୍ୟୁଟ ମାରୁଛି, ଜୟହିନ୍ଦ୍‌: ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ପାକିସ୍ତାନରେ ମଙ୍ଗଳବାର ଭୋର ସକାଳୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ ପରେ ବିଶ୍ୱର ଜଣାଶୁଣା ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଭାରତୀୟ ବାୟୁସେନାକୁ ସାଲ୍ୟୁଟ ମାରିଛନ୍ତି। ଭାରତୀୟ ବାୟୁସେନା ପକ୍ଷରୁ ଆଜି ସର୍ଜିକାଲ ଷ୍ଟ୍ରାଇକ କରାଯାଇ ଅନେକ ଗୁଡ଼ିଏ ଆତଙ୍କବାଦୀଙ୍କ ଶିବିର ଧ୍ୱଂସ କରାଯାଇଛି।

ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଫେବ୍ରୁଆରି ୧୪ରେ ଜୈସ-ଏ ମହମ୍ମଦ ଆତଙ୍କବାଦୀଙ୍କ ଦ୍ୱାରା ୪୦ ଜଣ ସିଆରପିଏଫ ଯବାନ ସହିଦ ହେବା ପରେ ଭାରତ ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିଥିଲା। ଭାରତୀୟ ବାୟୁସେନାର ମିରାଜ-୨୦୦୦ ମଧ୍ୟପ୍ରଦେଶର ଗ୍ଵାଲିୟର ଠାରୁ ଆଜି ଯାତ୍ରା ଆରମ୍ଭ କରି ନିୟନ୍ତ୍ରଣ ରେଖା ଅତିକ୍ରମ କରି ପାକିସ୍ତାନ ଅଧିକୃତ କଶ୍ମୀରରେ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲା।

ବାୟୁସେନା ଆକାଶରୁ ସର୍ଜିକାଲ ଷ୍ଟ୍ରାଇକ୍‌ କରିବା ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜର ଟୁଇଟର ଆକାଉଣ୍ଟରେ ଟୁଇଟ୍‌ କରିଛନ୍ତି। ସଚିନ କହିଛନ୍ତି, ମୁଁ ବାୟୁସେନାକୁ ସାଲ୍ୟୁଟ ମାରୁଛି। ‘ଜୟ ହିନ୍ଦ୍‌।’ ପୂର୍ବରୁ ବୀରେନ୍ଦ୍ର ସେହେଓ୍ଵାଗ, ଗୌତମ ଗମ୍ଭୀର, ଆଜିଙ୍କ୍ୟ ରାହାଣେ, ସୁରେଶ ରାଇନା ଓ ୟୁଜବେନ୍ଦ୍ର ଚହଲ ଭାରତୀୟ ବାୟୁ ସେନାକୁ ପ୍ରଣାମ ଜଣାଇଛନ୍ତି। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସି ସ୍ପଷ୍ଟ କରିଛନ୍ତି ଯେ, ଭାରତୀୟ ବାୟୁ ସେନାର ଜାହାଜ ନିୟନ୍ତ୍ରଣ ରେଖା ଅତିକ୍ରମ କରିଛି।

ସମ୍ବନ୍ଧିତ ଖବର