କୌଣସି ଦିନ ଯଦି ରୋନାଲ୍‌ଡୋ ହୋଇ ଉଠେ, ସର୍ବପ୍ରଥମେ ମସ୍ତିସ୍କର ସ୍କାନ୍ କରିବି: କୋହଲି

ନୂଆଦିଲ୍ଲୀ: ‘‘କୌଣସି ଦିନ ସକାଳୁ ଯଦି ଅଚାନକ ମୁଁ ମହାନ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲଡୋ ହୋଇ ଉଠେ, ସର୍ବପ୍ରଥମେ ମୋ ମସ୍ତିସ୍କର ସ୍କାନ୍ କରିବି। ଏହା କରି ‌ରୋନାଲେଡୋ କେଉଁଠାରୁ ଏତେ ମାନସିକ ଶକ୍ତି ପାଆନ୍ତି, ତାହା ଜାଣିବାକୁ ଚେଷ୍ଟା କରିବି।’’ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଆଇପିଏଲ୍ ଦଳର ‘ବିହାଇଣ୍ଡ ଦ ସିରିଜ୍’ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତୀୟ କ୍ରିକେଟ୍ ଦଳ ତଥା ଆର୍‌ସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି ଏଭଳି ମନ୍ତବ୍ୟ ଦେଇଛନ୍ତି। ତା’ ସହ ବ୍ୟକ୍ତିଗତ ଅଧ୍ୟବସାୟ, ଏକାଗ୍ରତା ତଥା କଠୋର ସାଧନା ବଳରେ ବିଶ୍ବର ଆଗଧାଡ଼ିର ଫୁଟବଲର୍ ପାଲଟିଥିବା ରୋନାଲ୍‌ଡୋଙ୍କର ସେ ଜଣେ ବହୁତ ବଡ଼ ପ୍ରଶଂସକ ବୋଲି ପୁଣି ଥରେ ଦୋହରାଇଛନ୍ତି କୋହଲି। ‘‘ରୋନାଲ୍‌ଡୋ ମୋ ପସନ୍ଦର ଫୁଟବଲର୍‌। ତାଙ୍କୁ ମୁଁ ବହୁତ ସମ୍ମାନ କରେ।’’ ବୋଲି ମଧ୍ୟ ଏହି ଅବସରରେ କହିଥିଲେ କୋହଲି। ସେହିଭଳି ଏହି କାର୍ଯ୍ୟକ୍ରମ ଅବସରରେ କ୍ରିକେଟ୍ ଐତିହାସିକ ତଥା କ୍ରୀଡ଼ା ସାମ୍ବାଦିକ ବୋରିଆ ମଜୁମଦାରଙ୍କ ସହ କଥା ହୋଇ ନିଜର ସବୁଠାରୁ ସ୍ମରଣୀୟ ତଥା ଦୁଃଖଦ କ୍ରିକେଟିଂ ମୁହୂର୍ତ୍ତ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ ସେ। ୨୦୧୬ ଆଇପିଏଲ୍ ଫାଇନାଲ୍‌ ପରାଜୟ ତଥା ସେହିବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ସେମିଫାଇନାଲ୍‌ରେ ୱେଷ୍ଟଇଣ୍ଡିଜ୍‌ଠାରୁ ହାରି ବିଦାୟ ନେବାକୁ ନିଜ ଜୀବନର ସବୁଠାରୁ ଦୁଃଖଦ କ୍ରିକେଟିଂ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଥିଲେ କୋହ ଲି। ୨୦୧୬ର ଗୁଜରାଟ ଲାୟନ୍ସ ବିପକ୍ଷ କ୍ବାଲିଫାୟର-୧ ବିଜୟକୁ ନିଜର ଅନ୍ୟତମ ସ୍ମରଣୀୟ ଆଇପିଏଲ୍ ମୁହୂର୍ତ୍ତ ଭାବେ ବିବେଚନା କରିଥିଲେ କୋହଲି।

ସମ୍ବନ୍ଧିତ ଖବର