ଚାଲେଞ୍ଜର ଦଳରେ ମାଧୁରୀଙ୍କୁ ଉପେକ୍ଷା, ଅଣଦେଖା ନେଇ ବିସିସିଆଇକୁ ଚିଠି ଲେଖିଲା ଓସିଏ

ଓଡ଼ିଶାରୁ କେବଳ ସୁଶ୍ରୀ

କଟକ: ଭଲ ପ୍ରଦର୍ଶନ ସତ୍ତ୍ବେ ଜାତୀୟସ୍ତରର ଦଳ ଚୟନ ବେଳେ ଓଡ଼ିଆ ଖେଳାଳିଙ୍କୁ ଅଣଦେଖା ଏକ ପରମ୍ପରା ପାଲଟିଗଲାଣି। ଅଗ୍ରଣୀ ପ୍ରଦର୍ଶନକାରୀଙ୍କ ତାଲିକାରେ ସ୍ଥାନ ପାଇଥିଲେ ସୁଦ୍ଧା ଚୂଡ଼ାନ୍ତ ଦଳରେ ଖେଳାଳିଙ୍କୁ ସ୍ଥାନ ମିଳିନି। ବିସିସିଆଇ ପକ୍ଷରୁ ଶନିବାର ମହିଳା ଦିନିକିଆ ଚାଲେଞ୍ଜର ଟ୍ରଫି ପାଇଁ ୪ଟି ଦଳ ଘୋଷଣା କରାଯାଇଛି। ଏହି ଦଳରେ ୬୦ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ଭାରତ ‘ଏ’ ଦଳରେ ଅଲରାଉଣ୍ଡର୍ ସୁଶ୍ରୀ ଦିବ୍ୟଦର୍ଶିନୀ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। କିନ୍ତୁ ମାଧୁରୀ ମେହେଟା ଓ ରସନାରା ପରବିନଙ୍କ ନାମକୁ ବିଚାରକୁ ନିଆଯାଇନଥିବାରୁ ଓଡ଼ିଶା କ୍ରିକେଟ ସ˚ଘ (ଓସିଏ) ପ୍ରତିକ୍ରିୟା ପ୍ରକାଶ କରିଛି। ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଝିଅଙ୍କୁ ଅଣଦେଖା କରାଯାଉଥିବା ନେଇ ଓସିଏ ପକ୍ଷରୁ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟକୁ ଚିଠି ଲେଖାଯାଇଥିବା ସମ୍ପାଦକ ସ˚ଜୟ ବେହେରା ପ୍ରକାଶ କରିଛନ୍ତି। କିନ୍ତୁ ଓସିଏ ଲବି ନକରିବାରୁ ରାଜ୍ୟର ଆଗଧାଡ଼ିର ଖେଳାଳି ଏଭଳି ଅଣଦେଖାର ଶିକାର‌ ହୋଇଛନ୍ତି। ପୁରୁଷ କ୍ରିକେଟ୍‌ରେ ଓଡ଼ିଶାର ନିରାଶାଜନକ ପ୍ରଦର୍ଶନ ଜାରି ରହିଥିବା ବେଳେ ଏକ ପ୍ରକାର ଅଧୋପତନ ଘଟିଛି। ରାଜ୍ୟର ମହିଳା କ୍ରିକେଟରମାନେ କିନ୍ତୁ ଭଲ ପ୍ରଦର୍ଶନ କରିଆସୁଥିଲେ ମଧ୍ୟ‌ ପ୍ରୋତ୍ସାହନ ଓ ସମର୍ଥନ ପାଉନଥିବାରୁ ଆଗକୁ ବଢ଼ି ପାରୁନାହାନ୍ତି।

ସଦ୍ୟ ସମାପ୍ତ ଅନ୍ତଃରାଜ୍ୟ ମହିଳା ଦିନିକିଆରେ ମାଧୁରୀ ମେହେଟ୍ଟା ୭ ମ୍ୟାଚ୍‌ରୁ ୬୦.୬୭ ରନ୍‌ ହାରରେ ୩୬୪ ରନ୍‌ ସ˚ଗ୍ରହ କରିବା ସହ ବ୍ୟାଟରଙ୍କ ତାଲିକାର ମିଳିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେ ୧ ଶତକ ଓ ୨ ଅର୍ଧଶତକ ଅର୍ଜନ କରିଥିଲେ। ତାଙ୍କ ବ୍ୟତୀତ ରସନାରା ପରବିନ୍‌ ୭ ମ୍ୟାଚ୍‌ରୁ ୧୪ ଵିକେଟ ନେଇଥିଲା ବେଳେ ସେଥିମଧ୍ୟରେ ଥରେ ୫ ଵିକେଟ ସଫଳତା ପାଇଛନ୍ତି। ଯେଉଁଥି ପାଇଁ ବୋଲରଙ୍କ ତାଲିକାରେ ସେ ଷଷ୍ଠ ସ୍ଥାନରେ ରହିଥିଲେ। ଅନ୍ୟତମ ବୋଲର ପ୍ରିୟଙ୍କା ପ୍ରିୟଦର୍ଶିନୀ ୧୧ ଵିକେଟ୍‌ ନେଇ ୧୬ତମ ସ୍ଥାନରେ ଥିଲେ। ଏସବୁ ସତ୍ତ୍ବେ ଏମାନଙ୍କ ମଧ୍ୟରୁ କେହି ବି ଚାଲେଞ୍ଜର ଟ୍ରଫି ଦଳରେ ସୁଯୋଗ ପାଇପାରିଲେନି। ମହିଳା ଦିନିକିଆରେ ଓଡ଼ିଶା ଏଲିଟ୍‌ ଗ୍ରୁପ୍‌ ‘ବି’ରେ ୫ରୁ ୪ ମ୍ୟାଚ୍‌ରେ ବିଜୟୀ ହୋଇ ଦ୍ବିତୀୟ ସ୍ଥାନରେ ରହିଥିଲା। ତେଣୁ ମାଧୁରୀ, ରସନାରା, ସୁଶ୍ରୀ ଚାଲେଞ୍ଜର ଦଳରେ ସ୍ଥାନ ପାଇବା ନେଇ ରାଜ୍ୟ କ୍ରିକେଟପ୍ରେମୀ ଆଶାବାଦୀ ଥିଲେ। କିନ୍ତୁ ଶନିବାର ଘୋଷଣା ହୋଇଥିବା ୪ ଦଳରେ ସୁଶ୍ରୀଙ୍କୁ ଛାଡ଼ିଦେଲେ ଅନ୍ୟ କାହାରିକୁ ସୁଯୋଗ ଦିଆନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଓସିଏ କେବଳ ଚିଠି ଲେଖି ଚୁପ୍ ରହିଲେ ଚଳିବ ନାହିଁ, ଏହାକୁ ନେଇ ବିଦ୍ରୋହ କରିବାର ଆବଶ୍ୟକତା ରହିଛି ବୋଲି କେତେକ ପ୍ରଶଂସକ ମତ ଦେଇଛନ୍ତି। ବିଶେଷ କରି ମାଧୁରୀ ମେହେଟା ବିଗତ ୫ ବର୍ଷ ଧରି ଲଗାତାର ଭାବେ ଭଲ ପ୍ରଦର୍ଶନ କରିଆସୁଥିଲେ ଏବଂ ଭାରତୀୟ ଦଳକୁ ପ୍ରତ୍ୟାବର୍ତନ ଲାଗି ଚାଲେଞ୍ଜର ଟ୍ରଫି ଦଳରେ ସୁଯୋଗ ପାଇବାର ଆବଶ୍ୟକତା ଥିଲା। ତାଙ୍କ ସମକକ୍ଷ ପ୍ରଦର୍ଶନ ନକରି ଅନେକ ଖେଳାଳିଙ୍କୁ ସୁଯୋଗ ମିଳିଥିଲେ ମଧ୍ୟ ମାଧୁରୀଙ୍କ ଅଣଦେଖାକୁ ପ୍ରଶଂସକ ଓ ପ୍ରଶାସକ ସହଜରେ ଗ୍ରହଣ କାରିପାରୁନାହାନ୍ତି। ସୂଚନାଯୋଗ୍ୟ, ଚାଲେଞ୍ଜର ଟ୍ରଫି ଡିସେମ୍ବର ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ବିଜୟଵାଡ଼ାରେ ଖେଳାଯିବ।

ସମ୍ବନ୍ଧିତ ଖବର