ସାତ ବର୍ଷ ତଳେ ଭାରତ ଜିତିଥିଲା ଚାମ୍ପିଅନ୍ସ ଟ୍ରଫି

ରୋହିତଙ୍କ ଦିନିକିଆ ପଦାର୍ପଣ ପୂର୍ତ୍ତି

ନୂଆଦିଲ୍ଲୀ: ଆଜକୁ ଠିକ୍‌ ୭ ବର୍ଷ ତଳେ (୨୩ ଜୁନ୍‌ ୨୦୧୩) ଭାରତ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ‘କ୍ୟାପ୍‌ଟେନ୍ କୁଲ୍‌’ ଭାବେ ବିବେଚିତ ମହେନ୍ଦ୍ର ସିଂହ‌ ଧୋନିଙ୍କ ନେତୃତ୍ବରେ ହୋଇଥିବା କେତେକ ପରିବର୍ତନ ହିଁ ତାଙ୍କ ଦଳକୁ ଏହି ସଫଳତା ପ୍ରଦାନ କରିଥିଲା। ପୂର୍ବର ଆଇପିଏଲ୍‌ ପ୍ରଦର୍ଶନ ଆଧାରରେ କିଛି ଖେଳ‌ାଳି ଦଳକୁ ଆସିଥିଲେ। ପ୍ରାୟ ୨ ବ‌ର୍ଷ ପରେ ଶିଖର ଧାୱନ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଭାବେ ଆସିଥିଲେ। ଏକ ଅଭ୍ୟାସ ମ୍ୟାଚ୍‌ରେ ଧାୱନଙ୍କ ସହିତ ରୋହିତ ଶର୍ମା ପାଳି ଆରମ୍ଭ କରିବା ପରେ ଏମାନେ ଭାରତର ସ୍ଥାୟୀ ଯୋଡ଼ି ପାଲଟିଯାଇଥିଲେ। ଧୋନିଙ୍କ ଏହ‌ି ମାଷ୍ଟର୍‌ଷ୍ଟ୍ରୋକ୍‌ ପରେ ସଫଳ ହୋଇଥିଲେ ଧାୱନ-ରୋହିତ ଓ ଭାରତ। ଏମାନଙ୍କ ବଢ଼ିଆ ଆରମ୍ଭ ପରେ ବିରାଟ କୋହଲିଙ୍କ ସଂ‌ଯୋଗ ଭାରତର ବ୍ୟାଟିଂକୁ ଦୃଢ଼ କରି ଦେଇଥିଲା। ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌, ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇ ଭାରତ ଇଂଲଣ୍ଡକୁ ଫାଇନାଲରେ‌‌ ଭେଟିଥିଲା।

ବର୍ଷା ବାଧାପ୍ରାପ୍ତ ଫାଇନାଲ୍ ମ୍ୟାଚ୍‌ ୨୦ ଓଭର ବିଶିଷ୍ଟ ହୋଇଥିଲା। ଭାରତ ୧୨୯/୭ରେ ସୀମିତ ରହିବା ପରେ ଇଆନ୍ ବେଲ, ‌ୟୋନାଥନ୍ ଟ୍ରଟ୍‌ ଓ ଜୋ ରୁଟଙ୍କୁ ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଶସ୍ତାରେ ବିଦା କରିଥିଲେ। ଇଂଲଣ୍ଡ ୪୬/୪ରେ ସଂଘର୍ଷ କରିବା ପରେ ଇଅନ୍ ମୋର୍ଗାନ୍‌ ଓ ରବି ବୋପାରା ୬୪ ରନ୍ ଯୋଡ଼ିଥିଲେ। ଈଶାନ୍ତ ଶର୍ମା କିନ୍ତୁ ୧୮ତମ ଓଭରରେ ଲଗାତାର ବଲରେ ଉଭୟଙ୍କୁ ଆଉଟ୍ କରିଦେବାରୁ ଭାରତ ୫ ରନ୍‌ରେ ମ୍ୟାଚ୍‌ ଜିତିଯାଇଥିଲା। ଦ୍ବିତୀୟ ଥର ପାଇଁ ଭାରତ ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇଥିଲା। ପୂର୍ବରୁ ୨୦୦୨ରେ ବର୍ଷାବାଧା କାରଣରୁ ଶ୍ରୀଲଙ୍କା ସହିତ ଯୁଗ୍ମ ବିଜେତା ହୋଇଥିଲା। ଏହି ବିଜୟ ମଧ୍ୟ‌ ଧୋନିଙ୍କୁ ତି‌ନିଟି ଆଇସିସି ଟ୍ରଫି ବିଜୟର‌ ଗୌରବ ଦେଇଥିଲା। ପୂର୍ବରୁ ତାଙ୍କ‌ ନେତୃତ୍ବରେ ଭାରତ ୨୦୦୭ ଆଇସିସି ଟି-୨୦ ବିଶ୍ବକପ୍ ଏବଂ ୨୦୧୧ ଆଇସିସି ଦିନିକିଆ ବିଶ୍ବକପ୍‌ ଜିତିଥିଲା।

ରୋହିତଙ୍କ ଦିନିକିଆ ପଦାର୍ପଣ ପୂର୍ତ୍ତି
ଆଜକୁ ଠିକ୍ ୧୩ ବର୍ଷ ତଳେ (୨୩ ଜୁନ୍‌ ୨୦୦୭) ଦିନିକିଆ କ୍ରିକେଟ୍‌କୁ ଆସିଥିଲେ ରୋହିତ ଶର୍ମା। ବେଲଫାଷ୍ଟଠାରେ ଆୟର୍ଲାଣ୍ଡ୍ ବିପକ୍ଷରେ ପଦାର୍ପଣ ମ୍ୟାଚ୍‌ ଖେଳି ପ୍ରଥମ ଥର ପରିଧାନ କରିଥିଲେ ଭାରତୀୟ ଜର୍ସି। ୧୩ ବର୍ଷ ପରେ ରୋହିତ ବିଶ୍ବ କ୍ରିକେଟ୍‌ର ଅନ୍ୟତମ ଦୁର୍ଦ୍ଦଶ ବ୍ୟାଟ୍‌ସମ୍ୟାନ୍‌। ଏକମାତ୍ର ବ୍ୟାଟ୍‌ସମ୍ୟାନ୍ ଭାବେ ଦିନିକିଆରେ ୩ ଦ୍ବିଶତକ ହାସଲ କରିଛନ୍ତି ରୋହିତ। ଖେଳ ଜୀବନର ୬ ବର୍ଷ ପରେ କିନ୍ତୁ ରୋହିତ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଭାବେ ପଦୋନ୍ନତି ପାଇଥିଲେ। ଦିନିକିଆ କ୍ୟାରିୟର୍ ଭଳି ଟେଷ୍ଟ୍ ଜୀବନ ମଧ୍ୟ ବଢ଼ିଆ ବିତିଛି ରୋହିତଙ୍କର। ୩୩ ବର୍ଷୀୟ ରୋହିତ ଅଦ୍ୟାବଧି ୩୨ ଟେଷ୍ଟ୍, ୨୨୪ ଦିନିକିଆ, ୧୦୮ ଟି-୨୦ ଅନ୍ତର୍ଜାତୀୟ‌ ଖେଳି ଯଥାକ୍ରମେ ୨୧୪୧, ୯୧୧୫ ଓ ୨୭୭୩ ରନ୍‌ ସଂଗ୍ରହ କରିଛନ୍ତି।

ସମ୍ବନ୍ଧିତ ଖବର