ଟର୍ନର ଛଡ଼ାଇଲେ ବିଜୟ: ଶୃଙ୍ଖଳା ୨-୨

ମୋହାଲି: ଶିଖର ଧାୱନ (୧୪୩)-ରୋହିତ ଶର୍ମା (୯୫) ଏବଂ ଉସମାନ ଖୱାଜା (୯୧)-ପିଟର୍ ହ୍ୟାଣ୍ଡସ୍କମ୍ବ (୧୧୭)ଙ୍କ ଦୁଇ ଦୁଇଟି ଶତକୀୟ ଭାଗୀଦାରି ତୁଳନାରେ ଆଷ୍ଟନ ଟର୍ନର (୮୪*, ୪୩ ବଲ୍‌, ୫ ଚୌକା, ୬ ଛକା)ଙ୍କ ପ୍ରଥମ ଅର୍ଧଶତକ ମୂଲ୍ୟବାନ ସାବ୍ୟସ୍ତ ହେଲା। ଏକା ଟର୍ନର ହିଁ ଭାରତ ନିକଟରୁ ବିଜୟ ଛଡ଼ାଇ ନେଲେ। ଭାରତର ୩୫୮ ରନ୍‌କୁ ୧୩ ବଲ୍ ପୂର୍ବରୁ ପଛରେ ପକାଇ ଅଷ୍ଟ୍ରେଲିଆ ମଧ୍ୟ ନିଜ ଦିନିକିଆ ଇତିହାସରେ ସର୍ବୋଚ୍ଚ ପଶ୍ଚାତଧାବନ ଲକ୍ଷ୍ୟରେ ସଫଳ ହୋଇଗଲା। ଏଥି ସହିତ ୫ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳା ବି ୨-୨ ସ୍ତରକୁ ଚାଲି ଆସିଛି। ପଞ୍ଚମ ତଥା ନିର୍ଣ୍ଣାୟକ ଶେଷ ଦିନିକିଆ ନୂଆଦିଲ୍ଲୀରେ ବୁଧବାର ଖେଳାଯିବ। ରବିବାର ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୪ ପରିବର୍ତନ ସହିତ ଭାରତ ପଡ଼ିଆକୁ ଓହ୍ଲାଇଥିଲା। ମହେନ୍ଦ୍ର ସିଂହ ଧୋନି, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଦେଜା ଏବଂ ମହମ୍ମଦ ସାମିଙ୍କ ବଦଳରେ ଯଥାକ୍ରମେ ଋଷବ ପନ୍ତ୍, ଲୋକେଶ ରାହୁଲ, ୟୁଜବେନ୍ଦ୍ର ଚହଲ ଏବଂ ଭୁବନେଶ୍ବର କୁମାର ଚୂଡ଼ାନ୍ତ ଏକାଦଶକୁ ଆସିଥିଲେ। ଭାରତକୁ ଏଥର ଜବରଦସ୍ତ ଆରମ୍ଭ ଦେଇଥିଲେ ଅଭିଜ୍ଞ ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଏବଂ ଶିଖର ଧାୱନ। ବିଶେଷ କରି ଧାୱନ ପ୍ରଥମ ଓଭରରୁ ବାଉଣ୍ଡରୀ ମାରି ଆତ୍ମବିଶ୍ବାସ ସାଉଁଟିଥିଲେ। ଫର୍ମକୁ ନେଇ ସଂଘର୍ଷ କରୁଥିବା ଏହି ବାମହାତୀ ତାଙ୍କ ପ୍ରିୟ ମୋହ‌ାଲି ପଡ଼ିଆରେ ପୁଣି ଏକ ସ୍ମରଣୀୟ ପାଳି ଛାଡ଼ିଥିଲେ। ୨୦୧୩ ମାର୍ଚରେ ଅଷ୍ଟ୍ରେଲିଆ ବିପକ୍ଷ ପଦାର୍ପଣ ଟେଷ୍ଟ୍‌ରେ ଧାୱନ ୧୮୭ ରନ୍‌ର ପାଳି ଖେଳିଥିଲେ। ରବିବାର ସେ ନିଜର ୧୬ତମ ଦିନିକିଆ ଶତକକୁ ମଧ୍ୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ରେ (୧୪୩, ୧୧୫ ବଲ, ୧୮ ଚୌକା, ୩ ଛକା) ପରିଣତ କରିଥିଲେ। ଏହି ଅବସରରେ ‌ଧାୱନ ତାଙ୍କ ପୂର୍ବ ବ୍ୟକ୍ତିଗତ ଶ୍ରେଷ୍ଠ ପାଳି ୧୩୭ (ବନାମ ଦକ୍ଷିଣ ଆଫ୍ରିକା, ମେଲବର୍ନ, ୨୦୧୫ ବିଶ୍ବକପ୍‌)କୁ ପଛରେ ପକାଇଥିଲେ। ରବିବାର ଶତକ ହାସଲ ପରେ ଧାୱନ ନିଜର ଶେଷ ୧୫ ବଲ୍‌ରୁ ୩୯ ରନ୍ ଆଦାୟ କରିଥିଲେ। ସବୁଠାରୁ ବଡ଼ କଥା ହେଉଛି ରୋହିତ ଶର୍ମା (୯୫, ୯୨ ବଲ, ୭ ଚୌକା, ୨ ଛକା) ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଧାୱନଙ୍କ ସହ ମିଶି ୧୯୩ ରନ୍ ଭାଦୀଦାରି କରିଥିଲେ। ମନ୍ଥର ଆରମ୍ଭ କରିବା ସତ୍ତ୍ବେ ରୋହିତ ଶର୍ମା ବଲ୍‌ଠୁ ଅଧିକ ରନ୍ କରିଥିଲେ। ଉଭୟ ରୋହିତ-ଧାୱନ ୧୦୨ତମ ଥର ଏକତ୍ର ପାଳି ଆରମ୍ଭ କରି ୧୬ତମ ଥର ପାଇଁ ଶତକୀୟ ଭାଗୀଦାରି କରିଥି‌ଲେ। ରୋହିତ ଶର୍ମାଙ୍କୁ ରିଚାର୍ଡସନ ଏବଂ ଧାୱନଙ୍କୁ କମିନ୍ସ ଆଉଟ୍ କରିଥିଲେ। ଏହା ପରେ ଦଳକୁ ଫେରିଥିବା ଲୋକେଶ ରାହୁଲ (୨୬, ୩୧ ବଲ୍‌) ଭଲ ଆରମ୍ଭରୁ ଫାଇଦା ଉଠାଇ ପାରିନଥିଲେ। ରାହୁଲଙ୍କୁ ବାଟ ଛାଡ଼ି ୩ ପରିବର୍ତେ ୪ ନମ୍ବରରେ ଆସିଥିବା କୋହଲି (୭) ନିଜର ବିଗତ ୩୧ ପାଳିରେ ଦ୍ବିତୀୟ ଥର ଦୁଇ ଅଙ୍କ ପୂର୍ବରୁ ଆଉଟ୍ ହୋଇଥିଲେ। ଏହା ପରେ ‌ଯୁବ ତାରକା ଋଷବ ପନ୍ତ୍ ନିଜର ଶ୍ରେଷ୍ଠ ଦିନିକିଆ ପାଳି (୩୬, ୨୪ ବଲ୍‌, ୪ ଚୌକା, ୧ ଛକା) ଖେଳି ଦଳର ରନ୍ ଗତି ବଢ଼ାଇବାରେ ସଫଳ ହୋଇଥିଲା। ବିଶ୍ବକପ୍‌ ଦାବିଦାର ବିଜୟ ଶଙ୍କର (୨୬, ୧୫ ବଲ୍‌, ୧ ଚୌକା, ୨ ଛକା) ମଧ୍ୟ ଉପଯୋଗୀ ପାଳି ଖେଳିଥିଲେ। ଶେଷ ଓଭରରେ ଶଙ୍କର ଓ ଚହଲଙ୍କ ୱିକେଟ୍‌ ନେଇ କମିନ୍ସ ୫ ୱିକେଟ୍ ସଫଳତା ପାଇଥିଲେ ମଧ୍ୟ ପ୍ରଥମ ଓ ଶେଷ ବଲ୍‌ରେ ଛକା (ଶଙ୍କର ଓ ବୁମରା)ର ଶିକାର ହୋଇ ନିଜ ୧୦ ଓଭରରେ ୭୦ ବ୍ୟୟ କରିଥିଲେ। ବୁମ୍‌ରା ଏକମାତ୍ର ବଲ୍‌କୁ ଛକା ମାରିଥିଲେ ଯାହାକି ତାଙ୍କ ଖେଳ ଜୀବନର ପ୍ରଥମ ଥିଲା। ଜବାବରେ ଅଷ୍ଟ୍ରେଲିଆକୁ ପ୍ରଥମରୁ ଯୁଗଳ ଝଟ୍‌କା ଲାଗିଥିଲା। ପ୍ରଥମ ଓଭରରେ ଆରୋନ୍‌ ଫିଞ୍ଚ୍‌ଙ୍କୁ ଭୁବନେଶ୍ବର କୁମାର ଖାତା ଖୋଲିବାକୁ ଦେଇନଥିଲେ। ସନ୍ ମାର୍ସ (୬)ଙ୍କୁ ବୁମରା ଚତୁର୍ଥ ଓଭରରେ ବୋଲ୍‌ଡ କରି ଦେଇଥିଲେ। ଅଷ୍ଟ୍ରେଲିଆ ୧୨/୨ରେ ସଂଘର୍ଷ କରିଥିଲା। ଏହି ସମୟରେ ଏକାଠି ହୋଇଥିବା ହ୍ୟାଣ୍ଡସ୍କମ୍ବ୍‌ ଏବଂ ଉସ୍‌ମାନ ଖୱାଜା ତୃତୀୟ ୱିକେଟ୍‌ ପାଇଁ ୧୯୨ ରନ୍ ଯୋଡ଼ିଥିଲେ। ଖୱାଜା (୯୧, ୯୯ ବଲ୍‌, ୭ ଚୌକା)ଙ୍କୁ ବୁମ୍‌ରା ଲଗାତାର ଶତକରୁ ବଞ୍ଚିତ କରିଥିଲେ। ବିସ୍ଫୋ‌ରକ ଆରମ୍ଭ କରିଥିବା ମ୍ୟାକ୍ସୱେଲ (୨୩, ୧୩ ବଲ୍‌, ୨ ଚୌକା, ୧ ଛକା)ଙ୍କୁ କୁଲଦୀପ ଆଉଟ୍ କରିଥିଲେ। ହ୍ୟାଣ୍ଡସ୍କମ୍ବ୍‌ (୧୧୭, ୧୦୫ ବଲ, ୮ ଚୌକା, ୩ ଛକା)ଙ୍କ ପାଳିକୁ ଚହଲ ରୋକିଥିଲେ। କିନ୍ତୁ ଆଷ୍ଟନ୍ ଟର୍ନର (୮୪*, ୪୩ ବଲ୍‌, ୫ ଚୌକା, ୬ ଛକା) ଏବଂ ଆଲେକ୍ସ କେରି (୨୧, ୧୫ ବଲ୍‌, ୨ ଚୌକା) ୩୯ ବଲ୍‌ରୁ ୮୬ ରନ୍ ଯୋଡ଼ି ଭାରତ ହାତରୁ ବିଜୟକୁ ଛଡ଼ାଇ ନେଇଥିଲେ। ୧୩ ବଲ୍ ପୂର୍ବରୁ ଅଷ୍ଟ୍ରେଲିଆ ୬ ୱିକେଟ୍ ହରାଇ ୩୫୯ ରନ୍ ସଂଗ୍ରହ କରି ନେଇଥିଲା। ଟର୍ନରଙ୍କୁ କାହିଁକି ରାଜସ୍ଥାନ ରୟାଲ୍ସ ତାଙ୍କ ଆଇପିଏଲ୍‌ ଦଳରେ ନେଇଛି ସେ ଏହାର ଝଲକ ବି ଦେଖାଇଦେଲେ। ଏକାଧିକ କ୍ୟାଚ୍‌ ଓ ଷ୍ଟମ୍ପିଂ ଛାଡ଼ିବା ସହିତ ଡେଥ୍‌ ଓଭରରେ ବୁମରା-ଭୁବନେଶ୍ବର କୁମାର ବିଫଳ ହେବା ଭାରତକୁ ବିଜୟରୁ ବଞ୍ଚିତ ରଖିଥିଲା।

ସମ୍ବନ୍ଧିତ ଖବର