ବିଶ୍ବକପ୍‌ ସୁପର ଲିଗ୍‌ ତାଲିକା, ସପ୍ତମକୁ ଉଠିଲା ଭାରତ

ନୂଆଦିଲ୍ଲୀ: ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡକୁ ୭ ରନ୍‌ରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ହାତେଇବା ପରେ ଭାରତୀୟ ଦଳ ଆଇସିସି ପୁରୁଷ କ୍ରିକେଟ୍‌ ବିଶ୍ବକପ୍‌ ସୁପର ଲିଗ୍‌ ପଏଣ୍ଟ୍‌ ତାଲିକାରେ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତ ୬ ମ୍ୟାଚ୍‌ରୁ ୩ ଲେଖାଏଁ ବିଜୟ ଓ ପରାଜୟ ଯୋଗୁଁ ପଏଣ୍ଟ ସଂଖ୍ୟାକୁ ୨୯ରେ ପହଞ୍ଚାଇଛି। ଅନ୍ୟପକ୍ଷରେ ଭାରତ ନିକଟରୁ ଶୃଙ୍ଖଳା ପରାଜୟ ସତ୍ତ୍ବେ ଇଂଲଣ୍ଡ (୪୦) ଶୀର୍ଷରେ ଅବିଚଳିତ ରହିଛି। ଇଂଲଣ୍ଡ ୯ ମ୍ୟାଚ୍‌ ଖେଳି ୪ ବିଜୟ ଓ ୫ ପରାଜୟ ପାଇଛି। ୨୦୨୦ ଜୁଲାଇ ୩୦ରୁ ଆରମ୍ଭ ହୋଇଥିବା ସୁପର ଲିଗ୍‌ରେ ନେଦରଲାଣ୍ଡ୍‌ ସହିତ ମୋଟ ୧୨ ପୂର୍ଣ୍ଣକାଳୀନ ସଦସ୍ୟ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏମାନଙ୍କ ମଧ୍ୟରୁ ପଏଣ୍ଟ୍‌ ତାଲିକାର ଶ୍ରେଷ୍ଠ ୮ ଦଳ ହିଁ ଆଗାମୀ ୨୦୨୩ ବିଶ୍ବକପ୍‌କୁ ସିଧାସଳଖ ଯୋଗ୍ୟତା ହାସଲ କରିବେ। ତେବେ ଏହି ବିଶ୍ବକପ୍‌ ଭାରତରେ ଆୟୋଜିତ ହେବାକୁ ଥିବାରୁ ଆୟୋଜକ ଦଳ ଭାବେ ଭାରତ ସିଧାସଳଖ ଯୋଗ୍ୟତା ହାସଲ କରିସାରିଛି।

ସମ୍ବନ୍ଧିତ ଖବର