ଶୀର୍ଷରେ ଘରୋଇ ଅଭିଯାନ ଶେ‌ଷ କଲା ଭାରତ

ଭୁବନେଶ୍ବର: ଚଳିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ପ୍ରତିଯୋଗିତାରେ ଭାରତ ଶୀର୍ଷ ସ୍ଥାନ ସହ ଘରୋଇ ଚରଣ ଶେ‌ଷ କରିଛି। ଜର୍ମାନୀ ବିପକ୍ଷ ପ୍ରଥମ ମ୍ୟାଚକୁ ୩-୦ ଗୋଲ୍‌ରେ ଜିତିଥିବା ଭାରତ ଶୁକ୍ରବାର ଦ୍ବିତୀୟ ମ୍ୟାଚ୍‌କୁ ୩-୧ରେ ଜିତି ପୂରା ପଏଣ୍ଟ କରାୟତ୍ତ କରି ଟେବୁଲର ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିଛି। ଭାରତ ସଂପ୍ରତି ୧୨ ମ୍ୟାଚ୍‌ ଖେଳି ୮ ବିଜୟ, ୧ ସୁଟ୍‌ ଆଉଟ୍‌ ବିଜୟ, ୧ ସୁଟ୍‌ ଆଉଟ୍‌ ପରାଜୟ ଏବଂ ୨ ପରାଜୟରୁ ୨୭ ପଏଣ୍ଟ୍‌ ପାଇଛି। ଅନ୍ୟପକ୍ଷରେ ଜର୍ମାନୀ ୧୦ ମ୍ୟାଚ୍‌ ଖେଳି ୫ ବିଜୟ, ୧ ସୁଟ୍‌ ଆଉଟ୍‌ ବିଜୟ ଏବଂ ୪ ପରାଜୟରୁ ୧୭ ପଏଣ୍ଟ୍‌ ସହ ପୂର୍ବ ପରି ଦ୍ବିତୀୟ ସ୍ଥାନରେ ରହିଛି।

ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭ‌ାରତ ପକ୍ଷରୁ ସୁଖଜୀତ ସିଂହ (୧୯ ମିନିଟ୍‌), ବରୁଣ କୁମାର (୪୧ ମିନିଟ୍‌) ଓ ଅଭିଷେକ (୫୪ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର୍‌ କରିଥିଲା ବେଳେ ଜର୍ମାନୀ ପକ୍ଷରୁ ଏକମାତ୍ର ଗୋଲ୍‌ଟି ଆଣ୍ଟୋନ ବୋକେଲ (୪୫ ମିନିଟ୍‌) ଶୁଝିଥିଲେ। ଜର୍ମାନୀର ୨୨ ସଦସ୍ୟ ବିଶିଷ୍ଟ ଦଳରେ ଅଧା ଖେଳାଳି ଏହି ମ୍ୟାଚ୍‌ରେ ପ୍ରଦାର୍ପଣ ସୁଯୋଗରେ ପାଇଥିଲେ। ଫଳରେ ଯୁବ ଦଳକୁ ନେଇ ଖେଳିଥିବା ଜର୍ମାନୀ ଭାରତକୁ ଟକ୍କର ଦେବାକୁ ସକ୍ଷମ ହୋଇନଥିଲା। ପ୍ରଥମ କ୍ବାର୍ଟର ଗୋଲ୍‌ ଶୁନ୍ୟରେ ଶେଷ ହେବା ପରେ ଦ୍ବିତୀୟ କ୍ବାର୍ଟରରେ ଘରୋଇ ଦଳ ସୁଖଜୀତଙ୍କ ଫିଲ୍ଡ ଗୋଲ୍‌ ଜରିଆରେ ଆଗୁଆ ହୋଇଥିଲା। ତୃତୀୟ କ୍ବାର୍ଟରରେ ବରୁଣ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଦଳକୁ ୨-୦ରେ ଆଗୁଆ କରିଥିଲେ। ଜର୍ମାନୀର ବୋକେଲ ଫିଲ୍ଡ ଗୋଲ୍ ଜରିଆରେ ଗୋଟିଏ ଗୋଲ୍‌ ଶୁଝି ସ୍ଥିତି ୧-୨ କରିଥିଲେ। ୫୪ତମ ମିନିଟ୍‌ରେ ହର୍ମନପ୍ରୀତଙ୍କ ଲମ୍ବା ପାସ୍‌କୁ ଯୁବ ତାରକା ଅଭିଷେକ ‌ଗୋଲ୍‌ରେ ପରିଣତ କରି ଭାରତକୁ ବିଜୟ ଭେଟି ଦେଇଥିଲେ। ଚମତ୍କାର ପ୍ରଦର୍ଶନ‌ ଯୋଗୁଁ ନୀଳକାନ୍ତ ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର