ଭାରତ-ଇଂଲଣ୍ଡ ଦିବାରାତ୍ର ଟେଷ୍ଟ୍ ଆଜିଠୁ: ଗୋଲାପି ବଲ୍‌ ପାଇଁ ଗୁଡ଼ାଏ ଚର୍ଚ୍ଚା

୩ ପେସର, ୨ ସ୍ପିନର ରଣନୀତିକୁ ଫେରିପାରେ ଭାରତ

ମୋଟେରା : ନବୀକରଣ ପରେ ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍‌ର ମାନ୍ୟତା ଲାଭ କରିଥିବା ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍‌ରେ ଆଜିଠାରୁ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ୍ ଖେଳାଯିବ। ଦିବା-ରାତ୍ର ଭିତ୍ତିରେ ଏବଂ ଗୋଲାପି ବଲ୍‌ରେ ଖେଳାଯିବାକୁ ଥିବାରୁ ଏହି ଟେଷ୍ଟ୍‌କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଗୋଲାପି ବଲ୍‌ କ୍ରିକେଟ୍ ଖେଳିବାରେ ଇଂଲଣ୍ଡର ଅଧିକ ଅଭିଜ୍ଞ ଥିବାରୁ ଭାରତ ପାଇଁ ଏହି ମ୍ୟାଚ୍ ନୂଆ ଆହ୍ବାନ ନେଇ ଆସିବ ବୋଲି କ୍ରିକେଟ୍ ପଣ୍ଡିତମାନେ ଆକଳନ କରିଛନ୍ତି। ତେବେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ଫାଇନାଲ୍ ଖେଳିବା ଲାଗି ଏହି ମ୍ୟାଚ୍ ସହ ଶୃଙ୍ଖଳାର ବଳକା ଦୁଇଟି ମ୍ୟାଚ୍‌ରେ ଅପରାଜେୟ ରହି ଅନ୍ତତଃ ଗୋଟିକୁ ଜିତିବା ଭାରତ ପାଇଁ ନିହାତି ଦରକାର। ସେହିଦୃଷ୍ଟିରୁ ବୁଧବାରରୁ ଶୁଭାରମ୍ଭ ହେଉଥିବା ମୋଟେରା ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଦଳ କଡ଼ା ପରୀକ୍ଷାର ସମ୍ମୁଖୀନ ହେବ। ଅନ୍ୟପକ୍ଷରେ ଚାରି ଟିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଜିତି ଚମତ୍କାର ଢଙ୍ଗରେ ଭାରତ ଗସ୍ତ ଆରମ୍ଭ କରିଥିବା ଇଂଲଣ୍ଡ ଦ୍ବିତୀୟ ମୁକାବିଲାକୁ ହାରିବା ପରେ ବିଜୟଧାରାକୁ ଫେରିବାକୁ ଆପ୍ରାଣ ଉଦ୍ୟମ କରିବ। ଇଂଲଣ୍ଡ ଯଦି ଏହି ମ୍ୟାଚ୍ ଜିତିନିଏ, ତାହାଲେ ଭାରତର ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବା ବାଟ ଆପାତତଃ ବନ୍ଦ ହୋଇଯିବ। ଭ୍ରମଣକାରୀ ଇଂଲଣ୍ଡ ମଧ୍ୟ ୨-୧ରେ ଆଗୁଆ ହୋଇ ଶେଷ ମ୍ୟାଚ୍ ପୂର୍ବରୁ ମନୋବଳ ବଢ଼ାଇପାରିବ। ଭାରତ ବିଜୟୀ ହେଲେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍ ଫାଇନାଲ୍‌ରେ ସ୍ଥାନ ପକ୍କା କରିବା ସହ ଶୃଙ୍ଖଳା ଜିତିବା ଲାଗି ଶେଷ ମ୍ୟାଚ୍‌କୁ ‌କେବଳ ଅସୀମାଂସିତ ରଖିବାର ଆବଶ୍ୟକତା ରହିବ।

ଗୋଲାପି ବଲ୍‌ ଟେଷ୍ଟ୍‌ରେ ଇଂଲଣ୍ଡ ଅଧିକ ଅଭିଜ୍ଞ

୨୦୧୫ ମସିହାରେ ଆରମ୍ଭ ହୋଇଥିବା ଗୋଲାପି ବଲ୍ ଟେଷ୍ଟ୍ ବା ଦିବା-ରାତ୍ର ଟେଷ୍ଟ୍‌ର ଧାରା ୬ ବର୍ଷ ପୁରୁଣା ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ମାତ୍ର ୧୫ଟି ଟେଷ୍ଟ୍ ଖେଳା ଯାଇଛି। ଭାରତରେ ପ୍ରଥମ ଗୋଲାପି ବଲ୍ ଟେଷ୍ଟ୍ ଭାରତ ଓ ବାଂଲାଦେଶ ମଧ୍ୟରେ ୨୦୧୯ ମସିହା ନଭେମ୍ବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ଭାରତ ଗୋଟିଏ ପାଳି ଓ ୪୬ ରନ୍‌ରେ ଜିତି ନେଇଥିଲା। ଭାରତ ତା’ର ଦ୍ବିତୀୟ ଗୋଲାପି ବଲ୍ ଟେଷ୍ଟ୍‌ କୋଭିଡ୍ ସଙ୍କଟ ଭିତରେ ହୋଇଥିବା ଅଷ୍ଟ୍ରେଲିଆ ଗସ୍ତରେ ଆଡିଲେଡ୍ ଓଭାଲରେ ଖେଳିଥିଲା। ଡିସେମ୍ବର ୧୭ରୁ ୨୧, ୨୦୨୦ ମଧ୍ୟରେ ଖେଳାଯାଇଥିବା ଏହି ମୁକାବିଲାକୁ ଘରୋଇ ଅଷ୍ଟ୍ରେଲିଆ ୮ ୱିକେଟ୍‌ରେ ଜିତି ନେଇଥିଲା। ଏଣୁ ଗୋଲାପି ବଲ୍ ଟେଷ୍ଟ୍‌ରେ ଉଭୟ ଖଟା ମିଠା ଅଭିଜ୍ଞତା ପାଇ ଭାରତ ଗୋଟିଏ ପରାଜୟ ଏବଂ ଗୋଟିଏ ବିଜୟ ପାଇଛି। ସର୍ବମୋଟ ଦୁଇଟି ମ୍ୟାଚ୍ ଖେଳିଛି। ମୋଟେରାରେ ତୃତୀୟ ମ୍ୟାଚ୍ ଖେଳିବାକୁ ଯାଉଛି। ଅନ୍ୟପକ୍ଷରେ ଇଂଲଣ୍ଡର ତିନିଟି ଦିବା-ରାତ୍ର ଟେଷ୍ଟ୍ ଖେଳିବାର ଅଭିଜ୍ଞତା ରଖିଛି। ତେବେ ସେଥିମଧ୍ୟରୁ ଏହି ଦଳ ଦୁଇଟିରେ ପରାଜିତ ହୋଇଥିଲା ବେଳେ ମାତ୍ର ଗୋଟିକୁ ଜିତି ପାରିଛି। ଇଂଲଣ୍ଡ ତା’ର ପ୍ରଥମ ଦିବା-ରାତ୍ର ଟେଷ୍ଟ୍ ୨୦୧୭ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲା। ଘରୋଇ ପରିବେଶରେ ଖେଳିଥିବା‌ ଏହି ମ୍ୟାଚ୍‌କୁ ଗୋଟିଏ ପାଳି ଓ ୨୦୯ ରନ୍‌ରେ ଜିତି ନେଇଥିଲା। ସେହିବର୍ଷ ଆଡିଲେଡ୍‌ରେ ଖେଳିଥିବା ଦ୍ବିତୀୟ ଦିବା-ରାତ୍ର ଟେଷ୍ଟ୍‌ରେ କିନ୍ତୁ ଅଷ୍ଟ୍ରେଲିଆଠାରୁ ୧୨୦ ରନ୍‌ରେ ହାରିଯାଇଥିଲା। ପରବର୍ଷ ଅର୍ଥାତ୍ ୨୦୧୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅକଲାଣ୍ଡ୍‌ଠାରେ ‌ଖେଳିଥିବା ନିଜ ତୃତୀୟ ତଥା ଶେଷ ଦିବା-ରାତ୍ର ଟେଷ୍ଟ୍‌ରେ ପାଳି ପରାଜୟ (ଗୋଟିଏ ପାଳି ଓ ୪୯ ରନ୍)ର ସମ୍ମୁଖୀନ ହୋଇଥିଲା। ଏଣୁ ତିନିଟି ଗୋଲାପି ବଲ୍ ଟେଷ୍ଟ୍ ଖେଳି ଇଂଲଣ୍ଡ ଦୁଇଟିରେ ହାରିଥିଲା ବେଳେ ଗୋଟିକୁ ଜିତିଛି।

ସଂଶୟଭରା ସଞ୍ଜବେଳ
ଅପରାହ୍ନରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ର ପ୍ରତ୍ୟେକ ଦିନର ସୂର୍ଯ୍ୟାସ୍ତ ସମୟ କିନ୍ତୁ ଗୋଲାପି ରଙ୍ଗର ବଲ୍ ଲାଗି ଉଭୟ ଦଳ ପାଇଁ ସମସ୍ୟା ସୃଷ୍ଟି କରିବ। ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। କାରଣ ଗୋଲାପି ବଲ୍ ଟେଷ୍ଟ୍ ଏକପ୍ରକାର ‌ଲଟେରି ସଦୃଶ। ବିଶେଷଜ୍ଞଙ୍କ ମତରେ ସଞ୍ଜ ବେଳେ ହିଁ ଏହି ମ୍ୟାଚ୍‌ର ହାର୍ ଜିତ୍ ନିର୍ଣ୍ଣୟ ହୋଇଥାଏ। ଗୋଲାପି ବଲ୍ ମଧ୍ୟ ଫ୍ଲଡ୍‌ଲାଇଟ୍‌ରେ ଅଧିକ ସୁଇଂ ଓ ସିମ୍ କରିଥାଏ। ମୋଟେରା ପିଚ୍‌ରେ ସାମାନ୍ୟ ଘାସ ଥିବାରୁ ଗୋଲାପି ବଲ୍‌ ଏଠାରେ ସେହି ଚରିତ୍ରକୁ ବଜାୟ ରଖିବ କି ନାହିଁ? ସେ ନେଇ ମଧ୍ୟ ଦ୍ବନ୍ଦ୍ବ ଓ ସଂଶୟ ରହିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଗୁଡ଼ାଏ ଦିନ ହେବ ଶତକଟିଏ ହାସଲ କରିପାରିନଥିବାରୁ ଏହି ଟେଷ୍ଟ୍‌ରେ ସେ ନିଜ ପୁରୁଣା ବ୍ୟାଟିଂ କମାଲ ଦେଖାଇବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି।

୩ ପେସର, ୨ ସ୍ପିନର ରଣନୀତିକୁ ଫେରିପାରେ ଭାରତ
ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଫେରିବା ପରେ ଭାରତ ମୋଟେରାରେ ନୂଆ ରଣନୀତି ଆପଣାଇପାରେ। ଚେନ୍ନାଇରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ୍‌ରେ ତିନି ଜଣ ସ୍ପିନରଙ୍କୁ ନେଇଥିଲେ ମଧ୍ୟ ଗୋଲାପି ବଲ୍ ଏବଂ କାକର ପଡ଼ିବାର ଆଶଙ୍କାକୁ ଦେଖି ପୁଣି ଥରେ ୩ ପେସର ଏବଂ ୨ ସ୍ପିନର ନୀତିକୁ ଫେରିପାରେ ଭାରତ। ଏଭଳି ସ୍ଥିତିରେ କୁଲୀଦପ ଯାଦବ ଚୂଡ଼ାନ୍ତ ଦଳରୁ ବାଦ୍ ପଡ଼ିପାରନ୍ତି। ତୃତୀୟ ପେସର ପାଇଁ ମହମ୍ମଦ ସିରାଜ ଓ ଉମେଶ ଯାଦବଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ଇଂଲଣ୍ଡ ଦଳକୁ ଅଭିଜ୍ଞ ଜେମ୍ସ ଆଣ୍ଡରସନ୍ ଫେରିବେ। ଜୋଫ୍ରା ଆର୍ଚର ଓ ଜନି ବେୟାରଷ୍ଟୋ ଫେରିବାର ଥିବାରୁ ଇଂଲଣ୍ଡ ଜ୍ୟାକ୍ ଲିଚ୍‌ଙ୍କ ରୂପରେ କେବଳ ଜଣେ ସ୍ପିନରଙ୍କୁ ଖେଳାଇପାରେ। ଶୀର୍ଷକ୍ରମରେ ରୋରି ବର୍ନସଙ୍କ ସ୍ଥାନ ଜ୍ୟାକ୍ କ୍ରଲି ନେଇପାରନ୍ତି। ‌ମୋଟେରା ପିଚ୍‌ରେ ସାମାନ୍ୟ ଘାସ ଥିବାରୁ ଦ୍ବିତୀୟ ଦିନପରଠାରୁ ସ୍ପିନରଙ୍କୁ କିଛିଟା ସହାୟତା ମିଳିପାରେ। ଅନ୍ୟଥା ଦ୍ରୁତ ବୋଲରମାନେ ଫାଇଦାରେ ରହିବେ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ଶୁବମନ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷବ ପନ୍ତ, ରବିଚନ୍ଦ୍ରନ୍‌ ଅଶ୍ବିନ, ଅକ୍ଷର ପଟେଲ, ଈଶାନ୍ତ ଶର୍ମା, ଉମେଶ ଯାଦବ, ଯଶପ୍ରୀତ ବୁମ୍‌ରା।

ସମ୍ଭାବ୍ୟ ଇଂଲଣ୍ଡ: ଡମ୍ ସିବ୍‌ଲେ, ଜ୍ୟାକ୍ କ୍ରଲି, ଜନି ବେୟାରଷ୍ଟୋ, ଜୋ ରୁଟ୍ (ଅଧିନାୟକ), ବେନ୍ ‌ଷ୍ଟୋକ୍ସ, ଓଲି ପୋପ୍, ବେନ୍ ଫୋକ୍ସ, ଡମ୍ ବେସ୍/କ୍ରିସ୍ ଓକ୍ସ, ଜୋଫ୍ରା ଆର୍ଚର, ଜ୍ୟାକ୍ ଲିଚ୍, ଜେମ୍ସ ଆଣ୍ଡରସନ୍।

କପିଳଙ୍କ କ୍ଲବ୍‌ରେ ଈଶାନ୍ତ, ଅଶ୍ବିନଙ୍କ ୪୦୦ ୱିକେଟ୍ ମାଇଲଖୁଣ୍ଟ

ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା ବୁଧବାର ମହାନ କ୍ରିକେଟର କପିଳ ଦେବଙ୍କ କ୍ଲବ୍‌ରେ ସାମିଲ ହେବେ। ଦେଶର ଦ୍ବିତୀୟ ଦ୍ରୁତ ବୋଲର ଭାବେ ସେ ନିଜ ୧୦୦ତମ ଟେଷ୍ଟ୍ ଖେଳିବେ। କପିଳ ୧୩୧ ଟେଷ୍ଟ୍ ଖେଳି ଅବସର ନେଇଥିବାରୁ ତାଙ୍କ କୀର୍ତ୍ତିମାନ ଭାଙ୍ଗିବା ଲାଗି କିନ୍ତୁ ଦିଲ୍ଲୀ ତାରକା ଈଶାନ୍ତଙ୍କୁ ଆଉ କିଛି ବର୍ଷ ଫିଟ୍ ରହିବାକୁ ହେବ। ଈଶାନ୍ତ ସଂପ୍ରତି ୯୯ ଟେଷ୍ଟ୍ ଖେଳି ୩୦୨ ୱିକେଟ୍ କରାୟତ୍ତ କରିଛନ୍ତି। ଭାରତୀୟ ଦଳର ଆଗଧାଡ଼ିର ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ପାଖରେ ମଧ୍ୟ ଏହି ମ୍ୟାଚ୍‌ରେ ମାଇଲଖୁଣ୍ଟ ଛୁଇଁବାର ସୁଯୋଗ ରହିବ। ଦ୍ବିତୀୟ ଟେଷ୍ଟ୍‌ରେ ଉଭୟ ବଲ୍ ଏବଂ ବ୍ୟାଟ୍‌ରେ କମାଲ କରିଥିବା ଅଶ୍ବିନ ମୋଟେରାର ଗୋଲାପି ବଲ୍ ଲଢ଼େଇରେ ଆଉ ୬ ୱିକେଟ୍ ନେଲେ, ଟେଷ୍ଟ୍ କ୍ରିକେଟ୍‌ରେ ୪୦୦ ୱିକେଟ୍ ପୂରଣ କରିବେ। ଏବେ ୭୬ ଟେଷ୍ଟ୍ ଖେଳି ୩୯୪ ୱିକେଟ୍‌ରେ ଅଛନ୍ତି ସେ।

ସମ୍ବନ୍ଧିତ ଖବର